ସାଗର ଚଳୁକଲେ ମହର୍ଷି ଅଗସ୍ତ୍ୟ

ଅର୍ଜୁନୀ ଚରଣ ବେହେରା

ମହାମାନୀ ଦୁର୍ଯ୍ୟୋଧନର କପଟ ପଶା ଖେଳରେ ପରାଭଵ ଲଭି ପାଣ୍ଡଵମାନେ ହିମାଳୟର ଘୋର ଅରଣ୍ୟ ମଧ୍ୟରେ ବାସ କରୁଥାନ୍ତି l ଏକଦା ମହର୍ଷି ଲୋମଶ ଆସି ସେମାନଙ୍କ ଆଶ୍ରମରେ ପହଞ୍ଚିଲେ ଏବଂ ତାଙ୍କୁ ଅର୍ଜୁନ ପାଶୁପତ ଅସ୍ତ୍ର ପ୍ରାପ୍ତ କରିଛନ୍ତି ବୋଲି ଖବର ଦେଲେ l ମହର୍ଷି ପୁଣି କହିଲେ, ମୁଁ ଇନ୍ଦ୍ର ଲୋକରେ ଅର୍ଜୁନଙ୍କୁ ଦେଖି ଆସିଛି l ଇନ୍ଦ୍ରଙ୍କ ଅନୁରୋଧ ଯୋଗୁଁ ସେ କିଛିକାଳ ଅମରାବତୀରେ ଅବସ୍ଥାନ କରୁଛନ୍ତି l ସେ ଖୁବ ଶୀଘ୍ର ଭାଇମାନଙ୍କ ସହ ମିଳିତ ହେବେ l ମହର୍ଷିଙ୍କ ବାକ୍ୟରେ ପାଣ୍ଡଵ ମାନଙ୍କ ଆନନ୍ଦର ସୀମା ରହିଲା ନାହିଁ l ଧର୍ମରାଜ ମହର୍ଷିଙ୍କ ଯଥୋଚିତ ସତ୍କାର କରି କହିଲେ,’ ହେ ମୁନିବର ଆମ୍ଭେମାନେ ବର୍ତ୍ତମାନ ତୀର୍ଥ ଭ୍ରମଣରେ ଯିବାପାଇଁ ମନସ୍ଥ କରିଛୁ l ଆପଣ ତ୍ରିକାଳଦର୍ଶୀ l ଆପଣ ମଧ୍ୟ ଆମ୍ଭମାନଙ୍କ ସାଙ୍ଗରେ ଚାଲନ୍ତୁ ଏବଂ ଆମକୁ ସବୁ ତୀର୍ଥମାନଙ୍କ ମହିମା ଶୁଣାଇ କୃତାର୍ଥ କରାନ୍ତୁ’l ମହର୍ଷି ଅତୀବହର୍ଷ ବ୍ୟକ୍ତକରି କହିଲେ, ମୁଁ ତିନି ତିନି ବାର ସମସ୍ତ ତୀର୍ଥ ଭ୍ରମଣ ସାରିଛି l ତୁମମାନଙ୍କ ଆଗ୍ରହରୁ ମୁଁ ଚତୁର୍ଥ ବାର ତୀର୍ଥାଟନ କରିବି l ଅର୍ଜୁନ ମଧ୍ୟ ମୋତେ ତୁମ୍ଭମାନଙ୍କ ସହିତ କିଛିକାଳ ଅବସ୍ଥାନ ପାଇଁ ଅନୁରୋଧ କରିଥିଲେ l ତେବେ ଆଉ ଡେରି କାହିଁକି l ଚାଲ ଶୀଘ୍ର ତୁମ୍ଭଙ୍କୁ ମୁଁ ସବୁ ପବିତ୍ର ତୀର୍ଥ ସ୍ଥାନ ବୁଲାଇ ଆଣିବି l
ମହର୍ଷିଙ୍କ ସହ ପରମଆଗ୍ରହ ସହକାରେ ଯୁଧିଷ୍ଠିର କର୍ତ୍ତୃକ ପାଣ୍ଡଵମାନେ ଅଳ୍ପ ସଂଖ୍ୟକ ସହଯାତ୍ରୀଙ୍କ ଗହଣରେ ବାହାରି ପଡ଼ିଲେ ଓ ମୁନୀଙ୍କ ସହ ବହୁ ତୀର୍ଥସ୍ଥାନ ଭ୍ରମଣ କରିବାରେ ଲାଗିଲେ l ମହର୍ଷି ସେମାନଙ୍କୁ ସମସ୍ତ ତୀର୍ଥର ଉତ୍ପତ୍ତି, ମାହାତ୍ମ୍ୟ ଓ ମହିମା ବିଷୟରେ ବୁଝାଇ ଦେଉ ଥିଲେ ଯହିଁରେ ସେମାନଙ୍କର ଭ୍ରମଣର କ୍ଲାନ୍ତି ଅପନୋଦନ ହୋଇ ଯାଉଥିଲା l ଏହିପରି ସେମାନେ ବୁଲି ବୁଲି ଯାଇ ଦିନେ ମହର୍ଷି ଅଗସ୍ତ୍ୟଙ୍କ ଆଶ୍ରମରେ ପହଞ୍ଚିଲେ l ସେଠାରେ ମହର୍ଷି ଅଗସ୍ତ୍ୟ ପତ୍ନୀ ଲୋପାମୁଦ୍ରାଙ୍କ ସହ ବାସ କରୁଥିଲେ l ଲୋମଶ ଋଷି ପାଣ୍ଡଵଙ୍କୁ ସଂକ୍ଷେପରେ ଅଗସ୍ତ୍ୟ ଓ ଲୋପାମୁଦ୍ରାଙ୍କ କାହାଣୀ କହିଗଲେ l କିନ୍ତୁ ଆଶ୍ରମଟି ଖାଲି ପଡ଼ିଥିବା ଦେଖି ଯୁଧିଷ୍ଠିର ଆଶ୍ଚର୍ଯ୍ୟହୋଇ ଲୋମଶ ମୁନିଙ୍କୁ ଏହାର କାରଣ ପଚାରିବାରୁ, ଲୋମଶ ସେ କଥା କହିବା ଆରମ୍ଭ କାଲେ l
କଳ୍ପଜୀବୀ ଲୋମଶ ମୁନି କହିଲେ, ପୌରାଣିକ କିମ୍ବଦନ୍ତୀରେ ଅଗସ୍ତ୍ୟ ମୁନିଙ୍କ ବିଷୟରେ ବହୁତ ଗାଥା ପ୍ରଚଳିତ ଅଛି l ଖାଇବାରେ ସେ ଯେମିତି ଅସାଧାରଣ,ପାନ କରିବାରେ ମଧ୍ୟ ସେ ସେମିତି l ଏକଦା କାଳକେୟ ନାମକ ଏକ ଦୈତ୍ୟ ବାହିନୀ ସମୁଦ୍ର ମଧ୍ୟରେ ଲୁଚି ରହି ଦେବତା ଓ ମନୁଷ୍ୟଙ୍କ ମଧ୍ୟରେ ଭୟ ସଞ୍ଚାର କରୁଥିଲେ l ସମସ୍ତ ପ୍ରାଣୀ ଗଭୀର ରାତ୍ରିରେ ନିଦ୍ରିତଥିବା ଅବସ୍ଥାରେ ଦୈତ୍ୟ ବାହିନୀ, ଲୋକାଳୟ ମାନଙ୍କ ଉପରେ ଆକ୍ରମଣ କରି ଗୃହପାଳିତ ପଶୁ ଓ ଅରଣ୍ୟବାସୀ ମୁନିଋଷି ମାନଙ୍କୁ ହତ୍ୟା କରୁଥିଲେ l ଦିନବେଳା ସେମାନେ ସମୁଦ୍ର ମଧ୍ୟରେ ଲୁଚି ରହୁଥିବାରୁ ତାଙ୍କ ସହ ଯୁଦ୍ଧ କରିବା ସମ୍ଭବ ହୁଏନାହିଁ l କ୍ରମେ ରାକ୍ଷସ ମାନଙ୍କ ଉପଦ୍ରଵରେ ଗ୍ରାମ ଓ ନଗର ଜନଶୂନ୍ୟ ହେବାକୁ ଲାଗିଲା l ଚତୁର୍ଦ୍ଦିଗରେ ହା ହା କାର ପଡ଼ି ଗଲା l ପ୍ରତିକାରପାଇଁ,ଦେବତାମାନେ ସ୍ଥିରକଲେ ମହର୍ଷି ଅଗସ୍ତ୍ୟଙ୍କୁ ଯାଇ ଅନୁରୋଧ କରିବେ, ସେ ସମୁଦ୍ର ଶୋଷଣ କରି ଶୁଷ୍କ କରି ଦେବେ l ଅଗସ୍ତ୍ୟ ଏହା କରିପାରିବେ ବୋଲି ତାଙ୍କର ବିଶ୍ୱାସ ଥିଲା l
ଅଗସ୍ତ୍ୟ ଦେବତା ମାନଙ୍କ ଅନୁରୋଧ ରକ୍ଷା କରି, ସପ୍ତ ସାଗର ଜଳକୁ ଚଳୁ କରି ଦେଲେ l ସାଗର ଶୁଖି ଗଲା ଓ କାଳକେୟ ଦୈତ୍ୟମାନେ ଦେବତା ମାନଙ୍କ ହାତରେ ନିଧନ ହେଲେ l ସମୁଦ୍ର ରହିଲା ନାହିଁ l ପ୍ରାଣୀଜଗତ ତିଷ୍ଠି ରହିବେ କିପରି ? ଏଣୁ ଦେବତାମାନେ ପୁଣି ମହର୍ଷି ଅଗସ୍ତ୍ୟଙ୍କୁ ଅନୁରୋଧ କଲେ,” ଆପଣ ପୁନଃ ସାଗରକୁ ଜଳ ପୂର୍ଣ୍ଣ କରି ଦିଅନ୍ତୁ “l ଦେବତା ମାନଙ୍କ କଥା ଶୁଣି ମହାମୁନୀ ଅଗସ୍ତ୍ୟ କହିଲେ,” ଏହା କିପରି ସମ୍ଭବ ହେବ ? ମୋ ପେଟରେ ଯାହାପଡ଼େ ତାହା ତ ଜୀର୍ଣ୍ଣ ହୋଇ ଯାଏ l ମୁଁ ଚଳୁ କରି ଦେଇଥିବା ମହାର୍ଣ୍ଣବର ଜଳ ମଧ୍ୟ ଜୀର୍ଣ୍ଣ ହୋଇଯାଇଛି l ଏହା ଆଉ ଉଦଗୀର୍ଣ୍ଣ ହେବା ସମ୍ଭବ ନୁହେଁ l”
ଏହା ପୁଣି ପୂର୍ଣ୍ଣ ହେଲା ଯେତେବେଳେ ଭଗୀରଥ ତପସ୍ୟା ବଳରେ ସ୍ୱର୍ଗରୁ ଭଗବତୀ ଗଙ୍ଗାଙ୍କୁ ଆଣି ସମୁଦ୍ରରେ ପକାଇ ଥିଲେ l ମୁନୀ ଅଗସ୍ତ୍ୟଙ୍କ ଏହି ଆଶ୍ରମ ରାମାୟଣ ଯୁଗର l ଏହା ପରେ ଲୋମଶ ମୁନୀ ପାଣ୍ଡଵମାନଙ୍କ ସହ ରାମାୟଣ ଯୁଗର ଋଷି ବିଭାଣ୍ଡକଙ୍କ ଆଶ୍ରମରେ ପହଞ୍ଚିଲେ ଓ ସେଠାରେ ତାଙ୍କୁ ଋଷ୍ୟଶୃଙ୍ଗଙ୍କ କାହାଣୀ ଶୁଣାଇଲେ l
ଶରତ କାଳ ଆସିଲେ ଆକାଶରେ ଅଗସ୍ତି ନକ୍ଷତ୍ର ଉଦିତ ହୁଅନ୍ତି ଓ ଅଗସ୍ତିଫୁଲ ଫୁଟେ l ବର୍ଷା ଛାଡ଼ି ଯାଇ କ୍ରମେ ନଦୀ ପୁଷ୍କରିଣୀ ମାନ ଶୁଷ୍କ ହେବାକୁ ଲାଗନ୍ତି l ଗୋସ୍ୱାମୀ ତୁଳସୀଦାସ ଶ୍ରୀରାମ ଚରିତ ମାନସରେ ଏହାକୁ ଲକ୍ଷ୍ୟ କରି ଲେଖିଲେ :-
ଉଦିତ ଅଗସ୍ତି ପଂଥ ଜଲ ସୋଷା l
ଜିମି ଲୋଭହି ସୋଷଇ ସନ୍ତୋଷା ll
ସରିତା ସର ନିର୍ମଲ ଜଲ ସୋହା l
ସଂତ ହୃଦୟ ଜସ ଗତ ମଦ ମୋହା ll
ସନ୍ଥ ତୁଳସୀଙ୍କ ଏହି ଦୋହାକୁ ଅତି ସୁନ୍ଦରଭାବେ ଅନୁସୃଜନ କରି କବିବର ରାଧାନାଥ ତୁଳସୀ ସ୍ତବକରେ ଲେଖିଛନ୍ତି :-
ଜରତୀ ବରଷାର ଧବଳ ଜଟା l
କାଶକୁସୁମେ ଶୁକ୍ଳ ତଟିନୀପଠା ll
ଅଗସ୍ତ୍ୟ ମାର୍ଗୁ ନୀର ଶୁଖାଇ ଦେଲେ l
ସନ୍ତୋଷ ତଡ଼େ ଯଥା ଲୋଭକୁ ହେଳେ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.