ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

0

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଏଠାରେ ଆଜି ଉଦ୍‌ଘାଟନ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗଦାନ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମେଘାଳୟର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚ (ଆଇସିଏଆର) ପରିସରର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବା ପରେ ଗୁଆହାଟୀ ବିମାନବନ୍ଦରରୁ ବାୟୁସେନାର ସ୍ଵତନ୍ତ୍ର ବିମାନରେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ଓଡ଼ିଶାର କଳାକାରମାନେ ବିମାନବନ୍ଦର ସାମ୍ନାରେ ପାରଂପରିକ ଓ ସାଂସ୍କୃତିକ ଗୀତ, ନୃତ୍ୟ ଓ ବାଦ୍ୟ ସହିତ ସ୍ବାଗତ କରିଛନ୍ତି।

ଉଦ୍‌ଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୭ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିବେ। ଏହା ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ଅଧିବେଶନରେ ‘ପ୍ରବାସୀ ଭାରତୀୟ ସଂଳାପ: ସଂସ୍କୃତି, ସଂଯୋଗ ଓ ସମ୍ପର୍କର କାହାଣୀ’ ଉପରେ ଆଲୋଚନା ହେବ। ସେହିପରି ଏହି ତିନି ଦିନରେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫ଟି ପୂର୍ଣ୍ଣାଙ୍ଗ ଅଧିବେଶନ ହେବ। ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ରାଷ୍ଟ୍ରପତି ପ୍ରାୟ ୫ ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦିର ଅଭିମୁଖେ ବାହାରିବେ।

 

Leave A Reply

Your email address will not be published.