ବାଲେଶ୍ୱର, ୧୧/୫(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅନ୍ତର୍ଗତ ସାନସାଉଁ ଗାଁରେ ଜଗତଜନନୀ ମାଆ ମହିଷାସୂରୀଙ୍କର ନବ ନିର୍ମିତ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ସମ୍ପନ୍ନ ହୋଇଛି। ଗାଁର କାଚେରୀ ପୋଖରୀ ନିକଟରେ ତିନିଦିନ ଧରି ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ହୋମଯଜ୍ଞ, ପୂଜାର୍ଚ୍ଚନା ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।
ପୁରାତନ ମନ୍ଦିରଟି ଦୀର୍ଘ ଦିନରୁ ଭଗ୍ନ ଅବସ୍ଥାରେ ଥିବାରୁ ଗ୍ରାମବାସୀମାନେ ନୂତନ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଇଥିଲେ। ଦେହୁରୀଙ୍କ ମାଧ୍ୟମରେ ମାଆଙ୍କ ସ୍ୱପ୍ନାଦେଶ ଲାଭ କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଳିତ ମାସ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ଗ୍ରାମ ଓ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ କଳସ ଯାତ୍ରାରେ ସାମିଲ ହୋଇଥିଲେ।
ବେଦଜ୍ଞ ସଞ୍ଜୟ ପଣ୍ଡାଙ୍କ ପୌରୋହିତ୍ୟରେ ସାତଜଣ ନୈଷ୍ଠିକ ବ୍ରାହ୍ମଣ ତିନିଦିନ ବ୍ୟାପୀ ହୋମଯଜ୍ଞ ସମ୍ପାଦନ କରିଥିଲେ। ଏହି ଅବସରରେ ମାଆ ମହିଷାସୂରୀଙ୍କ ସହିତ ଦେବୀ ହରଗୌରୀ, ଦେବୀ କାଳୀ ଓ ପଞ୍ଚମୁଖୀ ମାଆଙ୍କର ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।
ଉତ୍ସବରେ ରେମୁଣା ବିଧାୟକ ତଥା ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ପ୍ରାକ୍ତନ ସରପଞ୍ଚ ବିରୁପାକ୍ଷ ମହାପାତ୍ର, କବି ସୁଧାକର ସେଠୀ, ସୂଚନାଧିକାର କର୍ମୀ କମଳ ଲୋଚନ ରାଉତ, ସୃଷ୍ଟିର ମୁଖ୍ୟ ସନତ କୁମାର ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୋପୀନାଥ ବିଶ୍ୱାଳ, ରବୀନ୍ଦ୍ର ମହାନ୍ତି, ନବକୁମାର ନାୟକ, ଶ୍ରୀଧର ବିଶ୍ୱାଳ, ତ୍ରିଲୋଚନ ବେହେରା, ସୁବ୍ରତ ନାୟକ, କାର୍ତିକ ଗୋଛାୟତ, ସୁଶାନ୍ତ ନାୟକ, ସନ୍ଦୀପ ଗୋଛାୟତ, ସୁଦର୍ଶନ ପରିଡା, ରଘୁନାଥ ବିଶ୍ୱାଳ, ଗୋବର୍ଦ୍ଧନ ନାୟକ, ମନୋରଞ୍ଜନ ବିଶ୍ୱାଳ ପ୍ରମୁଖ ଗ୍ରାମବାସୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Comments are closed.