ପୁଅ ମାଡ଼ ମାରୁଥିବାରୁ ଅତିଷ୍ଠ ହୋଇ ହତ୍ୟା କଲେ ବାପା-ମା’

ହାଇଦ୍ରାବାଦ: ବୟସ ବଢ଼ିବା ପରେ ସାହାରା ବନିବା ପରିବର୍ତ୍ତେ ମାରପିଟ କରୁଥିଲା ପୁଅ। ସୁପାରୀ ଦେଇ ହତ୍ୟା କଲେ ବାପା-ମା’। ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ବି ଏହା ସତ। ଏଭଳି ଛାତି ଥରାଇ ଦେବା ଭଳି ଘଟଣା ଘଟିଛି ତେଲେଙ୍ଗାନାରେ। ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ବାପା-ମା’ ନିଜ ପୁଅକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଅଭିଯୁକ୍ତ ବାପା-ମା’ ୮ଲକ୍ଷ ଟଙ୍କା ଦେଇ ୫ଜଣଙ୍କୁ ହତ୍ୟା କରିବାକୁ କହିଥିଲେ। କେବଳ ଏତିକି ନୁହେଁ ହତ୍ୟା ପରେ ଅଭିଯୁକ୍ତ ବାପା-ମା’ ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ମଧ୍ୟ କରିଥି‌ଲେ। ହେଲେ ସେମାନଙ୍କର ଗୋଟିଏ ଭୁଲ ସେମାନଙ୍କୁ ଫସାଇଦେଇଥିଲା। ମୃତକଜଣକ ସାଇନାଥ(୨୬) ବୋଲି ଜଣାପଡ଼ିଛି।

ତେଲେଙ୍ଗାନାର ତିରୁମଲଗିରିରେ ଘଟିଥିବା ଏହି ଘଟଣାକୁ ନେଇ ପୁଲିସ କହିଛି ‌ଯେ, ସାଇନାଥକୁ ହତ୍ୟା କରିବା ଅଭିଯୋଗରେ ତା’ର ବାପା, ମା’ ଓ ଦାଦାଙ୍କ ସମେତ ୭ଜଣଙ୍କୁ ଗିରଫ କରାଯାଇଛି। ସାଇନାଥ ନିଜ ବାପା-ମା’ଙ୍କୁ ମାରପିଟ କରୁଥିବାରୁ ବାପା ରାମ ସିଂ ଏବଂ ମା’ ରାଣୀ ବାଇ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ପୁଅର ଅତ୍ୟାଚାରରେ ରାମ ସିଂ ଏବଂ ତାଙ୍କ ପତ୍ନୀ ଅତିଷ୍ଠ ହୋଇ ପଡ଼ିଥିଲେ ଏବଂ ଏଭଳି ପରିସ୍ଥିତିରେ ସେମାନେ ପୁଅକୁ ହତ୍ୟା କରିବା ପାଇଁ ୮ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। ସୁପାରୀ ନେଇଥିବା ୫ଜଣ ଅଭିଯୁକ୍ତ ସାଇନାଥଙ୍କ ଗଳା ଚିପି ହତ୍ୟା କରିବା ପରେ ଏକ କାରରେ ତାଙ୍କ ମୃତଦେହକୁ ନେଇ ମୁସି ନଦୀରେ ଫିଙ୍ଗି ଦେଇଥିଲେ।

ପରେ ପୁଲିସ ଶବ ଜବତ କରି ତଦନ୍ତ କରିବା ପରେ ସିସିଟିଭିରେ ନଜର ଆସୁଥିବା କାରକୁ ନେଇ ଖୋଳତାଡ କରିଥିଲା। ଏନେଇ ସାଇନାଥଙ୍କ ବାପା-ମା’ଙ୍କୁ ପଚରାଉଚରା ପାଇଁ ଡକାଯିବା ପରେ ସେମାନେ ସମାନ କାରରେ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହା ପରେ ପୂରା ଘଟଣା ସାମ୍ନାକୁ ଆସିଯାଇଥିଲା।

Comments are closed.