ଅସ୍ତରଙ୍ଗ: ମହାବାତ୍ୟାକୁ ପୂରିଛି ୨୩ବର୍ଷ। ୧୯୯୯ ଅକ୍ଟୋବର ୨୯ରେ ଚିଲିକାରୁ ଚାନ୍ଦବାଲି ଯାଏ ମହାବାତ୍ୟା ତା’ର ପ୍ରକୋପ ଦେଖାଇଥିଲା। ତେବେ ଜଗତସିଂହପୁର ଜିଲ୍ଲା ସମେତ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବ୍ଲକ୍ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଦୀର୍ଘ ୩୬ ଘଣ୍ଟା ଧରି ତାଣ୍ଡବ ରଚିଥିଲା ଏହି ମହାବାତ୍ୟା। ୩୦ ତାରିଖ ରାତି ପାହିଲା ବେଳକୁ ସମୁଦ୍ର ଜୁଆର ମାଡ଼ିଆସି ଅନେକ ଲୋକ ଓ ଗୃହପାଳିତ ଜୀବଜନ୍ତୁ ଭାସିଯାଇ ସଲିଳ ସମାଧି ନେଇଥିଲେ। କିଏ ସର୍ବସ୍ୱ ହରାଇଥିଲା ତ ଅନ୍ୟ କାହାର ମଥାରୁ ସିନ୍ଦୁର ଲିଭି ସେ ବେସାହାରା ହୋଇଯାଇଥିଲା। ସେଦିନର କରୁଣ ଦୃଶ୍ୟ ମନେ ପଡ଼ିଲେ ପ୍ରଭାବିତ ଅଞ୍ଚଳରେ ଆଜି ବି ଅନେକଙ୍କର ଲୋମ ଟାଙ୍କୁରି ଉଠେ।
ଦିନ ସିନା ଚାଲିଯାଇଛି, କିନ୍ତୁ ଆତ୍ମୀୟ ସ୍ୱଜନକୁ ହରାଇଥିବା ଲୋକଙ୍କର ଆଖିରୁ ଲୁହ ଶୁଖିନି ଓ କୋହ ଥମୁନି। ଏଭଳି ଦୃଶ୍ୟକୁ ମନେ ପକାଇ ନୂଆଗଡ଼ର କମଳା ବିଶ୍ୱାଳଙ୍କ ପରିବାର ଓ ଝାଡ଼ଲିଙ୍ଗ ପଞ୍ଚାୟତ ମଧୁପୂର ମୌଜାର କଳ୍ପନା ବେହେରା ଆଜି ବି ଆତ୍ମୀୟଙ୍କୁ ଝୁରୁଛନ୍ତି। ମହାବାତ୍ୟା କମଳାଙ୍କୁ ବିଧବା ସଜେଇ ଦେଇଥିଲା। ପରିଣତ ବୟସରେ ଆଜି ବଞ୍ଚିଥିବା କଳ୍ପନା ମହାବାତ୍ୟାର ଅନୁଭବୀ। ଆଖି ସାମ୍ନାରେ ତାଙ୍କ ସ୍ୱାମୀ ବୁଦ୍ଧେଶ୍ୱର ବେହେରା, ଦୁଇ ବର୍ଷର ପୁଅ ଟାଇଗର୍ ବେହେରା, ଆଠ ମାସର ଝିଅ ପୁଷ୍ପା, ଶ୍ୱଶୂର ଲୋକନାଥ ବେହେରା, ଯାଆ ଝାମ୍ପ ବେହେରାଙ୍କୁ ସେ ହରାଇଥିଲେ। ସେ ନିଜେ ଧର୍ଯ୍ୟ ଧରି ପୋଷ୍ୟପୁତ୍ର ଗ୍ରହଣ କରି ଏବେ ଭିନ୍ନ ଏକ ସୁନ୍ଦର ପରିବାର ଓ ଘରଦ୍ୱାର କରି ଚଳୁଛନ୍ତି। କିନ୍ତୁ ଦୀର୍ଘ ୨୩ ବର୍ଷ ପରେ ବି ମହାବାତ୍ୟାର ସେ ଦୁଃଖ ଆଜି ମନେପଡୁଛି। ଆଖିରୁ ଲୁହ ଶୁଖିନି କି କୋହ ବି ଥମୁନି।
ଏ ତ ଗଲା କଳ୍ପନାଙ୍କ କଥା। ବାତ୍ୟା ବେଳେ ଚିଙ୍ଗୁଡ଼ି ଘେରିରେ ବାହାରୁ ଆସି କାମ କରୁଥିବା ଲୋକେ, ସମୁଦ୍ର କୂଳରେ ଯାଯାବର ଜୀବନଯାପନ କରୁଥିବା ଅନେକ ଲୋକେ କୁଆଡ଼େ ଗଲେ ତା’ର ହିସାବ ମିଳି ନ ଥିଲା। ଅସ୍ତରଙ୍ଗ ବ୍ଲକ୍ର ସମୁଦ୍ର ନିକଟବର୍ତ୍ତୀ ନୂଆଗଡ଼ ପଞ୍ଚାୟତର ୧୦ଟି ମୌଜା, ଶିଶୁଅ ପଞ୍ଚାୟତର ୫ଟି ଓ ଛୁରିଆନା ପଞ୍ଚାୟତର ୬ଟି ଗାଁକୁ ଉଚ୍ଚ ଜୁଆର ମାଡ଼ି ଆସିଥିଲା। ନୂଆଗଡ଼ ପଞ୍ଚାୟତର ୧୭ ଜଣଙ୍କ ମୃତ୍ୟୁ ହେବା ସମେତ ୧୦ ଜଣ ନିଖୋଜ ହୋଇଥିଲେ। ଶିଶୁଅ ଓ ଛୁରିଆନା ପଞ୍ଚାୟତର ୭ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୫ରୁ ଅଧିକ ନିଖୋଜ ହୋଇଥିଲେ। ଶିଶୁଅ ପଞ୍ଚାୟତର ଉଦୟକଣୀ, ଛେନୁ, ତଣ୍ଡାହର, କଳମକଣି, କଟକଣା ପ୍ରମୁଖ ଗାଁ ଗଣ୍ଡାରେ ୮ରୁ ୧୦ ଫୁଟ୍ର ଜୁଆର ପାଣି ଲହଡ଼ି ମାରିଥିଲା। ଏହା ପରଠୁ ସେଠାରେ ବାରମ୍ବାର ସମୁଦ୍ର କୂଳ ଲଂଘି ଅନେକ ଜନବସତି ସମୁଦ୍ର ଗର୍ଭରେ ବୁଡ଼ିଯିବାରୁ ସ୍ଥାନୀୟ ଲୋକେ ଅନ୍ୟତ୍ର ବିସ୍ଥାପିତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ସେଠି ସ୍ଥାୟୀ ପ୍ରତିକାର ହୋଇପାରିନାହିଁ। ବାସଚ୍ୟୁତ ଅନେକ ଆର୍ଥିକ ଅନଟନ ମଧ୍ୟରେ ଗତିକରି ଆଜି ବି ପକ୍କାଘର ଖଣ୍ଡେ କରିପାରିନାହାନ୍ତି। ମଧୁର ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଗତ ଦୁଇ ଦଶନ୍ଧୀ ମଧ୍ୟରେ ଅସ୍ତରଙ୍ଗ ଉପକୂଳବାସୀ ଅନେକ ବାତ୍ୟା ଦେଖିସାରିଲେଣି। କିନ୍ତୁ ୧୯୯୯ର ମହାବାତ୍ୟା ଏତେ ଭୟଙ୍କର ଥିଲା ଯେ ଏବେ ବାତ୍ୟା ନାଁ ଶୁଣିଲେ ଛାତିରେ ଛନକା ପସିଥାଏ। ଯାହା ପୁଅକୁ ସାପ କାମୁଡ଼େ, ତା ମା’ ପାଳ ଦୌଡ଼ି ଦେଖି ଚମକିବା ଭଳି ସାମ୍ଭାବ୍ୟ ବାତ୍ୟା ସମ୍ପର୍କିତ ଖବର ଶୁଣିବା ମାତ୍ରେ ଭୟ ସଞ୍ଚାର ହୁଏ। ସୂଚନା ପାଇ ଲୋକେ ଚୁଡାଚାଉଳ ବାନ୍ଧିବା ଓ ତଳିଆ ଅଞ୍ଚଳରୁ ସ୍ଥାନାନ୍ତରିତ ହୁଅନ୍ତି। ୨୯ ଅକ୍ଟୋବର ୧୯୯୯ ଯେଉଁ ଦୁଃଖ ଓ ହୃଦୟ ବିଦାରକ ଦୃଶ୍ୟ ଆଣିଥିଲା ତାହା ଆଜି ବି ଏହି ଅଞ୍ଚଳର ଲୋକେ ଭୁଲି ପାରୁନାହାନ୍ତି। ସେତେବେଳେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ନେତୃତ୍ୱରେ ତାଙ୍କ ସରକାର ଅସ୍ତରଙ୍ଗକୁ ପୋଷ୍ୟ ବ୍ଲକ୍ ରୂପେ ଗ୍ରହଣ କରିଥିଲେ। ଦୀର୍ଘ ୨୩ ବର୍ଷ ମଧ୍ୟରେ ଅସ୍ତରଙ୍ଗ ଉପକୂଳର ଚିତ୍ର ବଦଳିଛି ସତ, ସର୍ବସ୍ୱ ହରାଇ ଆଜି ଯେଉଁ କେତେଜଣ ବଞ୍ଚିଛନ୍ତି ତାଙ୍କର ଆଖିରୁ ଲୁହ ଶୁଖୁନି କି କୋହ ଥମିନି। ଇତିମଧ୍ୟରେ ଫାଇଲିନ୍, ହୁଡୁହୁଡୁ, ରୁଆନୁ, ତିତ୍ଲି ଓ ଫନି ଭଳି ସାମୁଦ୍ରିକ ଝଡ଼ ଆହୁରି କ୍ଷତି କରିବାରେ ଆର୍ଥିକ ଦୁର୍ବଳ ଲୋକ ଅଣ୍ଟା ସଳଖି ପାରୁନାହାନ୍ତି। ମହାବାତ୍ୟା ପରେ ଚାରିଆଡେ ଆଜି ଛାତଘର ଓ ଧନଜୀବନ ସୁରକ୍ଷା ନିମନ୍ତେ ୧୯ଟି ବାତ୍ୟା ଆଶ୍ରୟସ୍ଥଳୀ ରହିବା ସରକାରୀ ରେକର୍ଡ କହୁଛି। କିନ୍ତୁ ତନ୍ମଧ୍ୟରୁ ମାତ୍ର କେଇଟି ନିରାପଦ, କେତୋଟିରେ ସ୍କୁଲ୍ ପିଲା ପାଠ ପଢୁଥିଲା ବେଳେ ଅନ୍ୟସବୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହି ଅସାମାଜିକଙ୍କର ଆଡ଼ା ପାଲଟିଛି।
Comments are closed.