ମୃତ୍ୟୁଞ୍ଜୟୀ ନଚିକେତା

ଅର୍ଜୁନୀ ଚରଣ ବେହେରା

କଠୋପନିଷଦର ଏହି କାହାଣୀ l ପୂର୍ବ କାଳରେ ଉଦ୍ଦାଳକ ନାମକ ଜଣେ ପୁରାଣ ପ୍ରସିଦ୍ଧ ତପସ୍ୱୀ ଥିଲେ l ତାଙ୍କର ସନ୍ତାନ ହେଲେ ଋଷି ବାଜଶ୍ରବା l ବାଜଶ୍ରବାଙ୍କ ପୁତ୍ର ନଚିକେତା l ଏକଦା ସ୍ୱର୍ଗଲାଭ ଆଶାରେ, ବାଜଶ୍ରବା ଏକ ବିଶ୍ୱଜିତ ଯଜ୍ଞ କଲେ l ଯଜ୍ଞରେ, ବାଜଶ୍ରବା ସମସ୍ତ ଧନସମ୍ପଦ ଦାନ କରି ଦେଲେ l କିଶୋର ନଚିକେତା ପିତାଙ୍କ ଯଜ୍ଞକର୍ମ ଓ ଦାନ ଦେବା ଦେଖୁଥିଲେ l
ନଚିକେତା ନିରୀକ୍ଷଣ କରି ଦେଖିଲେ ତାଙ୍କ ପିତା ବ୍ରାହ୍ମଣ ମାନଙ୍କୁ ଧେନୁ ମଧ୍ୟ ଦାନ କରୁଛନ୍ତି l କିନ୍ତୁ ଗାଭୀ ଗୁଡ଼ିକ ଚମ ଧୁଡୁ ଧୁଡୁ ବୃଦ୍ଧା,ତାଙ୍କର କ୍ଷୀର ଦେବା ଶକ୍ତି ଆଉ ନାହିଁ l ନଚିକେତାଙ୍କ ମନ ଖୁବ ଦୁଃଖ ହେଲା l ସେ ଭାବିଲେ, ଏଭଳି ଧେନୁ ଦାନ ଦେଇ କି ଲାଭ ! ଏଭଳି ଦାନର ଫଳ ତ କେବଳ ଦୁଃଖହିଁ ଦୁଃଖ l ବାଳକ ନଚିକେତା ଯାଇ ପିତାଙ୍କୁ କହିଲେ,ବିଶ୍ୱଜିତ ଯଜ୍ଞର ନିୟମାନୁଯାୟୀ ଆପଣ ନିଜର ସମସ୍ତଧନ ଦାନକରୁଛନ୍ତି କୁହନ୍ତୁ, ମୋତେ ଆପଣ କାହାକୁ ଦାନ ଦେବେ l ପୁଅର କଥା ଶୁଣି ବାଜଶ୍ରବା ଚୁପ ରହିଲେ l ନଚିକେତା ଦ୍ୱିତୀୟ ଓ ତୃତୀୟ ଥର ସେହିକଥା ପଚାରିବାରୁ ସେ ବିରକ୍ତ ହୋଇ କହିଲେ, ତୋତେ ମୃତ୍ୟୁ ଦେବତା ଯମଙ୍କୁ ମୁଁ ଦାନ କରିବି l ନଚିକେତା ଭାବିଲେ ପିତାଙ୍କର ଯେତେଜଣ ପୁତ୍ର ଶିଷ୍ୟ ଅଛନ୍ତି ମୁଁ ତ ସେମାନଙ୍କ ମଧ୍ୟରେ ଏଡ଼େ ଅଧମ ନୁହେଁ !! ମୋତେ କେଉଁଥି ପାଇଁ ତେବେ ପିତା ଯମଙ୍କୁ ଦାନ ଦେବେ ବୋଲି କହୁଛନ୍ତି l ହଉ, ଠିକ ଅଛି l ସେ ଯେତେବେଳେ ମୋତେ ଯମଙ୍କୁ ଦାନଦେବାକୁ ଚାହୁଁଛନ୍ତି, ନିଶ୍ଚୟ ମୁଁ ଯମାଳୟକୁ ଯିବି l ପର ମୁହୂର୍ତ୍ତରେ ବାଜଶ୍ରବା ପୁତ୍ରକୁ ଏହା କହିଥିବାରୁ ବହୁ ଅନୁତପ୍ତ ହେଲେ l କିନ୍ତୁ ନଚିକେତା ତାଙ୍କୁ କହିଲେ, ଆପଣ ମୋତେ ଦାନ ଦେଇସାରି ଆଉ ଅନୁଶୋଚନା କରି ସତ୍ୟ ଭଗ୍ନ ହୁଅନ୍ତୁ ନାହିଁ l ଆପଣଙ୍କ ସତ୍ୟରକ୍ଷା କରି ମୁଁ ଏହି କ୍ଷଣି ଜମାଳୟକୁ ଯାତ୍ରା କରୁଛି l ଏହା କହି ସେ ଆଉ କାଳବିଳମ୍ବ ନକରି ଶମନପୁରକୁ ଯାତ୍ରା କରି ସେଠାରେ ପହଞ୍ଚିଲେ l
ଯମ ପୁରରେ ସେତେବେଳେ ଯମ କୁଆଡ଼େ ଯାଇ ଥାନ୍ତି l ନଚିକେତାକୁ ସେଠାରେ ଦ୍ୱାରପାଳ ମାନେ ଭିତରକୁ ପ୍ରବେଶ କରାଇ ଦେଲେ ନାହିଁ l ବାଳକ ଯମ ଦ୍ୱାରରେ ତିନିଦିନ ତିନିରାତି ନଖାଇ ନପିଇ ତାଙ୍କୁ ଅପେକ୍ଷା କରି, ବସି ରହିଲେ l ଯମ ଫେରି ଆସିଲାରୁ ତାଙ୍କୁ ଭୃତ୍ୟମାନେ ଜଣେ ବ୍ରାହ୍ମଣ ଦ୍ୱାର ଦେଶରେ ତିନିଦିନ ଧରି ଦର୍ଶନପାଇଁ ବସିରହିଛନ୍ତି ବୋଲି କହିଲେ l ଭୃତ୍ୟ ମାନଙ୍କ ଠାରୁ ଏହା ଶୁଣି ଯମ ଯାଇ ନଚିକେତା ନିକଟରେ ପହଞ୍ଚି କହିଲେ “ବ୍ରାହ୍ମଣ ଦେବତା ! ମୋ ଅପରାଧ କ୍ଷମା କରନ୍ତୁ l ଆପଣ ତିନିଦିନଧରି ମୋତେ ଅପେକ୍ଷା କରିଛନ୍ତି, ଏହା ମୋତେ ବହୁତ କଷ୍ଟ ଦେଇଛି l ଏଣୁ ଆପଣ ମୋତେ ତିନୋଟି ବର ମାଗନ୍ତୁ l ମୁଁ ସତ୍ୟ କରୁଛି ଏହା ନିଶ୍ଚିନ୍ତ ପୁରଣ କରିବି” l
ନଚିକେତା କହିଲେ, ହେ ଜନ୍ତୁପତି ! ଆପଣ ଯଦି ମୋ ଉପରେ ପ୍ରସନ୍ନ,ତେବେ ପ୍ରଥମ ବର ଦିଅନ୍ତୁ, ମୁଁ ଏଠାରୁ ଫେରି ଗଲେ ମୋ ପିତା ମୋତେ ଚିହ୍ନି ପାରି, ପୁତ୍ର ବୋଲି ସମ୍ଭାଷଣ କରନ୍ତୁ l ମୁଁ ଏଠାକୁ ଆସିଛି ବୋଲି, ତାଙ୍କ ମନରେ କୌଣସି ଦୁଃଖ ନ ରହୁ l ଯମ କହିଲେ,”ତଥାସ୍ତୁ” l
ଦ୍ୱିତୀୟ ବର ପ୍ରାର୍ଥନାକରି ଜନ୍ତୁପତିଙ୍କୁ ନଚିକେତା କହିଲେ, ଆପଣ ମୋତେ ପବିତ୍ର ପାବକ, ଅଗ୍ନିର ତତ୍ତ୍ୱ ବୁଝାଇଦିଅନ୍ତୁ ଏବଂ ଯଜ୍ଞାଦି କର୍ମରେ ଏହାର ଉପଯୋଗିତା ବିଷୟ ସବିଶେଷେ ବୁଝାଇଦିଅନ୍ତୁ l ଯମ ବୁଝି ପାରିଲେ, ଏହି ବାଳକ ଜଣେ ସାମାନ୍ୟ ବାଳକ ନୁହଁନ୍ତି l ସେ ତାଙ୍କୁ ଅଗ୍ନି ଓ ଯଜ୍ଞର ସମସ୍ତ ତତ୍ତ୍ୱ ବୁଝାଇଦେଇ କହିଲେ,”ହେ ଜ୍ଞାନୀ ବାଳକ ! ଆଜିଠାରୁ ତୁମ ନାମାନୁସାରେ ବ୍ରହ୍ମ ବୈଶ୍ୱାନରର ନାମ ନଚିକେତା ଅଗ୍ନି ବୋଲାଇବ “l
ତୃତୀୟ ବରରେ ନଚିକେତା କହିଲେ,ଯମରାଜ ! ସମସ୍ତେ କୁହନ୍ତି, ମୃତ୍ୟୁ ପରେ ପ୍ରାଣୀ ପର ଲୋକ ପ୍ରାପ୍ତହୁଏ l ମୋତେ ବୁଝାଇ ଦିଅନ୍ତୁ, ମୃତ୍ୟୁ ପରେ କ’ଣ ଆଉ କୌଣସି ଜୀବନ ଅଛି କି? ଯମରାଜ କହିଲେ, ବାଳକ ! ତୁମେ ଏ ଜନ୍ମ-ମୃତ୍ୟୁ ରହସ୍ୟ ଛଡ଼ା ମୋତେ ଅନ୍ୟ ଯାହା ପଚାରୁଛ ପଚାର, ଏ ରହସ୍ୟକୁ ଦେବତା ମାନେ ମଧ୍ୟ ଭେଦ କରିପାରି ନାହାଁନ୍ତି l କିନ୍ତୁ ନଚିକେତା ଜିଦ ଧରି ବସିଲେ, ମୁଁ କେବଳ ଏହି ରହସ୍ୟ ଜାଣିବାକୁ ଚାହେଁ l ଆପଣ ସତ୍ୟ ବଦ୍ଧ, ତେଣୁ ଏହା ମୋତେ ଆପଣ ବୁଝାଇ ଦିଅନ୍ତୁ l ଯମ କହିଲେ, ତୁମକୁ ସଂସାରର ସମସ୍ତ ଭୋଗ୍ୟ ବସ୍ତୁ ମୁଁ ପ୍ରଦାନ କରିବି l ତୁମକୁ ଚିରାୟୁ ପ୍ରଦାନ କରିବି,ତୁମର ଏ ଜିଜ୍ଞାସା ପରିହାରକର l ନଛୋଡ଼ବନ୍ଧା ନଚିକେତା କହିଲେ ଜଗତର ସବୁ ବସ୍ତୁ ନାଶବାନ, ଆଜିକୁ ଅଛି କାଲିକୁ ନାହିଁ l ପୁଣି ଚିରାୟୁ ଯାଚୁଛନ୍ତି l ମାତ୍ର ବ୍ରହ୍ମାଙ୍କର ଆୟୁ ହେଲେ ମଧ୍ୟ ଦିନେ ତାହା ଶେଷ ହୋଇଥାଏ l ଏ ସବୁରେ ମୋର ପ୍ରୟୋଜନ ନାହିଁ l ଆପଣ ଜନ୍ମମୃତ୍ୟୁ ତତ୍ତ୍ୱ ମୋତେ ଜଣାଇ ଦିଅନ୍ତୁ l ମରଣପରେ ଆତ୍ମାର କି ଗତି ହୁଏ? ଏହା ମର୍ତ୍ତ୍ୟରେ ଲୟ ହୁଏ, ନାଁ ଅନ୍ୟ ଲୋକକୁ ଯାଏ? ମୋ ମନର ଏହି ସଂଶୟକୁ ଦୂର କରନ୍ତୁ l ଯମଙ୍କପକ୍ଷରେ ନଚିକେତାକୁ ପରିବର୍ତ୍ତନ କରିବା ଆଉ ସମ୍ଭବ ହେଲାନାହିଁ l ସର୍ବ ଶେଷରେ ଜନ୍ତୁପତି ନଚିକେତାକୁ ଜନ୍ମମୃତ୍ୟୁର ଗୁଢ଼ ରହସ୍ୟ କହିବାକୁ ବାଧ୍ୟ ହେଲେ l
ଯମରାଜ କହିଲେ :-
• ଆତ୍ମା ଅମର l ଏହାର ଜନ୍ମନାହିଁ କି ମୃତ୍ୟୁ ମଧ୍ୟ ନାହିଁ l ଏହାର ଉତ୍ପତ୍ତି କାହା ମଧ୍ୟରୁ ହୁଏ ନାହିଁ କି ଏହାର ବିଲୟ କାହା ମଧ୍ୟରେ ହୁଏନାହିଁ l ଶରୀର ନଷ୍ଟ ହେଲେ ମଧ୍ୟ ଏହା ନାଶ ହୁଏ ନାହିଁ l କ୍ଷୁଦ୍ରରୁ କ୍ଷୁଦ୍ରତର ବୃହତରୁ ଵୃହତ୍ତର ଆତ୍ମା ସମସ୍ତ ଜୀବନ୍ତ ବସ୍ତୁ ମଧ୍ୟରେ ବାସ କରେ l ଆତ୍ମା କୌଣସି ଶାସ୍ତ୍ର ଜ୍ଞାନରେ ଜ୍ଞାତହୁଏନାହିଁ l ଶରୀର ଇନ୍ଦ୍ରିୟ ଆୟତ୍ତ ମାତ୍ର ଏହାମଧ୍ୟରେ ବସିଥିବା ଆତ୍ମା ଇନ୍ଦ୍ରିୟାତିତ l ସମସ୍ତ ଜ୍ଞାନୀମାନଙ୍କର ପ୍ରୟାସ ରହିଥାଏ ଆତ୍ମାର ସ୍ୱରୂପକୁ ଜାଣିବା ପାଇଁ l
• ଏ ଶରୀର ଗୋଟିଏ ରଥ,ବୁଦ୍ଧି ଏହାର ଚାଳକ, ଇନ୍ଦ୍ରିୟ ମାନେ ଏହାର ଘୋଡ଼ା ଓ ବିବେକ ଏହାର ଲଗାମ l ଆତ୍ମା ଏହି ଶରୀର ରୂପୀ ରଥର ମୁନିବ ଓ ଏହା ଶରୀର କିମ୍ବା ଇନ୍ଦ୍ରିୟଙ୍କ ଦ୍ୱାରା ପ୍ରଭାବିତ ହୋଇ ନଥାଏ l
• ପରମ ପୁରୁଷ, ପରମାତ୍ମା ହେଉଛନ୍ତି ସର୍ବାତ୍ମା l ସଂସାରର ବୀଜ ହେଉଛନ୍ତି, ପରମାତ୍ମା l ପରମ ପୁରୁଷ ସେହି ପରମାତ୍ମାଙ୍କ ଉପରେ ସଂସାରରେ ଆଉ କେହି ନାହିଁ l ଥରେ ପରମାତ୍ମାଙ୍କ ଅନୁଭୂତି ଆସିଲେ, ପ୍ରାଣୀର ମୃତ୍ୟୁଭୟ ଦୂର ହୋଇ ଯାଏ ଓ ସେ ହୁଏ ମୃତ୍ୟୁଞ୍ଜୟୀ l
• ଆତ୍ମାନୁଭୂତି ଓ ବ୍ରହ୍ମ ଉପଲବ୍ଧିର ପଥ ସୁଦୀର୍ଘ ଓ ବହୁ କଠିନ l କଠୋର ସାଧନାଦ୍ୱାରା ଏହାକୁ ଆୟତ୍ତ କରି ହୋଇଥାଏ l ଥରେ ଏହା ପ୍ରାଣୀର ଚେତନାକୁ ଆସି ଗଲେ ପ୍ରାଣୀ ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତ ହୋଇ ମୋକ୍ଷ ପ୍ରାପ୍ତ ହୋଇଥାଏ l
ଯମଙ୍କ ଠାରୁ ବ୍ରହ୍ମତତ୍ତ୍ୱ ପ୍ରାପ୍ତ ହୋଇ ମୃତ୍ୟୁଞ୍ଜୟୀ ବାଳକ ନଚିକେତା ବାଜଶ୍ରବାଙ୍କ ନିକଟକୁ ଫେରି ଆସିଲେ l ପିତା ବାଜଶ୍ରବା ପୁତ୍ରକୁ ଫେରି ପାଇ ଅତି ହର୍ଷରେ କୋଳାଗ୍ରତ କଲେ l
ନଚିକେତାଙ୍କ ଦୃଢ଼ ମନୋବଳକୁ ଲକ୍ଷ କରି ସ୍ୱାମୀ ବିବେକାନନ୍ଦ କହିଛନ୍ତି, ‘ ଯଦି ନଚିକେତାଙ୍କ ପରି ଦଶ ବାର ଜଣ ଦୃଢ଼ମନା ଯୁବକ ମୋତେ ମିଳନ୍ତି, ତେବେ ଏ ଦେଶର ଚିନ୍ତାଧାରା ଓ ଗତିକୁ ସଂପୂର୍ଣ୍ଣ ବଦଳାଇ ମୁଁ ଗୋଟିଏ ନୂତନ ଦିଶାଆଡ଼େ ଧାବିତ କରାଇ ପାରନ୍ତି’l ମୃତ୍ୟୁଞ୍ଜୟୀ ନଚିକେତାକୁ ଧନ୍ୟ କରି ଉତ୍କଳମଣି ଗୋପବନ୍ଧୁ ଖଣ୍ଡକାବ୍ୟ ବ୍ରହ୍ମତତ୍ତ୍ୱ ବା ନଚିକେତା ଉପାଖ୍ୟାନରେ ଲେଖିଛନ୍ତି :-
ଧନ୍ୟ ନଚିକେତା ଧନ୍ୟ ତୋର ପୁଣ୍ୟରାଶି l
ତ୍ରିପୁର ଜିଣିଲୁ ବାବୁ ହୋଇ ମର୍ତ୍ତ୍ୟବାସୀ ll
🙏🙏🙏
ଅର୍ଜୁନୀ
————–
ମୋ -7693091971

Comments are closed.