ଭୁବନେଶ୍ୱର : ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଗତ ତିନି ମାସରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ କରିଛନ୍ତି । ପୂର୍ବରୁ ଜଗନ୍ନାଥ ଦର୍ଶନ କରି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପୁଣି ନଭେମ୍ବରରେ ନୂଆପଡ଼ା ଉପନିର୍ବାଚନ ବେଳେ ଓଡ଼ିଶା ଗସ୍ତ କରି ସେ ଗଛ ଲଗାଇବା ଆରମ୍ଭ କଲେ ବୋଲି କହିଥିଲେ । ଏବେ ଓଡ଼ିଶା ରାଜନୀତିରେ ହଟଚମଟ ଚାଲିଥିବା ବେଳେ ଅଖିଳେଶ ଓଡ଼ିଶା ଗସ୍ତ କରିଛନ୍ତି । ସେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଅନ୍ୟ କିଛି ପ୍ରଭାବଶାଳୀ ନେତାଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ସମାଜବାଦୀ ପାର୍ଟିକୁ ସେ ମଜଭୁତ କରିବାକୁ ଚାହୁଁଥିବା ଗଣମାଧ୍ୟମକୁ କହିଛନ୍ତି । ବିଜେପି ବିଭାଜନ ରାଜନୀତି କରୁଥିବା ବେଳେ ସପା କିନ୍ତୁ ସମାନ ବିଚାରଧାରାର ଲୋକଙ୍କୁ ନେଇ ରାଜନୀତି କରେ ।
ଓଡ଼ିଶାରେ ସମାଜବାଦରେ ବିଶ୍ୱାସ କରୁଥିବା ନେତାଙ୍କୁ ଯୋଡ଼ିବାକୁ ଆହ୍ୱାନ ଦେଇଛନ୍ତି ଅଖିଳେଶ । କଂଗ୍ରେସ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ନିଲମ୍ବନ କରିଥିବାବେଳେ ବିଜେଡି, ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିଛି । ଏଭଳି ସମୟରେ ଅଖିଳେଶଙ୍କ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଅଖିଳେଶ କହିଛନ୍ତି, ନେତାଜୀ ତଥା ତାଙ୍କ ପିତା ମୂଲାୟମ ସିଂ ଯାଦବଙ୍କର ବହୁ ସହଯୋଗୀ ଓଡ଼ିଶାରେ ଅଛନ୍ତି । ସେ ଓଡ଼ିଶା ବାରମ୍ବାର ଆସିବେ ବୋଲି କହିଛନ୍ତି । ସାରା ଦେଶରେ ବିଜେପିର ମନ୍ଦ ଉଦ୍ଦେଶ୍ୟ ଜଣାପଡ଼ିବା ପରେ ହିଁ ଏହି ଦଳ ହଟିବ ବୋଲି ଅଖିଳେଶ କହିଛନ୍ତି ।
ଅଖିଳେଶ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କହିଛନ୍ତି, ନବୀନ ପଟ୍ଟନାୟକ ବରିଷ୍ଠ ନେତା । ଓଡ଼ିଶାର ବିକାଶରେ ତାଙ୍କର ଓ ତାଙ୍କ ପିତା ବିଜୁ ବାବୁଙ୍କର ବହୁତ ବଡ଼ ଯୋଗଦାନ ଥିଲା । ବିଜୁ ବାବୁ ନେତାଜୀଙ୍କ ସହ କାମ କରିଥିଲେ । ଯାହା ଫଳରେ ଏକ ପ୍ରକାର ସମ୍ପର୍କ ଗଢ଼ି ଉଠିଥିଲା । ଏବେ ଆମେ ଦୁଇ ଜଣ ମଧ୍ୟ ବିଜେପି ବିରୋଧରେ ଲଢ଼େଇ କରୁଛୁ ବୋଲି ଅଖିଳେଶ କହିଛନ୍ତି।
Comments are closed.