ସାହିତ୍ୟ ପତ୍ରିକା ‘ ପ୍ରତିବେଶୀ ‘ ଉନ୍ମୋଚିତ

କଲକତା(୨୪|୧): ଉତ୍କଳ ଶିକ୍ଷା ସଂସଦ କଲକତା ଦ୍ଵାରା ବିଗତ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପ୍ରକାଶିତ ହେଉଥିବା ତ୍ରୈମାସିକ ସାହିତ୍ୟ
ପତ୍ରିକା ପ୍ରତିବେଶୀର ଅକ୍ଟୋବର – ଡିସେମ୍ବର ୨୦୨୨ ସ୍ଵତନ୍ତ୍ର ସଂଖ୍ୟା ସତ୍ୟଜିତ ରାୟ ଫିଲ୍ମ ଓ ଟେଲିଭିଜନ ସଂସ୍ଥାନ କଲକତାର ନିର୍ଦ୍ଦେଶକ
ଶ୍ରୀଯୁକ୍ତ ହିମାଂଶୁ ଶେଖର ଖଟୁଆଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଶ୍ରୀଯୁକ୍ତ ଖଟୁଆ କହିଲେ ଯେ ପ୍ରତିବେଶୀ ଏହାର
ନିଜସ୍ଵ ଗୁଣବତ୍ତା ବଳରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଅନ୍ୟାନ୍ୟ ରାଜ୍ୟରେ ବସବାସ କରୁଥିବା ଓଡ଼ିଆ ପାଠକମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଥିବ । ଏହା ବହୁ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ସୃଷ୍ଟି ସମ୍ଭାର ଯାହା ସବୁ ବର୍ଗର ପାଠକଙ୍କୁ ଛୁଇଁବ । ପ୍ରତିବେଶୀର ସମ୍ପାଦକ ଶ୍ରୀଯୁକ୍ତ ପୀତାମ୍ବର ବାରିକ କହିଲେ ଏହା ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ନୈତିକତାର ମୂଳବନ୍ଧ ରୂପେ ନିଜର ପରିଚୟ ପ୍ରତିପାଦିତ କରି ଚାଲିବ ।
ସଂସଦର ଆଜୀବନ ସଂସଦ ଶ୍ରୀଯୁକ୍ତ ବି.ଏନ୍.ପତି କହିଲେ ଯେ ଛାତ୍ରାବାସ ପରିଚାଳନା, ଉତ୍କଳ ଦିବସ,ରଜ ପର୍ବ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉତ୍କଳ ଶିକ୍ଷା ସଂସଦର ପ୍ରଧାନ କାର୍ଯ୍ୟକ୍ରମ ଅଟେ। ଶ୍ରୀ ସନାତନ ମହାକୁଡ଼ କହିଲେ ଯେ ପ୍ରତିବେଶୀ ଉଭୟ ନବୀନ ଓ ପ୍ରବୀଣ ସ୍ରଷ୍ଟାଙ୍କ ସୃଷ୍ଟିକୁ ନେଇ ସମୃଦ୍ଧ। ଏଥର ଯୁବପିଢୀଙ୍କ ଦ୍ଵାରା ଗବେଷଣା ଭିତ୍ତିକ ଲେଖାକୁ ଅଗ୍ରାଧିକାର ଦିଆଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଆଜୀବନ ସଦସ୍ୟ ଶ୍ରୀ ଦୋଳ ଗୋବିନ୍ଦ ବେହେରା, ଶ୍ରୀ ଅଶ୍ଵିନୀ କୁମାର ପଲାଇ, ଶ୍ରୀ ଚିତ୍ତରଂଜନ ପାଣି ଏବଂ ଅନ୍ୟ ସଦସ୍ୟମାନେ ଏହି ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Comments are closed.