ତାଲିବାନ-ପାକିସ୍ତାନୀ ସୈନ୍ୟ ପିଟାପିଟି

କାବୁଲ : ପାକିସ୍ତାନ ଓ ତାଲିବାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବିଶେଷକରି ସୀମାକୁ ପୂର୍ବରୁ ରହିଆସିଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଗତ ରବିବାର ଦିନ ପାକିସ୍ତାନ ସୀମାରେ ଥିବା ଆଫଗାନିସ୍ତାନର ସ୍ପିନ-ବୋଲଡାକ ଜିଲ୍ଲାରେ ତାଲିବାନ ସୈନ୍ୟ ଓ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହି ସଂଘର୍ଷରେ ଜଣେ ପାକିସ୍ତାନୀ ସୈନ୍ୟ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଏହା ପରେ ଉକ୍ତ ଅଂଚଳରେ ଉତ୍ତେଜନା ଲାଗି ରହିଛି ଓ ସ୍ପିନ ବୋଲଡାକ-ଚମନ କ୍ରସିଂକୁ ବନ୍ଦ କରିଦିଆଯାଇଛି ।

କେଉଁ କାରଣରୁ ଏହି ବିବାଦ ଆରମ୍ଭ ହେଲା ତାହା ଜଣାପଡ଼ିନଥିଲେ ବି ଏହା ପଛରେ ସୀମା ବିବାଦ ଥିବା କୁହାଯାଉଛି । ଦୁଇ ଦେଶ ମଧ୍ୟରେ ଥିବା ଡୁରାଣ୍ଡ ଲାଇନରେ ପାକିସ୍ତାନ ପକ୍ଷରୁ ତାରବାର ଲଗାଯାଇଥିବାବେଳେ ତାଲିବାନ ସୈନ୍ୟମାନେ ନିକଟରେ ତାହାକୁ କାଟି ଦେଇଥିଲେ । ଏହା ପରେ ବିବାଦ ବଢିଯାଇଥିବା କୁହାଯାଉଛି । ଦୁଇ ପକ୍ଷ ମଧ୍ୟରୁ ଗୁଳିଚାଳନା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା କୁହାଯାଉଛି ।

ତେବେ ଗୋଟିଏ ବର୍ଷ ଭିତରେ ହିଁ ତାଲିବାନ ଓ ପାକିସ୍ତାନ ମଧ୍ୟରେ ଥିବା ବନ୍ଧୁତା କିପରି ଶତ୍ରୁତାରେ ପରିଣତ ହୋଇଗଲା ? ଏହାର କାରଣ ହେଉଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଥିବା ଡୁରାଣ୍ଡ ଲାଇନକୁ ନେଇ ବର୍ଷ ବର୍ଷ ଧରି ଚାଲିଥିବା ବିବାଦ । ବ୍ରିଟିଶ ଅମଳରୁ ହିଁ ଆଫଗାନିସ୍ତାନ ଏହାକୁ ମାନ୍ୟତା ଦେଉନାହିଁ । ଏବେ ପାକିସ୍ତାନ ପକ୍ଷରୁ ଏହି ସୀମାରେ ତାରବାଡ଼ ଦିଆଯାଉଥିବାରୁ ତାଲିବାନ ତାହାର ବିରୋଧ କରୁଛି ।

Comments are closed.