ଦୀର୍ଘ ସମୟ ଧରି ଅଚେତ ହୋଇ ପଡ଼ି ରହିଥିଲେ ସେ। ଆଉ ଚେତା ଫେରିବା ବେଳକୁ ତାଙ୍କ ଚାରି ପାଖରେ ପଡି ରହିଥିଲା ନିଜ ପ୍ରିୟଜନ ମାନଙ୍କ ମୃତ ଦେହ। ହେଲେ ଅଚେତ ହେବା ପୂର୍ବରୁ ୨୧ ବର୍ଷୀୟା, ୫ମାସର ଗର୍ଭବତୀ ଥିବା ସେଇ ମହିଳା ଜଣଙ୍କ ସହ ଘଟି ଯାଇଥିଲା ଭାଷାରେ ବର୍ଣ୍ଣନା ନ କରି ହେବା ଭଳି ଅତି ନାରକୀୟ ଓ ଜଘନ୍ୟ ଅପରାଧ। ତାଙ୍କ ସହ ତ ସେଇ ନରପିଶାଚ ମାନେ ବଳାତ୍କାର କରିଥିଲେ। ଆଖି ସାମ୍ନାରେ ତାଙ୍କ ମା’ଙ୍କୁ ମଧ୍ୟ ବଳାତ୍କାର କରିଥିଲେ। ଖାଲି ସେତିକି ନୁହେଁ। ୩ବର୍ଷ ବୟସର ତାଙ୍କ କୁନି ଝିଅଟିକୁ ସେମାନେ ମାରିଦେବା ସହ ପରିବାରର ଅନ୍ୟ କେତେ ଜଣଙ୍କୁ ବି ସେଇ ରାକ୍ଷସ ମାନେ ହତ୍ୟା କରିଥିଲେ। ଗଣ ବଳାତ୍କାର ଓ ଏଭଳି ବୀଭତ୍ସ ଅପରାଧକୁ ସହ୍ୟ କରି ନ ପାରି ବେହୋସ୍ ହୋଇ ଯାଇଥିବା ସମ୍ପୃକ୍ତ ମହିଳାଙ୍କୁ ଅପରାଧୀ ମାନେ ମୃତ ଭାବି ଛାଡ଼ି ଚାଲି ଆସିଥିଲେ। କିନ୍ତୁ କେତେ ଘଣ୍ଟା ପରେ ଚେତା ଫେରି ଆସିଥିଲା ମହିଳା ଜଣଙ୍କର। ଆଉ ବହୁ କଷ୍ଟରେ ଘରକୁ ଫେରିଥିଲେ ସେ।
ନା’, ଏ କୌଣସି ଲୋମହର୍ଷଣକାରୀ କାଳ୍ପନିକ କାହାଣୀ ନୁହେଁ। ଏ ହେଉଛି, ସାରା ଦେଶ ଯେତେବେଳେ ‘ଆଜାଦି କା ଅମୃତ୍ ମହୋତ୍ସବ’ ପାଳୁଥିଲା, ସେହି ‘ଆଜାଦି ଦିବସ’ ବା ସ୍ବାଧୀନତା ଦିବସରେ ଦେଶର ନ୍ୟାୟିକ ବ୍ୟବସ୍ଥା ଦ୍ବାରା ଅତି କଦର୍ଯ୍ୟ ଅନ୍ୟାୟର ଶିକାର ହୋଇଥିବା ଏଇ ଆମ ଦେଶର ଜଣେ ଝିଅ, ବିଲ୍କିସ୍ ବାନୋଙ୍କ ଅଙ୍ଗେନିଭା କଥା।
୨୦୦୨ ମସିହା, ଫେବୃଆରୀ ମାସର କଥା। ସେହି ମାସ ୨୪ ତାରିଖ ଦିନ ନିଜ କୁନି ଝିଅ ଆଉ ସ୍ବାମୀଙ୍କ ସହ ଗୁଜରାଟ, ଦାହୋଡ୍ ଜିଲ୍ଲାର ବାସିନ୍ଦା ବିଲ୍କିସ୍ ସିଙ୍ଗ୍ବାଦ୍ ଅନ୍ତର୍ଗତ ରାନ୍ଧିକପୁରରେ ଥିବା ନିଜ ବାପଘରକୁ ଯାଇଥିଲେ ଇଦ୍ ପାଳିବାକୁ। ହେଲେ ଉତ୍ସବର ପରିବେଶ ଯେ ତାଙ୍କ ପାଇଁ ଏତେ ବଡ଼ ବିପଦ ଡାକି ଆଣିବ, ହୁଏତ ଘୂଣାକ୍ଷରେ ବି କଳ୍ପନା ବି କରିନଥିଲେ ସେ। ଏହାର ୩ଦିନ ପରେ, ଅର୍ଥାତ୍ ଫେବୃଆରୀ ୨୭ ତାରିଖ ଦିନ ସାବରମତୀ ଏକ୍ସପ୍ରେସ୍ ଯୋଗେ ଅଯୋଧ୍ୟାରୁ ଅହମଦାବାଦ ଫେରୁଥିବା କେତେକ କରସେବକଙ୍କ ଏକ ବଗି (ଏସ୍-୬)ରେ ନିଆଁ ଲଗାଇ ଦିଆଗଲା। ଆଉ ଅନେକ କରସେବକଙ୍କର ଏଇ ଘଟଣାରେ ମୃତ୍ୟୁ ଘଟିଲା। ଏହାର ପରଦିନ, ଅର୍ଥାତ୍ ୨୮ ତାରିଖ ଦିନ ଗୁଜରାଟର ସ୍ଥାନେ ସ୍ଥାନେ ଦଙ୍ଗା ଘଟିବା ଦେଖାଗଲା। ବିଲ୍କିସ୍ ଙ୍କ ଗାଁରେ ମଧ୍ୟ ଦଙ୍ଗା ଜନିତ ହିଂସା ଧୀରେ ଧୀରେ ଯେତେବେଳେ ନିୟନ୍ତ୍ରଣ ବାହାରକୁ ଯିବାକୁ ଲାଗିଲା ସେତେବେଳେ ସେଠାରେ ଥିବା ତାଙ୍କ ପରିବାରର ଓ ଅନ୍ୟ ସମ୍ପର୍କୀୟ ଲୋକମାନେ ୧୫/୧୬ ଜଣ ଲେଖାଏଁ ଗୋଟେ ଗୋଟେ ଦଳ ହୋଇ ବିଭିନ୍ନ ଦିଗରେ ପଳାୟନ କରିବାକୁ ଲାଗିଲେ। ଉଦ୍ଦେଶ୍ୟ ଥିଲା, ଦଙ୍ଗାକାରୀମାନେ ଯେମିତି ସହଜରେ ସେମାନଙ୍କୁ ଚିହ୍ନଟ କରି ନ ପାରନ୍ତି। ବିଲ୍କିସ୍ ଙ୍କ ପରିବାରର ଲୋକେ ମୋଟ ୩ଟି ଭାଗରେ ବିଭକ୍ତ ହୋଇ ବିଭିନ୍ନ ଦିଗରେ ଯିବାକୁ ଲାଗିଲେ। ଯେଉଁ ଦଳରେ ବିଲ୍କିସ୍ ଥିଲେ ସେଥିରେ ତାଙ୍କ ସ୍ବାମୀ ଓ ଭାଇ ସାମିଲ ନ ଥାଇ ଅନ୍ୟ ଦଳରେ ଥିଲେ। ସମ୍ପୃକ୍ତ ୧୬/୧୭ ଜଣିଆ ଦଳରେ ବିଲ୍କିସ୍ ଙ୍କ ସମେତ ଥିଲେ ତାଙ୍କ ମା’ ଆଉ ସାଢ଼େ ତିନି ବର୍ଷର ଛୋଟ ଝିଅ, ଜଣେ ଗର୍ଭବତୀ ମାଉସୀ ଝିଅ, ବିଲ୍କିସ୍ ଙ୍କ ସାନ ଭାଇ-ଭଉଣୀ, ଭଣଜା-ଭାଣିଜୀ ଓ ଅନ୍ୟ ଦୁଇ ଜଣ ବୟସ୍କ ବ୍ୟକ୍ତି। ସେମାନେ ପ୍ରଥମେ ଜଣେ ପୂର୍ବତନ ବିଧାୟକଙ୍କ ଘରେ ଗୋଟିଏ ଦିନ ରହିବା ପରେ ସେଠାରୁ ବିଭିନ୍ନ ଗାଁରୁ ଗାଁ ଦେଇ ଯାତ୍ରା କରିବାରେ ଲାଗିଲେ। କେତେବେଳେ ସେମାନେ କେଉଁ ମସଜିଦରେ ଆଶ୍ରୟ ନେଉଥିଲେ ତ କେତେବେଳେ କେହି ଦୟାଳୁ ବ୍ୟକ୍ତି (ସେମାନଙ୍କ ମଧ୍ୟରେ ଅଧିକାଂଶ ହିନ୍ଦୁ ହିଁ ଥିଲେ) ସେମାନଙ୍କୁ ରହିବା-ଖାଇବାରେ ସାହାଯ୍ୟ କରୁଥିଲେ। ପରେ ସେମାନେ ଏକ ଆଦିବାସୀ ଗାଁରେ ଯାଇ ପହଞ୍ଚି ସେଇଠାରେ ଥିଲେ। ଚିହ୍ନା ନ ପଡ଼ିବା ଉଦ୍ଦେଶ୍ୟରେ ସେମାନେ ସେଠାରେ ସ୍ଥାନୀୟ ପାରମ୍ପରିକ ପୋଷାକ ମଧ୍ୟ ପିନ୍ଧୁଥିଲେ। କିନ୍ତୁ ୩ ମାର୍ଚ୍ଚ ଦିନ ୨୫ରୁ ୩୦ ଜଣ ଲୋକ ବିଭିନ୍ନ ହଥିଆର୍ ସହ ଦୁଇଟି ଧଳା ଜିପ୍ ରେ ଯାଇ ସେଠାରେ ପହଞ୍ଚିଲେ। ସେମାନେ ସମସ୍ତେ ଥିଲେ ବିଲ୍କିସ୍ ଙ୍କ ବେଶ୍ ପରିଚିତ (ପିଲାଦିନରୁ ପଡୋଶୀ ହିସାବରେ ଦେଖି ଆସିଥିବାରୁ ସେମାନଙ୍କ ନାଁ ବି ବିଲ୍କିସ୍ ଭଲରେ ଜାଣିଥିଲେ)। ସେମାନଙ୍କୁ ଦେଖିବା ପରେ ବିଲ୍କିସ୍ ଙ୍କ ଦଳର କିଛି ଜଣଙ୍କୁ ଛାଡ଼ି ଅନ୍ୟ ମାନେ ଦୂରକୁ ପଳାଇ ଯିବାରେ ସକ୍ଷମ ହୋଇଥିଲେ। ହେଲେ ବିଲ୍କିସ୍ ନିଜେ ୫ମାସର ଗର୍ଭବତୀ ଥିବାରୁ, ତାଙ୍କ ଝିଅ ବହୁତ ଛୋଟ ଥିବାରୁ ଓ ମା’ ଅଧିକ ବୟସ୍କ ହୋଇଥିବାରୁ ସେଠାରେ ଫସି ଯାଇଥିଲେ। ସେଇ ୨୫/୩୦ ଜଣଙ୍କ ଭିତରୁ ୧୨ ଜଣ ବିଲ୍କିସ୍ ଓ ତାଙ୍କ ମା’ଙ୍କ ସହ ବଳାତ୍କାର କରିବା ସହ ତାଙ୍କ ଛୋଟ ଝିଅ (ଯାହାକୁ ଜଣେ ଅଭିଯୁକ୍ତ ଜୋର୍ କରି ତଳେ କଚାଡି ଦେବାରୁ ତା’ର ମୁଣ୍ଡ ପଥରରେ ବାଜି ଯାଇ ସେଇଠି ହିଁ ତା’ର ମୃତ୍ୟୁ ଘଟିଥିଲା) ଓ ଫସି ରହିଥିବା ତାଙ୍କ ସମସ୍ତ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିଲେ। ମୃତକ ମାନଙ୍କ ମଧ୍ୟରେ ବିଲ୍କିସ୍ ଙ୍କ ସେଇ ମାଉସୀ ଝିଅ ମଧ୍ୟ ଥିଲେ, ଯିଏ କି ମାତ୍ର ଗୋଟିଏ ଦିନ ପୂର୍ବରୁ ହିଁ ପିଲା ଜନ୍ମ ଦେଇଥିଲେ। ସେଇ ଲୋକମାନେ ଅତି ନୃଶଂସ ଭାବେ ତାଙ୍କୁ ମଧ୍ୟ ବଳାତ୍କାର କରି ହତ୍ୟା କରିବା ସହ ତାଙ୍କ ନବଜାତକକୁ ବି ମାରି ଦେଇଥିଲେ। ଏ ଭିତରେ ଅତ୍ୟାଚାର ସହି ନପାରି ବେହୋସ୍ ହୋଇପଡ଼ିଥିବା ବିଲ୍କିସ୍ ଙ୍କ ସେମାନେ ମୃତ ବୋଲି ଭାବି ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ତେବେ ୩/୪ ଘଣ୍ଟା ପରେ ତାଙ୍କ ଚେତା ଫେରି ଆସିଥିଲା। ରାତି ସାରା ସେ ସେଠାରେ ଗୋଟେ ଗଛ ଉହାଡରେ ଲୁଚି ରହିଥିଲେ ଆଉ ସକାଳୁ ସ୍ଥାନୀୟ ମହିଳାମାନଙ୍କ ଠାରୁ ଲୁଗା ନେଇ ବାହାରକୁ ଆସିଥିଲେ। ସେଠାରେ ସେ ଜଣେ ହୋମଗାର୍ଡଙ୍କୁ ଦେଖି ତାଙ୍କୁ ସମସ୍ତ କଥା କହିଥିଲେ (ତାଙ୍କ ୟୁନିଫର୍ମ ଦେଖି)। ସମ୍ପୃକ୍ତ ଗାର୍ଡ ଜଣଙ୍କ ବିଲ୍କିସ୍ ଙ୍କୁ ନିକଟସ୍ଥ ଲିମଖେଡା ପୋଲିସ୍ ଷ୍ଟେସନକୁ ନେଇ ଯାଇଥିଲେ। ତା’ ପରେ ତାଙ୍କ ନିଜ ପାଇଁ ଓ ନିଜର ମୃତ ପରିଜନଙ୍କ ପାଇଁ ନ୍ୟାୟ ପାଇବା ସକାଶେ ବିଲ୍କିସ୍ ଙ୍କର ଯେଉଁ ସଂଗ୍ରାମ ଆରମ୍ଭ ହେଲା, ତାହା ଏକାଧାରରେ ଥିଲା ସୁଦୀର୍ଘ ଓ ଏକ ଦୁଃସ୍ବପ୍ନ ଭଳି।
ଆରମ୍ଭରୁ ହିଁ ପୋଲିସ୍ ବିଲ୍କିସ୍ ଙ୍କ ଏଫଆଇଆର୍ ଗ୍ରହଣ କରି ନଥିଲା ଓ ଆରୋପୀ ମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲା। ଏପରିକି ଥାନାରେ ଉପସ୍ଥିତ ପୋଲିସ୍ ଅଫିସର୍ (ଯାହାଙ୍କ ନାମ ସୋମ୍ ସିଂ ବୋଲି ଉଲ୍ଲେଖ ଅଛି) ବିଲ୍କିସ୍ ଙ୍କ କଥାକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ (ବିଲ୍କିସ୍ ନିରକ୍ଷର ହୋଇଥିବାରୁ ସମ୍ପୃକ୍ତ ଅଫିସର ଜଣଙ୍କ ନିଜ ଇଚ୍ଛା ମୁତାବକ ରିପୋର୍ଟଟିଏ ଲେଖି ସେଥିରେ ବିଲ୍କିସ୍ ଙ୍କ ଟିପଚିହ୍ନ ନେଇ ଯାଇଥିବା ଅଭିଯୋଗ ହୋଇଥିଲା ଓ ସିବିଆଇ ଇନକ୍ବାରୀ ପରେ ଏହି ଅଭିଯୋଗର ସତ୍ୟତା ପ୍ରମାଣିତ ହୋଇଥିଲା। କାରଣ ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ବୟାନ ଦେଇଥିଲେ ଯେ, ବିଲ୍କିସ୍ ସେମାନଙ୍କୁ ମୂଳରୁ ତାଙ୍କ ନିଜ ସହ ଯେଉଁ ଅମାନୁଷିକ କାଣ୍ଡ ଘଟିଥିବା ନେଇ ବର୍ଣ୍ଣନା କରିଥିଲେ, ତା’ ସହ ପୋଲିସ୍ ବର୍ଣ୍ଣିତ କାହାଣୀ ଜମା ମେଳ ଖାଉନି)। ଏପରିକି ପୋଲିସ୍ ତ ପ୍ରଥମରୁ ହିଁ କେସରେ ଦମ୍ ନାହିଁ କହି ନିଜ କ୍ଲୋଜର ରିପୋର୍ଟ ମଧ୍ୟ ସବମିଟ୍ କରି ଦେଇଥିଲା। ତେବେ ଏହା ପରେ ବିଲ୍କିସ୍ ଙ୍କୁ ଇକବାଲ୍ ରିଲିଫ୍ କ୍ୟାମ୍ପକୁ ନିଆଯାଇଥିଲା। ସେଠାରେ ସେ ଅନ୍ୟମାନଙ୍କୁ ନିଜ ସହ ଘଟିଥିବା ଦୁର୍ଘଟଣା କଥା କହିଥିଲେ। କ୍ୟାମ୍ପର ଆୟୋଜକ ସୁଗ୍ରା ବେନ୍ ଓ ଲତିଫା ବେନ୍ ଜ୍ୟୋତି ହିଁ ପ୍ରଥମେ ବିଲ୍କିସ୍ ଙ୍କ ଦୁ଼ଃଖ କାହାଣୀକୁ ଅନ୍ୟ ମାନଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ। ଆଉ ଧୀରେ ଧୀରେ ଏଥିରେ ବହୁ ସଂଖ୍ୟକ ଏନଜିଓ ମଧ୍ୟ ସାମିଲ ହେଲେ। କ୍ରମେ ଏଇ ମାମଲାରେ ନ୍ୟାୟ ପ୍ରଦାନ ପାଇଁ ଚାପ ପଡ଼ିଲା। ଫଳରେ ସୁପ୍ରିମକୋର୍ଟ ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ସିବିଆଇ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କଲା ପରେ ନିଜର ଚାର୍ଜସିଟ୍ ଦାଖଲ କଲେ, ଯେଉଁଥିରେ ଉଲ୍ଲେଖ ଥିଲା ଯେ, ବିଲ୍କିସ୍ ଙ୍କ ପ୍ରତି ଅନ୍ୟାୟ ହୋଇଛି। ପୋଲିସ ତ ପ୍ରଥମରୁ ହିଁ ଅପରାଧୀ ମାନଙ୍କୁ ଘଣ୍ଟ ଘୋଡାଇବାରେ ଲାଗିଥିଲା। ଆଉ ସେଥିପାଇଁ ବିଲ୍କିସ୍ ଙ୍କ ବୟାନ ସତ୍ତ୍ବେ (ସେ ସମସ୍ତ ଅପରାଧୀଙ୍କୁ ବିଲ୍କିସ୍ ବେଶ୍ ଭଲ ଭାବେ ଆଉ ସେମାନଙ୍କ ନାଁ ସହିତ ଚିହ୍ନିଥିଲେ ପୁଣି ପିଲାଦିନରୁ। କାରଣ ଆକ୍ରମଣକାରୀ ମାନେ ତାଙ୍କ ଗାଁର ଲୋକ ଥିଲେ) ପୋଲିସ୍ ସେମାନଙ୍କ ନାମକୁ ରିପୋର୍ଟରେ ଦର୍ଜ କରି ନଥିଲା। ଏହାଛଡ଼ା ଘଟଣାଟିକୁ ଭିଡ଼ ସମୟରେ ଘଟିଥିବା ଏକ ସାଧାରଣ ଆସଲ୍ଟ କେସ୍ (mob aasult) ଦର୍ଶାଇ ତାକୁ ଗୁରୁତ୍ବହୀନ କରି ଦେବାକୁ ବସିଥିଲା ପୋଲିସ୍। ଏପରିକି ଘଟଣାର ଟାଇମିଂକୁ ମଧ୍ୟ ଅପରାଧୀ ମାନଙ୍କୁ ସୁହାଇବା ଭଳି ବଦଳାଇବାକୁ ଚେଷ୍ଟା କରାଯାଇଥିଲା।
ଏଇଠି ଅଟକି ଯାଇ ନଥିଲା ବିଲ୍କିସ୍ ଙ୍କ ନ୍ୟାୟ ପାଇଁ ସଂଘର୍ଷ କରିବାରୁ ରୋକି ଦେବାର ପ୍ରୟାସ। ସିବିଆଇ ନିଜ ରିପୋର୍ଟରେ ଏହା ମଧ୍ୟ ଦର୍ଶାଇ ଥିଲା ଯେ, ଡାକ୍ତର ମାନେ ବି ଅପରାଧକୁ ଲୁଚାଇବାର ଏଇ ପ୍ରକ୍ରିୟାରେ ସାମିଲ ଥିଲେ (ଉଲ୍ଲେଖ ଥାଉ ଯେ, ପ୍ରଥମେ ଗୋଧ୍ରା ସିଭିଲ୍ ହସ୍ପିଟାଲରେ ବିଲ୍କିସ୍ ଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା)। କାରଣ ସମ୍ପୃକ୍ତ ଡାକ୍ତରମାନେ ବି ବିଲ୍କିସ୍ ଙ୍କୁ ନେଇ ମିଛ ରିପୋର୍ଟ ଦେଇଥିଲେ। ପରେ କିନ୍ତୁ ବଦୋଦରା ସ୍ଥିତ ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲାବୋରଟୋରୀ ପକ୍ଷରୁ ବିଲ୍କିସ୍ ଙ୍କ ସହ ବଳାତ୍କାର ହୋଇଥିବା ଓ ତାଙ୍କ ଶରୀରରେ ବହୁ ସଂଖ୍ୟକ କ୍ଷତ ଥିବା ନେଇ ସ୍ପଷ୍ଟ କରାଯାଇଥିଲା। ଆହୁରି ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଲ୍କିସ୍ ଙ୍କୁ ଘଟଣାସ୍ଥଳକୁ ନିଆଯାଇ ସାକ୍ଷ ପ୍ରମାଣର ପୁଷ୍ଟି କରିବା ସହ ମୃତଦେହ ଗୁଡ଼ିକୁ ଚିହ୍ନଟ କରିବା ପ୍ରକ୍ରିୟାଟିକୁ ମଧ୍ୟ ତଦନ୍ତ ବେଳେ ବାଦ୍ ଦିଆଯାଇଥିଲା। ଘଟଣା ଘଟିବାର ପୂରା ଗୋଟିଏ ଦିନ ଯାଏଁ କେହି ମଧ୍ୟ ଘଟଣାସ୍ଥଳକୁ ତଦନ୍ତ କରିବା ପାଇଁ ଯାଇ ନଥିଲେ। ମୃତଦେହ ସବୁର ପଡିଥିବା ସ୍ଥାନ ଆଦିକୁ ଅଦଳବଦଳ (ମ୍ୟାନିପୁଲେଟ୍) କରି ମଧ୍ୟ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ହୋଇଥିଲା। ପରେ ନୂଆଦିଲ୍ଲୀରୁ ଆସି ସମ୍ପୂର୍ଣ୍ଣ ଅପରାଧ ସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କରିଥିବା AIIMS ଓ CFSL ଟିମ୍ ଏହା ସ୍ପଷ୍ଟ ଭାବରେ କହିଥିଲେ ଯେ, ମୃତଦେହ ଗୁଡ଼ିକୁ ଯେପରି ଢଙ୍ଗରେ ରଖାଯାଇଥିଲା, ସେଥିରୁ ଖୁବ୍ ଭଲ ରୂପେ ପ୍ରମାଣିତ ହେଉଥିଲା ଯେ, ସେସବୁ ସହ ଟ୍ୟାମ୍ପରିଂ କରାଯାଇଛି। ତା’ ଛଡ଼ା ଘଟଣା ଘଟିଥିବା ସ୍ଥାନର ନିକଟରେ ହିଁ ଲିମଖେଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିବା ଓ ସେଠାରେ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍ ଥିବା ସତ୍ତ୍ବେ ମୃତଦେହ ସବୁର ପୋଷ୍ଟମର୍ଟମ କରାଯାଇ ନଥିଲା। ପରେ ଏଥିପାଇଁ ସିବିଆଇ ପକ୍ଷରୁ ସବୁ ଗୁଡ଼ିକ ମୃତ ଦେହକୁ କବରରୁ ବାହାର କରି ତଦନ୍ତ କରିବାକୁ ପଡ଼ିଥିଲା। ସେଥିରୁ ସ୍ପଷ୍ଟ ହୋଇ ଯାଇଥିଲା ଯେ ସେଗୁଡ଼ିକର ଅଙ୍ଗପ୍ରତ୍ୟଙ୍ଗକୁ ଅଦଳବଦଳ କରି ଦିଆ ଯାଇଛି, ଯାହା ଦ୍ବାରା ସେସବୁକୁ ସଠିକ୍ ଭାବେ ଚିହ୍ନି ହେବନାହିଁ। ଏହା ବ୍ୟତୀତ ୨୦୦୨ ମସିହା, ମାର୍ଚ୍ଚ ୪ ତାରିଖ (ଅପରାଧ ଘଟିବାର ପରଦିନ) ଦିନ କ୍ରାଇମ୍ ସିନ୍ ଫଟୋଗ୍ରାଫର ଭାବିନ୍ ପଟେଲଙ୍କ ଦ୍ବାରା ଅପରାଧସ୍ଥଳର ନିଆଯାଇଥିବା ଫଟୋ ଗୁଡ଼ିକ ମଧ୍ୟରେ ବିଲ୍କିସ୍ ଙ୍କ କୁନି ଝିଅର ଫଟୋ ଥିବା ବେଳେ ଓ ତା’ର ନାମ ସାଲେହା ବୋଲି ଉଲ୍ଲେଖ କରାଯାଇଥିବା ବେଳେ ପରେ ଫଟୋଗ୍ରାଫର ଆର୍.କେ. ସୋନିଙ୍କ ଦ୍ବାରା ଘଟଣାସ୍ଥଳର ନିଆଯାଇଥିବା ଫଟୋ ଗୁଡ଼ିକ ମଧ୍ୟରେ ନା ଥିଲା ବିଲ୍କିସ୍ ଙ୍କ ଝିଅର ଫଟୋ ନା ତାର ନାଁ ଉଲ୍ଲେଖ ଥିଲା। ତେବେ ପ୍ରଶ୍ନ ଉଠେ, ଗୋଟିଏ ଅପରାଧ ସ୍ଥଳରେ ଦୁଇ ଜଣ ଫଟୋଗ୍ରାଫରଙ୍କ ଦ୍ବାରା ନିଆଯାଇଥିବା ଫଟୋ ମଧ୍ୟରେ ଏତେ ସବୁ ଅମେଳ କିପରି ରହିଲା? ଏ ଭିତରେ ଧୀରେ ଧୀରେ ବିଲ୍କିସ୍ ଙ୍କ ବାରମ୍ବାର ଧମକ ମିଳୁଥିଲା, କେସଟିକୁ ପ୍ରତ୍ୟାହାର କରିନେବା ପାଇଁ। ଏପରିକି ତାଙ୍କୁ ଜୀବନରୁ ମାରିଦେବା ପାଇଁ ବି ଧମକ ଦିଆଯାଉଥିଲା। ତେଣୁ ସେ କୋର୍ଟଙ୍କୁ ଅନୁରୋଧ କଲେ, ମାମଲାଟିର ବିଚାର ଗୁଜରାଟରେ କରାନଯାଇ, ବାହାରେ ଅନ୍ୟ ସ୍ଥାନରେ କରାଯାଉ। କୋର୍ଟ ତାଙ୍କର ଏହି ଅନୁରୋଧକୁ ଗ୍ରହଣ କରି ୨୦୦୪ ମସିହାରେ ମାମଲାଟିର ବିଚାର ପ୍ରକ୍ରିୟାକୁ ମୁମ୍ବାଇକୁ ସ୍ଥାନାନ୍ତରିତ କରି ଆଣିଲେ। ମୂମ୍ବାଇରେ କେସଟିକୁ ସିଡ୍ୟୁଲ୍ କରାଯିବା ପରେ ସମସ୍ତ ଉପଲବ୍ଧ ପ୍ରମାଣର ପୁନଃ ଯାଞ୍ଚ କରାଯାଇ ସିବିଆଇ ସ୍ପେଶାଲ୍ କୋର୍ଟ ପକ୍ଷରୁ ୧୧ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇ ଥିଲା। ଏଇ ରାୟ ପ୍ରକାଶ ପାଇଥିଲା ୨୦୦୮ ମସିହା, ଜାନୁଆରୀ ମାସ ୨୧ ତାରିଖ ଦିନ। ଦଣ୍ଡ ପାଇଥିବା ଏଇ ୧୧ଜଣଙ୍କ ମଧ୍ୟରେ ଥିଲେ ସେଇ ପୋଲିସ୍ ଅଧିକାରୀ ଓ ଡାକ୍ତର ମାନେ ବି, ଯେଉଁ ମାନେ କେସଟିକୁ ରଫାଦଫା କରିଦେବା ପାଇଁ ଉଦ୍ୟମରେ ଅପରାଧୀ ମାନଙ୍କୁ ସହାୟତା କରିଥିଲେ।
ପରେ ଏଇ ୧୧ ଜଣ ଯାକ ହାଇକୋର୍ଟରେ ଅପିଲ୍ କରିଥିଲେ। ପୁଣିଥରେ ଉପଲବ୍ଧ ତଥ୍ୟ-ପ୍ରମାଣର ପୁନଃ ଯାଞ୍ଚ କରାଯାଇ ଓ ସମ୍ପୂର୍ଣ୍ଣ କେସଟିର ପୁନଃ ରିଭ୍ୟୁ କରାଯିବା ପରେ ଦୋଷୀ ମାନଙ୍କ ଆଜୀବନ କାରାଦଣ୍ଡାଦେଶକୁ କାୟମ ରଖାଯାଇଥିଲା(୨୦୧୮ରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରା)। ଏହା ପରେ ଏମାନେ ଆଉ ଥରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ତଥା ଏକ ରିଭ୍ୟୁ ପିଟିସନ ଦାଖଲ ମାଧ୍ୟମରେ ଘଟଣାର ପୁନର୍ବିଚାର ପାଇଁ ଆବେଦନ କରିଥିଲେ। ତେବେ ଶୁଣାଣି ପରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ମଧ୍ୟ ଦଣ୍ଡାଦେଶକୁ କାୟମ ରଖାଯାଇଥିଲା। ୨୦୧୯ରେ କୋର୍ଟ ଗୁଜରାଟ ସରକାରଙ୍କୁ କ୍ଷତିପୂରଣ ସ୍ବରୂପ ବିଲ୍କିସ୍ ଙ୍କୁ ୫୦ଲକ୍ଷ ଟଙ୍କା, ଗୋଟିଏ ଘର ଓ ଚାକିରୀ ଯୋଗାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଅର୍ଥାତ୍ ଲୋୟର କୋର୍ଟଙ୍କ ଠାରୁ ହାଇ କୋର୍ଟ ପୁଣି ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଦେଶର ୩ଟି ନ୍ୟାୟାଳୟ ମୋଟ ୫ଥର ଏଇ ମାମଲାର ସମସ୍ତ ତଥ୍ୟ-ପ୍ରମାଣ ସମେତ ସାକ୍ଷୀ ମାନଙ୍କର ତନ୍ନ ତନ୍ନ ଯାଞ୍ଚ୍ କଲାପରେ ସମ୍ପୃକ୍ତ ୧୧ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡର ଆଦେଶ ଦେଇଥିଲେ।
ତେବେ ଏତେ ବର୍ଷ ତଳର ଏଇ ଘଟଣାଟିକୁ ମୁଁ ପୁଣି କାହିଁକି ଏତେ ସବିଶେଷ ଭାବରେ ଏଠାରେ ଆପଣ ମାନଙ୍କ ଜାଣିବା ଉଦ୍ଦେଶ୍ୟରେ ରଖିଲି! କଥା ହେଉଛି, ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ଯେତେବେଳେ ଗୋଧ୍ରା ସବ୍ ଜେଲରୁ ସେଇ ନର ପିଶାଚ ମାନଙ୍କୁ ମୁକ୍ତ କରି ଦିଆଗଲା, ପୁଣି ଯେତେବେଳେ ସେମାନଙ୍କୁ ଅତି ଗର୍ବ ସହକାରେ ଫୁଲମାଳ, ତିଳକ ଓ ମିଠା ସହ ସ୍ବାଗତ କରାଗଲା (ଏଇ ସ୍ବାଗତ ପର୍ବରେ ମହିଳା ମାନେ ବି ସାମିଲ ଥିଲେ) ମୋ’ ପରି ଏ ଦେଶର ପ୍ରାୟ ସବୁ ଝିଅ ଓ ମହିଳା ମାନଙ୍କ ପାଇଁ ସମୟ ହୁଏତ ସ୍ତବ୍ଧ ହୋଇ ଯାଇଥିଲା! ଆଶ୍ଚର୍ଯ୍ୟ, କ୍ରୋଧ ଓ ଘୃଣାରେ ମନ ଭରି ଯାଇଥିଲା, ଆମ ନ୍ୟାୟିକ ଓ ଶାସନ ବ୍ୟବସ୍ଥା ପ୍ରତି। ତା’ର ପରେ ମୁଁ ଯେତେଥର ବିଲ୍କିସ୍ ଙ୍କ ସମ୍ପର୍କରେ ପଢ଼ିଛି କି ଶୁଣିଛି, ସେତେ ଥର ନିରବ ଆକ୍ରୋଶରେ ଲୁହ ଜକେଇ ଆସିଛି ଆଖିରେ! ସୁପ୍ରିମକୋର୍ଟ ଯେତେବେଳେ ଦୃଢ଼ତାର ସହ ବିଲ୍କିସ୍ ଙ୍କ ସପକ୍ଷରେ ଛିଡ଼ା ହୋଇଥିଲେ ଓ ଶେଷ ପର୍ଯ୍ୟନ୍ତ ଦୋଷୀ ମାନଙ୍କ ଦଣ୍ଡାଦେଶ କାୟମ ରଖାଯାଇଥିଲା ସେବେ ତାଙ୍କ ନିକଟରେ ବିଲ୍କିସ୍ କୃତଜ୍ଞତା ଜଣାଇବା ସହ ଆମ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିଥିଲେ। ଆଉ ଆଶା ପ୍ରକଟ କରିଥିଲେ ଯେ, ଏଥର ହୁଏତ ତାଙ୍କୁ ନିଜ ପରିବାର ସହ ବାରମ୍ବାର ଘର ବଦଳାଇବାକୁ ପଡ଼ିବନି (ଯେମିତି ମାମଲାର ତଦନ୍ତ ଓ ବିଚାର ବେଳେ କରିବାକୁ ଡରରେ କରିବାକୁ ପଡୁଥିଲା)। ଏଥର ହୁଏତ ସେ ନିର୍ଭୟରେ ବଞ୍ଚି ପାରିବେ। କାରଣ ତାଙ୍କ ପ୍ରତି ଅପରାଧ ଘଟାଇଥିବା ଅମଣିଷ ମାନେ ତ ସାରା ଜୀବନ ଜେଲରେ ବିତାଇବେ। ତେବେ ଅପରାଧୀ ମାନଙ୍କୁ ମୁକ୍ତ କରି ଦିଆଯିବା ପରେ ବିଲ୍କିସ୍ ଓ ତାଙ୍କ ପରିବାର ପୁଣି ଥରେ ଆତଙ୍କ ଓ ହତାଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଅତି କ୍ଷୋଭର ସହ ତାଙ୍କ ପତି ୟାକୁବ୍ ରସୁଲ୍ କହିଛନ୍ତି, “ଏବେ ଏବେ ହିଁ ତ ଆମେ ଟିକିଏ ସାଧାରଣ ଢଙ୍ଗରେ ଜୀବନ ବଞ୍ଚିବା ଆରମ୍ଭ କରିଥିଲୁ। ହେଲେ ୧୧ ଜଣ ଅପରାଧୀଙ୍କୁ ଏଭଳି ଅଚାନକ ମୁକ୍ତ କରି ଦିଆଯାଇ ନ୍ୟାୟ ସକାଶେ ଦୀର୍ଘ ବର୍ଷର ଆମ ସଂଘର୍ଷକୁ କ୍ଷଣିକ ମଧ୍ୟରେ ମୂଲ୍ୟହୀନ କରି ଦିଆଯାଇଛି।”
ଏ ଭିତରେ ଏଇ ଅନ୍ୟାୟ ନିଷ୍ପତ୍ତିକୁ ନେଇ ଦେଶ ସାରା ଅସନ୍ତୋଷ ବ୍ୟକ୍ତ କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ଉଠିଛି। ଅନେକ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିକଟରେ ବିଲ୍କିସ୍ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ବହୁ ସଂଖ୍ୟକ ପିଟିସନ୍ ଦାୟର କରାଯାଇଛି। ଏପରିକି ଶାସକ ଦଳର ଦୁଇ ଜଣ ସଦସ୍ୟା ମଧ୍ୟ ଏଭଳି ଅମାନୁଷିକ ଅନ୍ୟାୟ ବିରୋଧରେ ସ୍ବର ଉଠାଇଛନ୍ତି। ତେବେ ଯେଉଁ ଗୋଟିଏ ପ୍ରଶ୍ନ ମୋତେ ଓ ମୋ’ ଭଳି ଅନେକଙ୍କୁ ଏବେ ଆନ୍ଦୋଳିତ କରୁଛି ଏପରି ପରିସ୍ଥିତି ଉପୁଜିଲା ହିଁ କାହିଁକି! କାହିଁକି ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ନର ରାକ୍ଷସ ମାନଙ୍କ ପାଇଁ ରହିଛି ଆଇନର ଗଳାବାଟ! ଆଉ ଶେଷରେ ଏଭଳି ସ୍ଥିତିରେ ଆମ ଦେଶରେ କେତେ ସୁରକ୍ଷିତ ଝିଅଟିଏ! ମା’ଟିଏ! ଉଣୀଟିଏ ଅବା ସ୍ତ୍ରୀଟିଏ!!!
ଭୁବନେଶ୍ଵର
Comments are closed.