ଗଜପତି,୪।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ପୁତ୍ର ଅନୁରୂପର ମାତ୍ର ୧୯ ବର୍ଷ ବୟସରେ ଅକାଳ ବିୟୋଗ ଘଟିଥିବାରୁ ସାରା ସହରରେ ଶୋକର ଛାୟା ଖେଳିଯାଇଛି। ଏହି ଖବର ସହରରେ ପ୍ରଚାରିତ ହେବା ପରେ ସମଗ୍ର ପାରଳାବାସୀ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛନ୍ତି।ଅନୁରୂପଙ୍କ ବିୟୋଗ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କ ପାଇଁ ଏକ ବିରାଟ ଆଘାତ ଦେଇଥିବା ବେଳେ ଅନୁରୂପର ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସଦା ହସହସ ଚେହେରା, ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ଆତ୍ମୀୟତା ଗୁଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଦ୍ୱିଜେନ୍ଦ୍ରନାଥ ପାଢ଼ୀ, ସାମ୍ବାଦିକ ସରୋଜ ବୀର, ସନ୍ତୋଷ ପଟ୍ଟନାୟକ, କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ ଦଳର ନେତା,କର୍ମୀ ଓ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜ୍ଞାପନ କରିଥିଲେ।ଅନୁରୂପଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ପ୍ରବଳ ଜନସମାଗମ ହୋଇଥିଲା। ବନ୍ଧୁ, ଆତ୍ମୀୟ, ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ ପାଇଁ ଏକତ୍ରିତ ହୋଇଥିଲେ। ତାଙ୍କ ହଠାତ୍ ବିୟୋଗକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରିନଥିଲେ।ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକବାର୍ତ୍ତା ପ୍ରକାଶ ପାଇଛି।ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ବହୁ ସଂଖ୍ୟାରେ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.