ମାସାନାଂ କାର୍ତ୍ତିକ ଶ୍ରେଷ୍ଠ

ଅର୍ଜୁନୀ ଚରଣ ବେହେରା

ମାସାନାଂ କାର୍ତ୍ତିକ ଶ୍ରେଷ୍ଠ ଦେଵାନାଂ ମଧୁସୂଦନଃ l
ତୀର୍ଥନାରାୟଣାକ୍ଷାମ୍ହି ତ୍ରିତୟମଦୁର୍ଲଭମ୍ କଲୌ ll
ନାକାର୍ତ୍ତିକ ସମଃମାସୋ ନକୃତେନ ସମଃଯୁଗମ୍ l
ନା ବେଦସଦୃଶ ଶାସ୍ତ୍ରମ୍ ନା ତୀର୍ଥ ଗଙ୍ଗା ସମମ୍ ll
ସ୍କନ୍ଧ ପୁରାଣର ଉପରୋକ୍ତ ଶ୍ଳୋକାନୁସାରେ ମାସ ମଧ୍ୟରେ କାର୍ତ୍ତିକ, ଦେବତାଙ୍କ ମଧ୍ୟରେ ମଧୁସୂଦନ, ତୀର୍ଥମାନଙ୍କ ମଧ୍ୟରେ ନାରାୟଣତୀର୍ଥ ବା ବଦ୍ରିକା ତୀର୍ଥ ଶ୍ରେଷ୍ଠ ଅଟେ l ପୁନଶ୍ଚ କାର୍ତ୍ତିକ ସମାନ ମାସ ନାହିଁ, ସତ୍ୟ ଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ କି ଗଙ୍ଗାପରି ତୀର୍ଥ ନାହିଁ l ଶ୍ଲୋକଟିରୁ କାର୍ତ୍ତିକ ଏକ ସର୍ବୋତ୍ତମ ମାସ ଏହା ପ୍ରତିପାଦିତ ହୁଏ l କାର୍ତ୍ତିକ ମାସର ପୌରାଣିକ ଓ ଆଧ୍ୟାତ୍ମିକ ମହତ୍ତ୍ବ ଓ ବିଶେଷ୍ୟତ୍ୱ ନିମ୍ନ ମତେ l
1. ପୁରାଣ ଅନୁସାରେ, ଆଷାଢ ଶୁକ୍ଳ ଏକାଦଶୀ ଠାରୁ ଭଗବାନ ଶ୍ରୀବିଷ୍ଣୁ ଚାରି ମାସ ଲାଗି ଅନନ୍ତ ଶୟନ କରନ୍ତି l ଦିନଟିକୁ ହରିଶୟନ ଏକାଦଶୀ ବୋଲି କୁହାଯାଏ l କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ଅର୍ଥାତ୍ ହରି ଉତଥାପନ ଏକାଦଶୀରେ ଭଗବାନ ବିଷ୍ଣୁ ନିଦ୍ରାରୁ ଉଠନ୍ତି l ଏହି ଚାରିମାସକୁ କେତେକ ଚାତୁର୍ମାସ୍ୟା ବ୍ରତ ରୂପେ ପାଳନ କରି ହରିଉତ୍ଥାନ ଏକାଦଶୀରେ ଉଦଯାପନ କରନ୍ତି l
2. ପଦ୍ମ ପୁରାଣ ଅନୁଯାୟୀ କାର୍ତ୍ତିକ ବ୍ରତ ଆଶ୍ଵିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଏ l ନାରଦ ପୁରାଣ ଅନୁସାରେ କୃତ୍ତିକା ନକ୍ଷତ୍ର ଯୁକ୍ତ ଚନ୍ଦ୍ରମାସ ହେଉଛି କାର୍ତ୍ତିକ ମାସ ଆଉ ଏହା ଆଶ୍ଵିନ ମାସ ପରେ ପଡ଼େ l ଏହିସବୁ ବିଶ୍ବାସ ଆଧାରରେ କାର୍ତ୍ତିକ ମାସକୁ ପୁଣ୍ୟ ମାସ ଭାବେ ଗଣ୍ୟ କରାଯାଏ l
3. ଏହା ଧର୍ମମାସ ହୋଇଥିବାରୁ ଓଡ଼ିଶାବାସୀ ଏହି ମାସଟିକୁ ନିଷ୍ଠାର ସହ ପାଳନ କରିଥାନ୍ତି l ବିଶେଷ କରି ମହିଳା ମାନେ ମାସ ସାରା ହବିଷ କରି କାର୍ତ୍ତିକ ବ୍ରତ ରଖନ୍ତି l କେହି କେହି ମାସ ସାରା ପାଳି ନ ପାରିଲେ ମାସର ଶେଷ ପାଞ୍ଚଦିନ ପଞ୍ଚୁକ ବ୍ରତ ପାଳନ କରନ୍ତି l
4. ଏହି ମାସ ବଡ଼ ଦେଉଳରେ ଦୈନନ୍ଦିନ ରୀତି ନୀତି ଛଡ଼ା ଆଉ କେତେକ ସ୍ଵତନ୍ତ୍ର ନୀତି ପାଳନ କରାଯାଏ,ସେଗୁଡ଼ିକ ହେଉଛି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ,ପଞ୍ଚୁକ ବେଶ, ବାଳଧୂପ ନିତି ଇତ୍ୟାଦି l
5. ଏହି ସମୟରେ ଦୀପାବଳିରେ ଦୀପ ଦାନ, ଆକାଶଦୀପ,ବୋଇତ ବନ୍ଦାଣ,ରାଧାଦାମୋଦର ପୂଜା ସାଙ୍ଗକୁ ବଡ଼ଓଷା ବା ବାଲୁକା ପୂଜା ମଧ୍ୟ କରାଯାଏ l
6. ଅନ୍ୟ ମାସ ଅପେକ୍ଷା କାର୍ତ୍ତିକ ମାସରେ ଅଧିକ ପୁଣ୍ୟତିଥି ପଡ଼େ ଯଥା ଗୋବତ୍ସା ଦ୍ୱାଦଶୀ,ଧନ ତ୍ରୟୋଦଶୀ ବା ଧନତେରଶ,ନରକ ଚତୁର୍ଦ୍ଦଶୀ, କାଳୀ ପୂଜା, ଦୀପାବଳି ଓ ପୟା ଶ୍ରାଦ୍ଧ, ଯମ ଦ୍ୱିତୀୟା,ନାଗ ପଞ୍ଚମୀ,ଲାଭ ପଞ୍ଚମୀ,ଛଟ୍ ପୂଜା, ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ, ଅଁଅଳା ନବମୀ, ଭୀଷ୍ମ ପଞ୍ଚକ,ଦେବ ଉତ୍ଥାପନ ଏକାଦଶୀ,ଗରୁଡ଼ ଦ୍ୱାଦଶୀ,ବୈକୁଣ୍ଠ ଚତୁର୍ଦ୍ଦଶୀ,ବୋଇତ ବନ୍ଦାଣ ଓ ରାସପୂର୍ଣ୍ଣିମା l କଟକ ବାଲିଯାତ୍ରା ଏହି ସମୟରେ ଅନୁଷ୍ଠିତ ହୁଏ l
7. ପଞ୍ଚୁକ ପାଞ୍ଚଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଥାନ୍ତି l ମହାପ୍ରଭୁ ଜଗନ୍ନାଥ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଲକ୍ଷ୍ମୀନାରାୟଣ ବା ଠିଆକିଆ ବେଶ,ଦ୍ଵାଦଶୀରେ ବାଙ୍କଚୂଡ଼ାବେଶ,ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶ, ସୁନାବେଶ ବା ରାଜବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି l ପଞ୍ଚୁକ ମଳ ବା ଛଅ ଦିନ ପଡ଼ିଲେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ l
8. କାର୍ତ୍ତିକ ଶୁକ୍ଳଦଶମୀ ଗୁରୁବାରରେ ପଡ଼ିଲେ ତାହା ସୁଦଶା ବ୍ରତ ରୂପେ ପାଳନ କରି ମାଆ ଲକ୍ଷ୍ମୀଙ୍କ ପୂଜା କରାଯାଏ l ଏଥିରେ ଦଶ ପାଖୁଡ଼ା ପଦ୍ମ,ଦଶବର୍ଣ୍ଣ ମୁରୁଜ,ଦଶମୁଖୀ ଦୀପ,ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ,ଦଶଟି ମଣ୍ଡା ଏବଂ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ମାଆଙ୍କ ଦଶ ନାମକୁ – ଲକ୍ଷ୍ମୀ ନାରାୟଣୀ , କମଳିନୀ , ଶ୍ରୀ ହରିପ୍ରିୟା , ପଦ୍ମାଳୟା , କମଳା, ଚଞ୍ଚଳା, ବିଘ୍ନସେନୀ , ସିନ୍ଧୁ ଦୁଲଣୀ , ଦୁର୍ଗତି ନାଶିନୀ ଓ ବିଷ୍ଣୁ ପାଟରାଣୀ ଇତ୍ୟାଦି ସ୍ମରଣକରି ଦଶଖିଅ ଧଳା ସୂତାର ଏକ ବ୍ରତ ପୂଜା କରାଯାଏ l ବ୍ରତକୁ ପର ସୁଦଶା ବ୍ରତ ପର୍ଯ୍ୟନ୍ତ ଧାରଣ କରାଯାଏ l
9. କାର୍ତ୍ତିକମାସରେ ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳିଙ୍କ ସମାଗମ ହୋଇଥାଏ l ହବିଷ୍ୟାଳି ମାନେ ବ୍ରାହ୍ମ ମୁହୂର୍ତ୍ତରୁ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ତୁଳସୀ ଚଉରା ମୂଳେ ମହା ସଂକଳ୍ପ କରି ଏକ ମାସ ଧରି କାର୍ତ୍ତିକ ବ୍ରତ ପାଳନ କରନ୍ତି l
10. ଏହି ମାସରେ ଗ୍ରାମ ଏବଂ ସହରର ସବୁ ଦେବାଳୟ ମାନଙ୍କରେ ବିଭିନ୍ନ ପୂଜାପାଠ,ହୋମ ଯଜ୍ଞ ଅନୁଷ୍ଠିତ ହୁଏ l
11. ବହୁ ସ୍ଥାନରେ ଭାଗବତ ସପ୍ତାହ,ରାମଚରିତ ମାନସ ପାରାୟଣ,ହୋମଯଜ୍ଞ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ l
12. ସହରଠୁ ଆରମ୍ଭକରି ପୁରପଲ୍ଲୀରେ କାର୍ତ୍ତିକ ମାସରେ ବହୁ ସ୍ଥାନରେ 4/ 8/ 16/24/ 108 ପ୍ରହରୀ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୁଏ l
13. କାର୍ତ୍ତିକପୂର୍ଣ୍ଣିମା ଦେବଦୀପାବଳି,ଭଗବାନଙ୍କ ମୀନ ଅବତାରଙ୍କ ଜନ୍ମ,କାର୍ତ୍ତିକେୟ ଜନ୍ମ,ଦେବୀ ବୃନ୍ଦାବତୀଙ୍କ ଜନ୍ମ, ଭଗବାନ ଶ୍ରୀକୃଷ୍ଣଙ୍କ ରାସ ଉତ୍ସବ ଇତ୍ୟାଦି ଭାବେ ପାଳିତ ହୁଏ l
14. କାର୍ତ୍ତିକ ପୂର୍ଣ୍ଣିମା ଦିନଟି ଶିଖ ଧର୍ମାବଲମ୍ବୀ ମାନଙ୍କ ପାଇଁ ଅତି ପବିତ୍ର ଦିନ l ଏ ଦିନକୁ ସାରା ବିଶ୍ୱରେ ଶିଖମାନେ ଗୁରୁ ନାନକଙ୍କ ଜନ୍ମଦିନ,ଗୁରୁ ପ୍ରକାଶପର୍ବ, ଗୁରୁପର୍ବ ଭାବେ ପାଳନ କରି ଥାନ୍ତି l
ଏହିଭଳି ବହୁ ପବିତ୍ରଦିନ ଓ ପର୍ବପର୍ବାଣି ନେଇ ମାସଟି ପୁଷ୍ଟ ହୋଇଥିବାରୁ ଏହାକୁ ଏକ ପବିତ୍ର ମାସ ଭାବେ ଗଣ୍ୟ କରି ସାରା ଦେଶରେ ବିଭିନ୍ନ ଧର୍ମାନୁଷ୍ଠାନ ମାନ କରାଯାଏ l ଶ୍ରୀକ୍ଷେତ୍ରଧାମରେ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କର ରାଧା ଦାମୋଦର ବେଶ ଦର୍ଶନ ସହିତ ସ୍କନ୍ଧ ପୁରାଣ ଓ ମହାଦେବ ଦାସ ବିରଚିତ କାର୍ତ୍ତିକମାହାତ୍ମ୍ୟ ଶ୍ରବଣକରି ମହା ପ୍ରସାଦସେବନ କରିଥାନ୍ତି l ପୁଣ୍ୟମାସ କାର୍ତ୍ତିକରେ କ୍ଷୀର ସାଗରରେ ଅନନ୍ତଶାୟୀ ବିଷ୍ଣୁଙ୍କୁ ଧ୍ୟାନ କରି ସ୍ତୁତି କରାଯାଇ ଥାଏ :-
ନମଃ କମଳାକାନ୍ତାୟଃ
ନମସ୍ତେ ଜଳଶାୟୀନେ l
ନମସ୍ତେସ୍ତୁ ହୃଷିକେଶ ଗୃହାନାଂରର୍ଘ୍ୟ
ନମୋସ୍ତୁତେ ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.