ଜନନୀ ଯାତନା : ପ୍ରସୂତି ମହିଳାଙ୍କୁ ଦୋଳାରେ ବୋହିଲେ ୬ କିଲୋମିଟର ।

0

ମୋହନା,୨୮.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ଗଜପତି ଜିଲ୍ଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀର ଯନ୍ତ୍ରଣା, ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ ଗାଁ କୁ ଯାଇ ପାରୁନି । ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ ଦୋଳା କରି ୬ କିଲୋମିଟର ବୋହିବାକୁ ପଡ଼ିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ର ମୋହନାଗୁଡ଼ା ଗାଁରେ ।ମାଟି ଆଉ ପଥୁରିଆ ରାସ୍ତା ବାଟରେ ପଡ଼ୁଛି ନାଳ। ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସ ବି ପହଞ୍ଚି ପାରୁନି। ମୋହନାଗୁଡ଼ା ଗାଁର ମାଳତୀ ମାଝୀ (୧୯) ଙ୍କୁ ପ୍ରସବ ବେଦନା ହୋଇଥିଲା। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।କିନ୍ତୁ ଗାଁର ରାସ୍ତା ଏମିତି ଯେ, ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରିଲାନି। ପ୍ରାୟ ୬ କିଲୋମିଟର ଦୂର ବନ୍ଧାଗୁଡ଼ା ନିକଟରେ ଅଟକି ରହିଲା ଆମ୍ବୁଲାନ୍ସ। ଶେଷରେ ଉପାୟ ନପାଇ ଗ୍ରାମବାସୀ ଚେୟାରରେ ବସାଇ ଦୋଳା କରି ମାଳତୀଙ୍କୁ ୬ କିଲୋମିଟର ବୋହି ଆଣିଲେ।ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନା ମେଡିକାଲ ରେ ଭର୍ତ୍ତି କରାଗଲା। ସେଠାରେ ମାଳତୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ତ୍ରିଶୂଳ ସେନାପତି କହିଛନ୍ତି ।

Leave A Reply

Your email address will not be published.