ସିନ୍ଦୁର ବୋଳା ହନୁମାନ
=============
ପ୍ରଭୁ ଶ୍ରୀରାମ ଲଙ୍କାରୁ ମାତା ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଆସିଲେ l ଅଯୋଧ୍ୟା ସିଂହାସନରେ ତାଙ୍କର ଅଭିଷେକ ହୋଇଗଲା l ସାଙ୍ଗରେ ଲଙ୍କାରୁ ଆସିଥିବା ଭାଲୁ ବାନରମାନେ ନାନା ଉପହାର ଧରି ସ୍ୱ ସ୍ୱ ଦେଶକୁ ପ୍ରତ୍ତ୍ୟାବର୍ତ୍ତନ କଲେ l କିନ୍ତୁ ହନୁମାନ କହିଲେ ମୁଁ ମୋ ପ୍ରଭୁଙ୍କୁ ଛାଡ଼ି କୁଆଡ଼େ ଯିବି ନାହିଁ l ଏଇଠି ରହି ମୁଁ ପ୍ରଭୁଙ୍କ ସେବା କରିବି l
ଦିନେ ହନୁମାନ ସକାଳୁ ସକାଳୁ ଉଠି ମା’ ସୀତାଙ୍କ ଭବନରେ ପହଞ୍ଚି ଅଳି କଲେ, ମାଆ ମୋତେ ଭାରି ଭୋକ ହେଲାଣି l ଖାଇବାକୁ ଦିଅ l ସେତେବେଳେ ସୀତା ସରଯୁକୁ ସ୍ନାନ କରିବା ପାଇଁ ବାହାରି ଥାନ୍ତି l ମାଆ କହିଲେ, ହଉ ! ତୁ ଟିକିଏ ଅପେକ୍ଷା କର ମୁଁ ସ୍ନାନ କରି ଆସିଲେ ତୋତେ ସୁମିଷ୍ଟ ପାଚିଲା ଫଳ, ଲଡ଼ୁ ଆଦି ଖାଇବାପାଇଁ ଦେବି l ହନୁମାନ କହିଲେ, ନାଁ ନାଁ ମାଆ, ସେକଥା ହେବନାହିଁ l ମୋତେ ଆଗ ଖାଇବାକୁ ଦିଅ ତାପରେ ଯାହା କାମ କରିବା କଥା କରିବ l ମାଆ ହସିଦେଇ ହନୁମାନଙ୍କ ମୁଣ୍ଡ ଆଉଁଶି ଦେଇ କହିଲେ, ଦୂର୍ ପାଗଳା, ତୁ ଏଇଠି ବସି ଥା l ମୁଁ ଚଟକରି ଗାଧୋଇ ଆସୁଛି l ତୋତେ ବଡ଼ ବଡ଼ ଲଡ଼ୁ ଖାଇବାକୁ ଦେବି l
ଲଡ଼ୁଖାଇବେ ବୋଲି ଆନନ୍ଦରେ ହନୁମାନ ସେଇଠି ବସି ରହିଲେ l ଅଳ୍ପସମୟ ପରେ ମାଆ ସ୍ନାନସାରି ଫେରି ଆସିଲେ l ହନୁମାନ ବାଟ ଓଗାଳି କହିଲେ, ମାଆ ! ଭାରି ଭୋକ ହେଲାଣି, ଶୀଘ୍ର ମୋତେ ଲଡୁ ଦିଅ l ସୀତା କହିଲେ, ଆଉ ଟିକିଏସମୟ ରହିଯା l ମୁଁ ସିନ୍ଦୁର ଟୋପାଟିଏ ମଥାରେ ପିନ୍ଧିନେଇ ତୋତେ ଲଡ଼ୁ ଦେଉଛି l ହନୁମାନଙ୍କ ଆଉ ଅପେକ୍ଷା କରିବା ପାଇଁ ଧୈର୍ଯ୍ୟ ନଥିଲା l ସେ ଅବୁଝାହୋଇ ମାଆଙ୍କ ପଛେପଛେ ଚାଲିଲେ l ସୀତା ଭିତରେ ପହଞ୍ଚିଲେ l ଦାସୀ ଜଣେ, ମାଆଙ୍କୁ ସିନ୍ଦୁର ଫରୁଆଟିଏ ବଢ଼ାଇ ଦେଲା l ସେଥିରୁ ମାଆ ସିନ୍ଦୁରବିନ୍ଦୁଟିଏ ନେଇ ନିଜ କପାଳରେ ଲଗାଇଲେ ଓ ତାପରେ ସେ ଲଡ଼ୁ ଆଣି ହନୁମାନଙ୍କୁ ଦେଲେ l
ହନୁମାନ ଆଉ ଲଡ଼ୁଖାଇବେ କ’ଣ ! ସେ ଭିତରକୁ ଚାହିଁ ଦେଖିଲେ ମାତା ଶ୍ରୁତକିର୍ତ୍ତୀ, ଉର୍ମିଳା, ମାଣ୍ଡବୀ ଆଦି ସମସ୍ତଙ୍କ ମଥାରେ ସିନ୍ଦୁର ଟୋପା l ସେ କିଛି ବୁଝି ନପାରି ଆଁ କରି ଚାହିଁ ରହିଥାନ୍ତି l କିଛି ସମୟ ପରେ ସୀତା ଆସି ଦେଖନ୍ତି ହନୁମାନ ଲଡ଼ୁ ନଖାଇ ସେଇମିତି ବସିଛି l ମାଆ କହିଲେ, କିରେ ତୋତେ ପରା ଭୋକ ଲାଗୁଥିଲା l ଲଡ଼ୁ ନଖାଇ ଏପରି ବସି ରହିଛୁ କଅଣ l ହନୁ ହାତଯୋଡ଼ି କହିଲେ, ମାଆ ! ଗୋଟିଏ କଥା ମୋ ମୁଣ୍ଡରେ ପଶୁନାହିଁ l ସ୍ନାନସାରି ମାଆମାନେ ମଥାରେ କାହିଁକି ସିନ୍ଦୁର ଲଗାଉଛନ୍ତି l ଆପଣ ବି ସିନ୍ଦୁର ପିନ୍ଧିସାରି ମୋତେ ଲଡ଼ୁଦେଲେ l ମୋତେ ବୁଝାଇ ଦିଅନ୍ତୁ ଏହାର ରହସ୍ୟ l ହସି ହସି
ମାଆ ସୀତା କହିଲେ,ନାରୀମାନେ ସ୍ୱାମୀର ମଙ୍ଗଳ ପାଇଁ ମଥାରେ ସିନ୍ଦୁର ଘେନନ୍ତି l ମୋ ମଥାରେ ଏହି ସିନ୍ଦୁର ତୋ ପ୍ରଭୁଙ୍କ ମଙ୍ଗଳ ପାଇଁ l
ହନୁମାନଙ୍କ ମନକୁ କଥାଟି ପାଇଲା l ସେ ଭାବିଲେ ପ୍ରଭୁଙ୍କ ମଙ୍ଗଳ ପାଇଁ ଏ ସିନ୍ଦୁର ଟିପା l କିନ୍ତୁ ଟିକିଏ ସିନ୍ଦୁରରେ କି ମଙ୍ଗଳ ହେବ !! ଏପରି ବିଚାର କରି ସେ ଚାଲିଲେ ବଜାରଆଡ଼କୁ l ସେ ଗୋଟିଏ ତେଲ ଦୋକାନ ପାଖରେ ପହଞ୍ଚି ଗୋଟିଏ କଳସୀ ତେଲ କିଣି ନିଜ ଉପରେ ଢାଳି ହୋଇପଡ଼ିଲେ l ପୁଣି ସେ ଗୋଟିଏ ପୂଜା ଦୋକାନ ନିକଟରେ ପହଞ୍ଚି ବସ୍ତାଏ ସିନ୍ଦୁର କିଣି ନିଜ ଦେହରେ ବୋଳିହୋଇ ପଡ଼ିଲେ l ତାଙ୍କ ସମ୍ପୂର୍ଣ୍ଣ ଶରୀରଟା ଲାଲ ହୋଇ ଗଲା l ସେହି ବେଶରେ ସେ ଚାଲିଲେ ଅଯୋଧ୍ୟାପ୍ରାସାଦ ଆଡ଼କୁ l ତାଙ୍କୁ ଦେଖି ଲୋକମାନେ ହସୁ ଥାନ୍ତି l ସେ କାହାକୁ କିଛି ନକହି ଯାଇ ରାଜସଭାରେ ପହଞ୍ଚିଗଲେ l
ସିଂହାସନରେ ଶ୍ରୀରାମ ଓ ମା’ ଜାନକୀ ବସିଥାନ୍ତି l ହନୁମାନଙ୍କର ଏପରି ବିଚିତ୍ର ବେଶ ଦେଖି ଉପସ୍ଥିତ ସମସ୍ତ ସଭାସଦ ହସି ଉଠିଲେ l ହନୁମାନ କାହାକୁ ନଚାହିଁ ପ୍ରଭୁଙ୍କ ପାଖକୁ ଯାଇ ମୁଣ୍ଡିଆଟିଏ ମାରିଲେ l ପ୍ରଭୁ ଅତି ସ୍ନେହରେ ପଚାରିଲେ,ହନୁ ! ଆଜି ତୁମର ଏ ବିଚିତ୍ର ବେଶ କେଉଁଥିପାଇଁ l ପ୍ରଭୁଭକ୍ତ ହନୁମାନ ହାତଯୋଡ଼ି କହିଲେ,ପ୍ରଭୁ ! ଆପଣଙ୍କ ମଙ୍ଗଳପାଇଁ ମାଆ ମଥାରେ ସିନ୍ଦୁର ଲଗୋଉଛନ୍ତି l ଆପଣଙ୍କର କିପରି ବେଶି ମଙ୍ଗଳ ହେବ ସେକଥା ଚିନ୍ତାକରି ମୁଁ ସାରା ଦେହରେ ସିନ୍ଦୁର ବୋଳିହୋଇ ପଡ଼ିଛି l
ପ୍ରଭୁ ଅତି ପ୍ରେମରେ ହନୁମାନଙ୍କୁ ଛାତିରେ ଲଗାଇ ଧରି କହିଲେ, ଧନ୍ୟ ଧନ୍ୟ ତୁମେ ହନୁମାନ l ଧନ୍ୟ ତୁମର ପ୍ରଭୁ ଭକ୍ତି l ଏ ସଂସାରରେ ତୁମ ପରି ଭକ୍ତ ମୋର ଆଉ କେହି ନାହିଁ l ସେହି ଦିନରୁ ହନୁମାନ ସିନ୍ଦୁର ବୋଳା ହୋଇ ସଙ୍କଟ ହରଣ, ମଙ୍ଗଳମୂର୍ତ୍ତି ଭାବେ ପୂଜାପାଉଛନ୍ତି l ଏହି ହେଇଛନ୍ତି ଗୋସ୍ବାମୀ ତୁଳସୀ ଦାସଙ୍କ ବର୍ଣ୍ଣନାରେ :-
କଂଚନ ବରନ ବିରାଜ ସୁବେସା l
କାନନ କୁଂଡଲ କୁଂଚିତ କେସା ll
!!! ଜୟ ବଜରଙ୍ଗ ବାଲି !!!
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.