ସମ୍ବଲପୁରରେ ଯୁବକଙ୍କୁ ଛୁରାମାଡ଼: ଭିମସାରରେ ମୃତ ଘୋଷଣା କଲେ ଡାକ୍ତର

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନୁପାଲି ଥାନା ତୁରୀପଡ଼ାରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରାସ୍ତା ଉପରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ତୁରୀପଡ଼ାର ତଫିନ ପ୍ରଧାନ(୨୫) ନିକଟସ୍ଥ ହରଡ଼ଜୋର ନଦୀବନ୍ଧ ରାସ୍ତାରେ ଠିଆ ହୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତଫିନଙ୍କ ବେକରେ ଛୁରି ଭୁଷିଦେଇଥିଲେ। ତଫିନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସୁଥିବାର ଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ଏହାପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାପରେ ତଫିନଙ୍କୁ ବୁର୍ଲା ଭିମସାରଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ କିଏ ଓ କାହିଁକି ଯୁବକଙ୍କୁ ଆକ୍ରମଣ କରିଥିଲେ ତାହା ଜଣାପଡ଼ିନି। ଏନେଇ ଧନୁପାଲି ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Comments are closed.