କଂସ ଉପରେ ଦାମୋଦର
===============
ମଥୁରାରାଟ ଦୁରାଚାରୀ କଂସ ଆଖିରେ ଧୁଳିଦେଇ ଶ୍ରୀକୃଷ୍ଣ ବଳରାମ ଯାଇ ଗୋପ ପୁରରେ ବଢ଼ିଲେ l ଏକଥା କଂସ ଜାଣିପାରିଲା ମାଆ ବିଜୁଳି କନ୍ୟାଙ୍କ ସତର୍କ ବାଣୀରୁ l ହେଲେ ମୁଢ଼ କଂସ, ଜଗଜ୍ଜନୀଙ୍କ ସତର୍କ ବାଣୀକୁ ହୃଦୟଙ୍ଗମକରି ମଧ୍ୟ ପାଳନ କଲା ନାହିଁ l ମନେ ମନେ ସ୍ଥିର କଲା, ଆଚ୍ଛା ! ଗୋପରେ ବଢୁଛି ମୋ ଶତ୍ରୁ l ତେବେ ଯାଉଛି ଗୋପରେ ସବୁ ଶିଶୁଙ୍କୁ ମାରିପକାଇବି l ପୁତନା ନାମରେ ଗୋଟିଏ ରାକ୍ଷସୀକୁ ପଠାଇଲା l ହେଲେ ପ୍ରଭୁ ତାଠାରୁ କ୍ଷୀର ପାନ କରୁ କରୁ ତାର ପଞ୍ଚପ୍ରାଣକୁ ଶୋଷି ନେଲେ l ‘କ୍ଷୀରସଙ୍ଗେ ପ୍ରାଣ ଶୋଷିଲେ ନାଶଗଲା ପୁତନା’ l ଏହିପରି କଂସ କୃଷ୍ଣ ବଳରାମଙ୍କୁ ମାରିଦେବା ପାଇଁ କେତେ କେତେ ରାକ୍ଷସଙ୍କୁ ପଠାଇଲା,ହେଲେ ଦୁଇ ଭାଇ ସେମାନଙ୍କୁ ଗୋଟି ଗୋଟିକରି ମାରିଦେଲେ l ଏବେ, ବିଚିତ୍ର କର୍ମା ପ୍ରଭୁଙ୍କ ବାଳ କେଳି ଓ ଗୋପ ଲୀଳା ଶେଷହେଲା l ଏବେ ପ୍ରଭୁଙ୍କ ଏ ଅବତାରର ଉଦ୍ଦେଶ୍ୟ, କଂସ ସଂହାର ସମୟ ଉପସ୍ଥିତ l ଏବେ ପ୍ରଭୁ ଯିବେ ମଥୁରାକୁ l
ଇଆଡ଼େ କଂସର ସବୁ ଉଦ୍ୟମ ବିଫଳ ହେବାପରେ ସେ ବିଚାରକଲା ଧନୁ ଉତ୍ସବଟିଏ ଆୟୋଜନ କରି ରଙ୍ଗ ସଭାକୁ ଦୁଇଭାଇଙ୍କୁ ଡକାଇ ଆଣି ଏହିଠାରେ ମଲ୍ଲ ମାନଙ୍କ ଦ୍ୱାରା ଦୁହିଁଙ୍କୁ ଦଳି ଚକଟି ମରାଇବି l ଯୋଜନା ଅନୁସାରେ ସମସ୍ତ ଆୟୋଜନ କରି ସେ ମନ୍ତ୍ରୀ ଅକ୍ରୁରଙ୍କୁ ପଠାଇଲା, ଗୋପ ପୁର ଯାଇ ଦୁଇ ଭଣଜାଙ୍କୁ ଘେନି ଆସିବା ପାଇଁ l ଭକ୍ତ ଅକ୍ରୁର ଯାଇ ଗୋପ ପୁରରେ ପହଞ୍ଚିଲେ l କୃଷ୍ଣ ବଳରାମ ମଥୁରା ଯିବେ ବୋଲି ଗୋପ ପୁରୀରେ ଚହଳ ପଡ଼ି ଗଲା l
ଗୋପରେ ଶୁଭିଲା ଘୋଷଣ l
ମଥୁରା ଯିବେ ନାରାୟଣ ll
କଂସର ଆମନ୍ତ୍ରଣ l ଧନୁଯାତ୍ରା ଦେଖିବା ପାଇଁ କୃଷ୍ଣ ବଳରାମ ଅକ୍ରୁରଙ୍କ ସହିତ ଯାଇ ମଥୁରାରେ ପହଞ୍ଚି ଗଲେ l ଅକ୍ରୁର ମଥୁରାରେ ଦୁହିଙ୍କୁ ପହଞ୍ଚାଇ ଦେଇ ଅଝଟକଲା,” ଆଗ ତୁମେ ମୋଘରକୁ ଆସ, ପରେ ଯାଇ ରାଜା ଘରକୁ ଯିବ” l ତାଙ୍କୁ ବହୁ ବୁଝା ସୁଝା କରି “ପରେ ଆସିବୁ” କହି ଦୁଇଭାଇ ମଥୁରା ରାଜ ଦାଣ୍ଡରେ ଆଗେଇ ଚାଲିଲେ ସାୟକପୂଜା ଦେଖିବା ପାଇଁ l ମଥୁରା ଲୋକେ ଗୋପବାଳକ ନନ୍ଦପୁଅଙ୍କ ସବୁ କଥାମାନ ଭାଳି କୁହାକୁହି ହେଉଥାନ୍ତି, ଆରେ ଆଠ ବର୍ଷର ଏ ପିଲାଟା କିଇ ବା ନକରୁଛି ସତେ ! ଦେଖୁଦେଖୁ ଧୋବାଟାକୁ ମାରିପକାଇଲା l କି ଯାଦୁ ଜାଣିଛି, କୁବୁଜା କୁଜିଟାକୁ ଛୁଇଁଦେଲା ଯେ, କୁଜିଟା ଗୋଟିଏ ଦିବ୍ୟ ସୁନ୍ଦରୀ ହୋଇଗଲା l
ଦୁଇ ଭାଇ ଲୋକଙ୍କୁ ଧନୁ ଉତ୍ସବ କେଉଁଠି ହେଉଛି ବୋଲି ପଚାରିଲାରୁ ଲୋକେ ବାଟକଢ଼େଇ ନେଲେ ତାଙ୍କୁ ଧନୁଘରଯାଏ l ଦୁହେଁ ସେଠି ପହଞ୍ଚି ଧନୁଘର ଭିତରେ ପଶୁଥାନ୍ତି, ପ୍ରହରୀ ମାନେ ତାଙ୍କୁ ଅଟକାଇ କହିଲେ, ରାଜାଙ୍କ ଅନୁମତି ନାହିଁ l ତୁମେ ଭିତରକୁ ଯାଇ ପାରିବନାହିଁ l ହସି ଦେଇ ଗୋଟିଏ ଗୋଟିଏ ଚାପୁଡ଼ାରେ ସମସ୍ତଙ୍କୁ ଯମ ପୁରକୁ ପଠାଇ ଦେଲେ ବାଳକ କୃଷ୍ଣ ବଳରାମ l
ଧନୁଘର ଭିତରକୁ ପଶିଯାଇ ଦୁଇ ଭାଇ ଦେଖିଲେ ସଜାହୋଇ ଥୁଆ ହୋଇଛି ଗୋଟିଏ ବିରାଟ ଧନୁ l କୃଷ୍ଣ କୌତୁହଳୀ ହୋଇ ଧନୁଟାକୁ ଉଠାଇ ଟିକିଏ ବଙ୍କେଇ ଦେବାରୁ, ଧନୁଟା ମଡ଼ମଡ଼ ହୋଇ ପ୍ରଚଣ୍ଡ ଶବ୍ଦ କରି ଭାଙ୍ଗି ଗଲା l ଜଗୁଆଳି ମାନେ ଦୋଉଡ଼ି ଆସି ଦୁଇ ଭାଇଙ୍କୁ ଘେରି ଗଲେ l ବଳରାମ ଭଙ୍ଗା ଧନୁ ଦିଖଣ୍ଡ ଧରି, ତାଙ୍କୁ ଏପରି ମାଡ଼ ମାରିଲେ ଯେ କେତେ ଜଣ ସେଇଠି ମରି ଶୋଇଲେ ଏବଂ ଆଉ ମାନେ ସବୁ ପ୍ରାଣ ବିକଳରେ ଯେ ଯୁଆଡ଼େ ପାରେ ଦଉଡ଼ି ପଳାଇଲେ l ଧନୁଟାକୁ ଦୁଇ ବାଳକ ଭାଙ୍ଗି ଦେଲେ, ପୁଣି ଜଗୁଆଳି ମାନଙ୍କୁ ମାରି ପକାଇଲେ, ଏ ସବୁ ଖବର ପହଞ୍ଚିଲା କଂସ ପାଖରେ l କଂସର ନିଦ ହଜିଗଲା l ଯୁଆଡ଼େ ଚାହିଁଲା ଦେଖିଲା କୃଷ୍ଣ l ଏହି ତାର ଦୁର୍ଭାଗ୍ୟ, ପୁଣି ସୌଭାଗ୍ୟ ମଧ୍ୟ l ଅନ୍ତିମ କାଳରେ, କୃଷ୍ଣ ଭାବନାରେ, କଂସର ମୃତ୍ୟୁ ହୋଇ ସେ ପରମ ପଦକୁ ଲଭି ଥିଲା l ଶ୍ରୀମଦ ଭାଗବତ କହିଲେ :-
ଚକ୍ଷୁର ବାଟେ ପ୍ରାଣ ଗଲା l
କୃଷ୍ଣର ଶରୀରେ ପଶିଲା ll
ଧନୁ ଭାଙ୍ଗିସାରି ଶ୍ରୀକୃଷ୍ଣ ବଳରାମ ଫେରି ଆସିଲେ, ମଥୁରାନଗରର ଉପକଣ୍ଠ ଆମ୍ବ ତୋଟାକୁ, ଯେଉଁଠି ଅକ୍ରୁର ଆଣି ତାଙ୍କୁ ପହଞ୍ଚାଇ ଥିଲା l ସେଠିି ପଛରେ ଆସି ପହଞ୍ଚି ଯାଇଥାନ୍ତି, ନନ୍ଦ, ଯଶୋଦା, ରୋହିଣୀ ଏବଂ ଗୋପାଳମାନେ l ସାଙ୍ଗରେ ଆଣିଥାନ୍ତି ଶକଟ ଭରା ଦହି, ଦୁଧ, ଲବଣୀ, ଘୃତ ଆଦି ସମ୍ଭାରମାନ l ରାତି ପାହିଗଲେ ସମସ୍ତେ ମଥୁରାରାଟଙ୍କ ରଙ୍ଗସଭା ଦେଖିବାକୁ ଯିବେ l
କଂସ ସେ ଦିନ ରାତ୍ରିରେ ରାଜ ସଭା ଡକାଇ ମନ୍ତ୍ରୀ ଓ ପାରିଷଦମାନଙ୍କ ସହିତ ମନ୍ତ୍ରଣାକଲା l ସଭାରେ ଉପସ୍ଥିତ ଥାନ୍ତି ଶ୍ୱଶୁର ଜରାସନ୍ଧ ଓ ଶିଶୁପାଳ l ସ୍ଥିର ହେଲା,ରଙ୍ଗସଭା ମଞ୍ଚଉପରେ ଯଶୋଦା, ରୋହିଣୀ ନନ୍ଦ,ଦେବକୀ,ବସୁଦେବ ବସିଥିବେ l ତାଙ୍କରି ଆଖି ଆଗରେ ପୁତ୍ରମାନଙ୍କୁ ମରାଯିବ l ଆମ ବଳୁଆ ଦନ୍ତା ହାତୀ, କୁଵଳୟା, ସେମାନଙ୍କୁ ଦଳି ମକଚି ମାରିବ l ଯଦି ହାତୀ ତାଙ୍କୁ ନ ପାରେ ତେବେ ଚାଣୁର, ମୁଷ୍ଟିକ ଆଦି ମଲ୍ଲମାନେ ପ୍ରସ୍ତୁତହୋଇ ରହିଥିବ ସେମାନଙ୍କ ହାଡ଼ଗୋଡ଼ ଭାଙ୍ଗି ଚୁନା କରିଦେବ l ଉପସ୍ଥିତ ସଭା ସଦ ମାନେ ସମସ୍ତେ ତାଳିମାରି ଉଚ୍ଚ ସ୍ବରରେ କଂସ ରାଜାଙ୍କ ବୁଦ୍ଧିକୁ ପ୍ରଶଂସା କଲେ l
ଏମିତି ଯୋଜନା ଭିତରେ ରାତି ପାହିଲା l ପରଦିନ ରଙ୍ଗ ସଭା ଆରମ୍ଭ ହୋଇଗଲା l କଂସ ଡାକିନେଇ ନନ୍ଦ ଯଶୋଦାଦିଙ୍କୁ ଅତି ଆଦରରେ, ମଞ୍ଚା ଉପରେ ନିଜ ପାଖରେ ବସାଇଲା l ଏହାପରେ ସଭାକୁ ଡକା ହେଲା କୃଷ୍ଣ ଓ ବଳରାମଙ୍କୁ l ଦୁଇ ଭାଇ ଆସୁଥାନ୍ତି ଦ୍ୱାରରେ ତାଙ୍କର ପଥ ଓଗାଳିଲା ଏକ ବିରାଟ ଦନ୍ତା ହାତୀ l ଦନ୍ତା ମାହୁନ୍ତକୁ ଦୁଇ ଭାଇ କହିଲେ, ଆମେ ରାଜାଙ୍କ ଭଣଜା, ଡାକରା ପାଇ ରଙ୍ଗସଭା ଦେଖିବା ପାଇଁ ଆସିଛୁ, ଆମକୁ ବାଟ ଛାଡ଼ି ଦିଅ ଆମେ ଶୀଘ୍ର ସଭାକୁ ଯିବୁ l ମାହୁନ୍ତ ନାଁ କହି ହାତୀକୁ ଯୋରକରି ଅଙ୍କୁଶ କଷି ଦେବାରୁ ଦନ୍ତା କୃଷ୍ଣ ବଳରାମଙ୍କୁ ମାରି ଗୋଡ଼େଇଲା l ଶ୍ରୀକୃଷ୍ଣ ବଳରାମ ମଥୁରା ଦାଣ୍ଡରେ ଦୌଡୁଛନ୍ତି, ତାଙ୍କ ପଛରେ ହାତୀ l ଶେଷରେ କୃଷ୍ଣ ବଳରାମ ହାତୀର ଦାନ୍ତ ଦୁଇଟାକୁ ଉପାଡ଼ି ଦେଲେ l ଦନ୍ତା ଟଳିପଡ଼ିଲା ତା’ ମାହୁନ୍ତ ସହିତ l ଉପାଡ଼ି ଧରି ଥିବା ଦାନ୍ତରେ ମାହୁନ୍ତକୁ ବଳରାମ ଏକ ଶକ୍ତପ୍ରହାର ପିଟିଲେ l ମାହୁନ୍ତ ଏକା ବେଳକେ ଗଲା ଯମପୁର l
ଦୁଇ ଭାଇ ହାତୀ ଦାନ୍ତ ଦୁଇଟାକୁ କାନ୍ଧରେ ପକାଇ ବାହାରିଲେ ରଙ୍ଗସଭା l ସଭାରେ ପହଞ୍ଚି ଦେଖିଲେ ମାମୁଁ କଂସ, ମଞ୍ଚା ଉପରେ ରାଜା ଓ ମିତ୍ରଙ୍କ ସହିତ ବିସିଛି l ପାଖରେ ନନ୍ଦ ଓ ଯଶୋଦା ମଧ୍ୟ ବସିଛନ୍ତି l ମଞ୍ଚାତଳେ, ଦୁଇଟିମଲ୍ଲ ପ୍ରସ୍ତୁତହୋଇ ବସି ରହିଛନ୍ତି ଲଢ଼ିବାପାଇଁ l ତାଙ୍କ ନାଆଁ ଚାଣୁର ଓ ମୁଷ୍ଟିକ l
ଦୁଇମଲ୍ କୃଷ୍ଣବଳରାମଙ୍କ ଆଡ଼େ ଝପଟି ଆସିଲେ l ପହିଜ କରି କହିଲେ, ଆମେ ଶୁଣିଛୁ ତୁମେ ଦୁଇଟା କୁଆଡ଼େ ଭାରି ବଳୁଆ, ଆସ ଆମ ସାଙ୍ଗରେ ଲଢ଼ l ଶ୍ରୀକୃଷ୍ଣ କହିଲେ, ଆମେ ତ ଗଉଡ଼ପିଲା l ବଣରେ ଗୋରୁ ଚରାଉ l ସାଥିମାନଙ୍କ ସହ ଖେଳ କୌତୁକ କରୁ l ଆମର ଏତେ ବଳ କାହିଁ ତୁମ ସହ ଲଢ଼ିବୁ l ହଉ କହୁଛ ଯଦି ଆସ ଦେଖିବା l
ଚାଲିଲା, ଘୋର ମଲ୍ଲ ଯୁଦ୍ଧ l କଂସ ମଞ୍ଚାରେ ଖାଲି କୁରୁଳି ହେଉଥାଏ,ସବୁ ଦେଖଣାହାରୀମାନେ ହାୟ ହାୟ କରୁଥାନ୍ତି l ନନ୍ଦ ଯଶୋଦା ସଭିଏଁ କହୁ ଥାନ୍ତି ଏ ପିଲା ଦୁଇଟାଙ୍କର ଏଥର ନିଶ୍ଚୟ ମରଣହେଲା l ବଳରାମଙ୍କ ମୁଷ୍ଟିକ ଓ କୃଷ୍ଣଙ୍କ ଚାଣୁରସହିତ ପ୍ରବଳ ଲଢ଼େଇ ଚାଲିଥାଏ ଦୁଇମଲ୍ଲ ଲଢ଼ିଲଢ଼ି କ୍ଲାନ୍ତ ହୋଇ ପଡ଼ିଲେ l ମନେ ମନେ ଭାବୁ ଥାନ୍ତି, ଏ ଦୁଇ ଗଉଡ଼ ପିଲାଙ୍କ ହାତରେ ଆମେ ଏଥର ନିଶ୍ଚୟ ମଲୁ l କବି ଭକ୍ତ ଚରଣଙ୍କ ଭାଷାରେ:-
କୃଷ୍ଣ ବଳବୀର୍ଯ୍ୟ ଜାଣି ନିଶାଚର,
ବିଚାରେ ମରଣ ହୋଇଲା ll
ଆଶ୍ଚର୍ଯ୍ୟର କଥା ଭୀଷଣକାୟ ମଲ୍ଲ ଦିଇଟାଙ୍କୁ କୃଷ୍ଣ ବଳରାମ ଏପରି ଗୋଟିଏ କରି ମୁଥ ମାରି ଦେଲେ ଯେ ଦୁହେଁ ମୁହଁ ମାଡ଼ି ପଡ଼ିଲେ l ସବୁ ଶେଷ l କଂସ ଅଥୟ ହୋଇପଡ଼ି ଭାବିଲା,” ମୋ ମୃତ୍ୟୁ ସମୟଟା ଏବେ ନିକଟ ହୋଇ ଗଲା” l
କୃଷ୍ଣବଳରାମ ତା ସିଂହାସନ ଆଡ଼େ ମାଡ଼ିଆସୁଥିବା ଦେଖି ଆଉ ସ୍ଥିର ହୋଇ ବସି ପାରିଲା ନାହିଁ କଂସ l ମନ ଭିତରେ ବିଭିନ୍ନ ଅଶୁଭ ସଂକେତ ମାନ ଦେଖା ଯାଉଥାଏ ତାକୁ l ଗୋଡ଼ତଳୁ ତାର ମାଟି ଖସିଯାଉ ଥାଏ l ଖସି ପଳାଇବା ପାଇଁ ଚେଷ୍ଟା କଲା, କିନ୍ତୁ ଏ କ’ଣ ! ତା ଚାରି ଆଡ଼େ କୃଷ୍ଣ ଯେ ଘେରି ରହିଛନ୍ତି l ଆଉ କୁଆଡ଼େ ଯିବାର ଉପାୟ ନାହିଁ, ଛେଚିହୋଇ ମଞ୍ଚାରୁ ଖସି ପଡ଼ିଲା l ସେଇଠି ସବୁ ଶେଷ l କୃଷ୍ଣ ବଳରାମ ହର୍ଷବିଷାଦ ଭରା କଣ୍ଠରେ କହିଲେ :-
ମଞ୍ଚାରୁ ପଡ଼ି ମାମୁଁ ମଲା l
ଆମକୁ ଦଇବ ରଖିଲା ll
କୃଷ୍ଣବଳରାମ ମାତା ଯଶୋଦା ଦେବକୀ ରୋହିଣୀ ପିତା ବସୁଦେବ, ଅଜା ଉଗ୍ରସେନଙ୍କୁ ଯାଇ ପ୍ରାଣମ କଲେ l ମାଇଁମାନେ କ୍ରନ୍ଦନକରୁଥାନ୍ତି l ତାଙ୍କୁ ଯାଇ କହିଲେ,ଦେଖ ! ରଜାର ଭଣଜା ହୋଇ ମଧ୍ୟ ଆମ କର୍ମକୁ ଦେଖ l ଆମେ କେଉଁଭଳି ଗାଈ ଗୋଠରେ ସାତବର୍ଷ କଟାଇଲୁ l ଏମିତି ବହୁ ମଧୁରକଥା କହି, ମାଇଁ ମାନଙ୍କୁ ବୁଝାଇବାରୁ ସେମାନେ ବୁଝିଗଲେ l
ଏହା ପରେ ଦୁଇଭାଇ ଅଜା ଉଗ୍ରସେନଙ୍କୁ କହିଲେ, ଏଣିକି ଆପଣ ଆମର ରାଜା, ଆମର ତ ଯଯାତିଙ୍କ ଅଭିଶାପରୁ ରାଜାହେବା ଭାଗ୍ୟ ନାହିଁ l ଆମେ ଦୁଇ ନାତି ତମ ପଛେ ପଛେ ରହିବୁ,ମଥୁରାରେ ଏବେଠୁଁ ରାଜୁତି ଚାଲିବ, ଆମ ଅଜା ନାତିଙ୍କର l
କଂସନିଧନରେ ଧରାଭାର ଉଶ୍ୱାସ ହୋଇଛି, ସୁଗନ୍ଧ ବାୟୁ ପ୍ରବାହିତ ହେବାକୁ ଲାଗିଲା l ଅଗ୍ନି ନିର୍ଭୟରେ ଜଳିବାକୁ ଲାଗିଲା l ଦଶଦିଗ ଉଜ୍ଜ୍ବଳ ଦେଖାଗଲା l ଆକାଶରୁ ଶୁଭଦୁନ୍ଦୁଭି ନାଦ ସହ ପୁଷ୍ପ ବୃଷ୍ଟି ହେଲା l ସ୍ୱର୍ଗ ଅପ୍ସରାଗଣ ନୃତ୍ୟର ତାଳେତାଳେ, ଜୟ ଜୟ କରିବାକୁ ଲାଗିଲେ l ଶ୍ରୀମଦ୍ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ କଲମ କଲେ :-
କଂସ ଉପରେ ଦାମୋଦର l
ମେଦିନୀ ଦିଶଇ ସୁନ୍ଦର ll
!!! ଓଁ ଗୋବିନ୍ଦାୟ ନମଃ !!!
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.