ଆଦିଯୋଗୀ ମୂର୍ତ୍ତି ଓ ଈଶା ଯୋଗ କେନ୍ଦ୍ର ଉନ୍ମୋଚନ ଉପରେ ରହିତାଦେଶ ଜାରି କଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିକଟରେ ଅବସ୍ଥିତ ନନ୍ଦୀ ପର୍ବତର ପାଦଦେଶରେ ଆଦିଯୋଗୀ ମୂର୍ତ୍ତି ଓ ଈଶା ଯୋଗ କେନ୍ଦ୍ର ଉନ୍ମୋଚନ ଉପରେ ବୁଧବାର ଦିନ କର୍ଣ୍ଣାଟକ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।

ସାମୟିକ ରହିତାଦେଶ ଜାରି କରିବା ସହିତ ଏହି ମାମଲାରେ ଅଦାଲତ ରାଜ୍ୟ ସରକାର, ଯୋଗ କେନ୍ଦ୍ର ଓ ଆଉ ୧୪ଜଣ ପକ୍ଷଙ୍କ ନିକଟକୁ ନୋଟିସ୍‌ ଜାରି କରିଛନ୍ତି।

ଜାନୁଆରି ୧୫ ତାରିଖ ଦିନ ସଦ୍‌ଗୁରୁଙ୍କ ଈଶା ଫାଉଣ୍ଡେସନ୍‌ଦ୍ବାରା ଏହି ମୂର୍ତ୍ତି ଉନ୍ମୋଚନ କରାଯିବା ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା।

ଏହି ମାମଲାରେ ଦାଏର କରାଯାଇଥିବା ଜନସ୍ବାର୍ଥ ମାମଲାରେ ଉଲ୍ଲେଖ ଅଛି ଯେ, ପାରିପାର୍ଶ୍ବିକ ଅବକ୍ଷୟ ହୋଇ ଆସୁଥିବା ପରିବେଶରେ ଏକ ବ୍ୟାବସାୟିକ ପ୍ରତିଷ୍ଠାନ ତ‌ୋଳା ଯାଉଛି। ସେଥିପାଇଁ ସରକାର ମଧ୍ୟ ବେଆଇନ ଭାବେ ଜମି ଯୋଗାଇ ଦେଇଛନ୍ତି। ଏହାଦ୍ବାରା, ନନ୍ଦୀ ପର୍ବତ ଅଞ୍ଚଳର ସବୁଜିମା, ଜୈବପରିବେଶ, ବିଭିନ୍ନ ଜଳ ଉତ୍ସ ଆଦି ପ୍ରାକୃତିକ ସମ୍ପଦ ନଷ୍ଟ ହେବାର ଆଶଙ୍କା ରହିଛି। ଏହାଦ୍ବାରା, ଗାଈଗୋରୁ, ମେଣ୍ଢା ଓ ଅନ୍ୟାନ୍ୟ ବନଜନ୍ତୁଙ୍କ ଜୀବନ ଓ ଜୀବୀକା ପ୍ରଭାବିତ ହେବ।

ଯୋଗ କେନ୍ଦ୍ର ଗୋଟାଏ ଶିବ ପ୍ରତିମା ଆଣି ତାହାକୁ ରାତାରାତି ସ୍ଥାପନା କରିବା ଲାଗି ଏହି ଜମିର ସୌନ୍ଦର୍ଯ୍ୟ ନଷ୍ଟ କରିଛି ବୋଲି ଆବେଦନକାରୀମାନେ ଅଭିଯୋଗ କରିଛନ୍ତି।

କ୍ୟାତପ୍ପା ଏସ୍‌. ଏବଂ ଚିକ୍କବଲ୍ଲପୁରର ଅଳ୍ପ କେତେଜଣ ଗ୍ରାମବାସୀ ଉପରୋକ୍ତ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି।

ଅଦାଲତ ନୋଟିସ୍‌ ଜାରି କରିଥିବା ୧୬ଜଣ ପକ୍ଷମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରାଳୟ, ବନୀକରଣ ଓ ଜୈବପରିବେଶ, କର୍ଣ୍ଣାଟକ ସରକାର, ମୁଖ୍ୟ ବନ ସଂରକ୍ଷକ, ଏବଂ କୋଇମ୍ବାଟୁର୍‌ସ୍ଥିତ ‘ଈଶା ଯୋଗ କେନ୍ଦ୍ର’।

Comments are closed.