୩ ଘଣ୍ଟା ଧରି ହୃଦ୍‌କ୍ରିୟା ବନ୍ଦ ହୋଇଯାଇଥିବା ୨୦ ମାସିଆ ପିଲାର ଜୀବନ ବଞ୍ଚାଇଲେ ଡାକ୍ତରଖାନା କର୍ମଚାରୀ

ନୂଆଦିଲ୍ଲୀ: ୩ ଘଣ୍ଟା କାଳ ହୃଦ୍‌କ୍ରିୟା ବନ୍ଦ ହୋଇଯାଇଥିବା ଏକ  ୨୦ ମାସିଆ ପିଲାକୁ ଦଳେ ଡାକ୍ତରଖାନା କର୍ମଚାରୀଙ୍କ ଉଦ୍ୟମ ବଞ୍ଚାଇ ଦେଇଥିବା କଥା ‘ସିବିସି ନିଉଜ୍’ ରିପୋର୍ଟ କରିଛି।

ସଂଗୃହୀତ ସୂଚନା ଅନୁସାରେ, ଜାନୁଆରି ୨୪ ତାରିଖ ଦିନ କାନଡାର ଦକ୍ଷିଣପଶ୍ଚିମ ଅଣ୍ଟାରିଓ ଅନ୍ତର୍ଗତ ପିଟ୍ରୋଲିଆସ୍ଥିତ ‘ହୋମ୍‌ ଡେ’କେୟାର୍‌’ରେ ବାହାରେ ଥିବା ଗୋଟାଏ ଛୋଟ ଜଳାଶୟରେ ୱେଲନ୍‌ ସଣ୍ଡର୍ସ ନାମରେ ଜଣେ ୨୦ ମାସର ବାଳକ ପଡ଼ିଯାଇଥିଲା। ପ୍ରାୟ ୫ ମିନିଟ ପରେ ହେମାଳ ଓ ନିର୍ଜୀବ ୱେଲନ୍‌କୁ ଦମକଳ ବାହିନୀ କର୍ମଚାରୀମାନେ ‘ସାର୍ଲୋଟ୍‌ ଏଲିନର୍‌ ଏଞ୍ଜେଲ୍‌ହାର୍ଟ ହସ୍ପିଟାଲ୍‌’କୁ ନେଇଥିଲେ। କିନ୍ତୁ, ଡାକ୍ତର ଓ ଡାକ୍ତରଖାନା କର୍ମଚାରୀମାନଙ୍କର ନିଷ୍ଠାପର ଉଦ୍ୟମ ଫଳରେ ପିଲାଟି ବଞ୍ଚିଗଲା।

‘ସିବିସି ନିଉଜ୍‌’  ରିପୋର୍ଟ ଅନୁସାରେ, ପିଟ୍ରୋଲିଆ ହେଉଛି ଲଣ୍ଡନ୍‌ରୁ ୧୦୦ କିଲୋମିଟର୍‌ ଦୂର ଏବଂ ସେଠାକାର ଉକ୍ତ ଡାକ୍ତରଖାନାରେ ପିଲାଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ସମ୍ବଳ ଓ ବିଶେଷଜ୍ଞ ନ ଥିଲେ। କିନ୍ତୁ, ଲ୍ୟାବ୍‌ କର୍ମଚାରୀ ଓ ନର୍ସମାନେ ଡାକ୍ତରଖାନାର ସବୁ କାମ ଛାଡ଼ି ୱେଲନ୍‌ଙ୍କୁ ବଞ୍ଚାଇବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ସେମାନେ ୩ ଘଣ୍ଟା ଧରି ପ୍ରତି ମୁହୂର୍ତ୍ତରେ ପିଲାଟିକୁ ‘ସିପିଆର୍‌’ ଦେଇଥିଲେ।

‘ଲଣ୍ଡନ୍‌ ହେଲ୍‌ଥ୍‌ ସାଇନ୍‌ସେସ୍‌ ସେଣ୍ଟର୍‌’ କହିବା ଅନୁସାରେ, ୱେଲନ୍‌ ଆସୁଥିବା କଥା ଜାଣିବା ପରେ ଡାକ୍ତରଖାନାର କର୍ମଚାରୀମାନେ ସାହାଯ୍ୟ କରିବାକୁ ଆଗଭର ଯାଇଥିଲେ।

ଡାକ୍ତର ଟେଲର୍‌ ବୁଝାଇ କହିଛନ୍ତି, ବାସ୍ତବିକ୍‌ ଏହା ହେଉଛି ଦଳଗତ ଉଦ୍ୟମ। କୋଠରିର ଗୋଟିଏ ସ୍ଥାନରେ ଲ୍ୟାବ୍‌ ଟେକ୍‌ମାନେ ଛୋଟ ଛୋଟ ହିଟର୍‌ ଧରି ଠିଆ ହୋଇଥିଲେ। ‘ଇଏମ୍‌ଏସ୍‌’ କର୍ମଚାରୀମାନେ କଂମ୍ପ୍ରେସର୍‌ ଚଳାଇ ୱେଲନ୍‌ର ନିଶ୍ବାସପ୍ରଶ୍ବାସ ମାର୍ଗ ଠିକ୍‌ ରଖିଥିଲେ। ସେହିପରି, ନର୍ସମାନେ ମାଇକ୍ରୋୱେଭ୍‌ରେ ପାଣି ଗରମ କରିବାରେ ଲାଗି ପଡ଼ିଥିଲେ। ଏବଂ ଏଥି ସହିତ ଆମେ ସମସ୍ତେ ଲଣ୍ଡନ୍‌ରେ ଥିବା ଟିମ୍‌ ସହିତ ଅନ୍‌ଲାଇନ୍‌ରେ ସହାୟତା ପାଉଥିଲୁ।

‘ସିପିଆର୍‌’ ପାଇବା ପରେ ବନ୍ଦ ହୋଇଯାଇଥିବା ୱେଲନ୍‌ଙ୍କ ହୃତ୍‌ପିଣ୍ଡ କାର୍ଯ୍ୟକ୍ଷମ ହୋଇଥିଲା। ସୁସ୍ଥ ହେବା ପରେ ଫେବ୍ରୁଆରି ୬ ତାରିଖରେ ଡାକ୍ତରଖାନାରୁ ବିଦା ହୋଇଥିଲା। ଏବେ ଦୁଇ ସପ୍ତାହ ହେବ ଘରେ ରହି ୱେଲନ୍‌ କ୍ରମଶଃ ଅଧିକ ସୁସ୍ଥ ହେଉଛି।

Comments are closed.