B.ED ନାମଲେଖାରେ ଉଚ୍ଚଶିକ୍ଷା ବିଭାଗର ଅଜବ ନିୟମ

ଭୁବନେଶ୍ବର : ବିଶ୍ବବିଦ୍ୟାଳୟଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ, ଫକୀର ମୋହନ ବିଶ୍ବବିଦ୍ୟାଳୟ ଓ ଏମ୍‌ଏସ୍‌ସିବି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଗୋଟିଏ ପଟେ ସରକାରୀ କଲେଜରେ ବିଏଡ୍‌ ଆରମ୍ଭ ହୋଇପାରୁ ନ ଥିବା ବେଳେ ଅନ୍ୟପଟେ ସରକାରୀ ବିଶ୍ବବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ବିଏଡ୍‌ ଶିକ୍ଷା ଦିଆଯାଇ ଛାତ୍ରଛାତ୍ରୀଙ୍କୁ ଶୋଷଣ କରାଯାଉଛି। ଯେଉଁ ଛାତ୍ରଛାତ୍ରୀ ଦୁଇ ବର୍ଷରେ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ବିଏଡ୍‌ ପଢ଼ିଥାନ୍ତି ସେହି ଗରିବ ମେଧାବୀ ପିଲା ଏବେ ୧ ଲକ୍ଷ ୨୦ ହଜାର ଟଙ୍କା ଗଣି ସେଲ୍ଫ ଫାଇନାନ୍ସିଂ ବିଏଡ୍‌ କରିବାକୁ ବାଧ୍ୟ ହେଉଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ନାମଲେଖା ପ୍ରକ୍ରିୟାକୁ ଗୋଟିଏ ପ୍ଲାଟ୍‌ଫର୍ମକୁ ଆଣିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) କରାଯାଉଛି। ପିଲାମାନେ କିଭଳି ଖର୍ଚ୍ଚାନ୍ତରୁ ବର୍ତ୍ତିବେ, ନାମଲେଖାରେ ସ୍ବଚ୍ଛତା ରହିବ ସେଥିପାଇଁ ଏଭଳି ପଦକ୍ଷେପ ନେଉଛନ୍ତି। ମାତ୍ର ବିଏଡ୍‌ ନାମଲେଖା କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା ନିୟମ। ଏବେ ମୁଖ୍ୟତଃ ୩ଟି ସରକାରୀ ଶିକ୍ଷାନୁଷ୍ଠାନ ଯଥା‌ ଶିକ୍ଷକ ତାଲିମ ପ୍ରତିଷ୍ଠାନ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ବିଏଡ୍‌ରେ ଶିକ୍ଷା ପ୍ରଦାନ କରାଯାଉଛି। ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ରେଗୁଲାର ମୋଡ୍‌ରେ କମ୍‌ ଖର୍ଚ୍ଚରେ ଶିକ୍ଷାଦାନ କରାଯାଉଥିବା ବେଳେ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ଶିକ୍ଷା ଦେଉଛନ୍ତି।

ଶିକ୍ଷକ ତାଲିମ ପ୍ରତିଷ୍ଠାନ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ଥିବା ବିଏଡ୍‌, ଏମ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଗୋଟିଏ ପ୍ରବେଶିକା ପରୀକ୍ଷା ହେଉଛି। ସେଥିରୁ ଚୟନ ହେଉଥିବା ପିଲା ନାମ ଲେଖାଉଛନ୍ତି। ହେଲେ ବିଶ୍ବବିଦ୍ୟାଳୟଗୁଡ଼ିକ ଏହି ପରୀକ୍ଷାରୁ ବାଦ୍‌ ଦିଆଯାଉଛି। କେଉଁଥିପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକ ପ୍ରବେଶିକା ପରୀକ୍ଷାରେ ସାମିଲ ହେଉ ନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏମିତିକି ସବୁଠି ପ୍ରବେଶିକା ପରୀକ୍ଷାରେ ନାମଲେଖା ହେଉଥିବା ବେଳେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ କାହିଁକି ମାର୍କ ଆଧାରରେ ନାମଲେଖା ହେଉଛି ତାହା ଏବେ ସନ୍ଦେହ ସୃଷ୍ଟି କରିଛି।

Comments are closed.