୨୨ ବର୍ଷ ପରେ ବାପାଙ୍କୁ ଧରି ଗାଁରେ ପହଞ୍ଚିଲା ଝିଅ! ଜିପିଏସ୍‌ ଦେଖାଇଲା ରାସ୍ତା

ମାଲକାନଗିରି : ୧୭ ବର୍ଷରେ ଘର ଛାଡ଼ି ଥିଲେ। କାମ କରିବା ପାଇଁ ଆନ୍ଧ୍ରପ୍ରଦେଶ ଚାଲି ଯାଇଥିଲେ। ହେଲେ ଫେରିବା ବେଳେ ବାଟ ଭୁଲି ଗଲେ। ୨୨ ବର୍ଷ ପରେ ଘରକୁ ଫେରିବା ପାଇଁ ରାସ୍ତା ଦେଖାଇଲା ଝିଅ। ଜିପିଏସ୍‌ ମାଧ୍ୟମରେ ଘର ଖୋଜି ସାଥୀରେ ବାପାଙ୍କୁ ଧରି ୧୧୭୨.୧ କିମି ଦୂର ମାଲକାନଗିରିରେ ପହଞ୍ଚିଲେ ଝିଅ ଖୁସବୁ। ଆଜକୁ ୨୨ ବର୍ଷ ତଳେ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ଏମ୍‌ଭି-୧୩ ଗାଁର ନିରଞ୍ଜନ ସରକାର କାମ କରିବାକୁ ଆନ୍ଧ୍ରପ୍ରଦେଶ ଚାଲି ଯାଇଥିଲେ।

ସେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା। ପାଠଶାଠ ପଢ଼ିନଥିବାରୁ ସେ ଆନ୍ଧ୍ର କାମ କରୁଥିବା ବେଳେ ହଜି ଯାଇଥିଲେ। ତା’ପରଠାରୁ ତାଙ୍କର କୌଣସି ଖୋଜ ଖବର ପାଇନଥିଲେ ପରିବାର ଲୋକ। ପୁଅକୁ ନପାଇ ପରିବାର ଲୋକେ ଭଗବାନଙ୍କ ଭରସାରେ ନିରଞ୍ଜନ ସରକାର ଏହାରି ଭିତରେ କେମିତି କେଜାଣି ମୁମ୍ବାଇ ପଳାଇ ଯାଇଥିଲେ। ସେଠାରେ କାମ କରୁଥିଲେ। ବିବାହ ମଧ୍ୟ କରିଥିଲେ।

ନିରଞ୍ଜନ ବାହା ହେବା ପରେ କନ୍ୟା ସନ୍ତାନର ବାପା ହେଲେ। ହେଲେ ସେ ଘରକୁ ଫେରି ପାରୁନଥିଲେ। କାରଣ ଘର ଠିକଣା ଠିକ୍‌ ଭାବେ ତାଙ୍କର ମନେ ପଡ଼ୁନଥିଲା। ଏହାରି ଭିତରେ ଝିଅ ଖୁସ୍‌ବୁ ସରକାର ବଡ଼ ହେଲେ। ମୁମ୍ୱାଇରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଆଉ ବାପାଙ୍କୁ ତାଙ୍କ ଘର କେଉଁଠି ପଚାରିଥିଲେ। ନିରଞ୍ଜନ ଘର ଲୋକଙ୍କ କଥା କହିଥିଲେ। କେବଳ ଏତିକି କହିଲେ, ମୋ ଘର ମାଲକାନିରି ଜିଲ୍ଲାରେ। ହେଲେ ଠିକଣା କହିପାରିନଥିଲେ। ବାପାଙ୍କ ପୁରୁଣା କଥା ମନେ ପକାଇବା ପାଇଁ ଉଦ୍ୟମ କଲେ ଖୁସ୍‌ବୁ। ସେଥିପାଇଁ ସେ ମୋବାଇଲ୍‌ ଜିପିଏସ୍‌ର ସହାୟତା ନେଇଥିଲେ। ମାଲକାନଗିରି ଜିଲ୍ଲାର ଏମ୍‌ଭି-୧୩ ଗାଁ ସର୍ଚ୍ଚ କରିଥିଲେ ଖୁସ୍‌ବୁ। ଆଉ ତା’ପରେ ବାପାଙ୍କ ଠକଣା ପାଇଥିଲେ। ତା’ପରେ ନିରଞ୍ଜନ ସପରିବାରେ ଏମ୍‌ଭି-୧୩ ନମ୍ୱର ଗାଁରେ ପହଞ୍ଚି ଥିଲେ। ୨୨ ବର୍ଷ ପରେ ଗାଁରେ ପହଞ୍ଚିବା ପରେ ନିରଞ୍ଜନ ନିଜ ମାଆ ଓ ଭାଇଙ୍କୁ ପାଇଥିଲେ। ସେପଟେ ଘରକୁ ନିରଞ୍ଜନ ଫେରୁଥିବା ଜାଣି ଗାଁ ମୁଣ୍ଡରେ ପହଞ୍ଚିଥିଲେ ପରିବାର ଲୋକ। ନିରଞ୍ଜନଙ୍କୁ ଦେଖି ଭାବବ୍ୟୁହଳ ହୋଇପଡ଼ିଥିଲେ। ପୁଅକୁ କୁଣ୍ଢାଇ କାନ୍ଦି ପକାଇଥିଲେ। ଓଡ଼ିଆ କହିପାରୁନଥିବା ନାତୁଣୀଙ୍କୁ କୋଳେଇ ନେଇଥିଲେ ଜେଜେ ମାଆ।ଘରେ ରହିଥିଲେ।

Comments are closed.