ଥକା ମନ ଚାଲ ଏଥର,
କାର୍ତ୍ତିକେ ଦର୍ଶନ ଶିରିକ୍ଷେତର l (ଘୋଷା )
ସିନ୍ଧୁ ତଟେ ସେ କ୍ଷେତ୍ର ବର,
ତହିଁ ବିଜେ କଳି ଠାକୁର,
କାଳିଆ,ବଳିଆ,ଭଦ୍ରା, ସୁଦର୍ଶନ
ଚତୁର୍ଦ୍ଧା ମୂରତି କେଡ଼େ ସୁନ୍ଦର ll
ଏକାମ୍ରରେ ଲିଙ୍ଗ ଦର୍ଶନ,
ଗଉରୀ, ପାର୍ବତୀ ନନ୍ଦନ,
ଦକ୍ଷିଣେ ଚଳିବା ଶ୍ରୀକ୍ଷେତ୍ର ଧାମକୁ
ଭୁବନେଶ୍ୱରରୁ ଅଳପ ଦୂର ll
ବାଟେ ଦାଣ୍ଡ ମୁକୁନ୍ଦ ପୁର,
ବିଜେ ତହିଁ ବ୍ରଜ ସୁନ୍ଦର,
ଶ୍ରୀଜୟଗୋପାଳ ସୁନ୍ଦର ମୂରତି,
ଭକ୍ତ ସାଲବେଗ ଜନମ ପୁର ll
ପଥରେ ପଡ଼େ ବାଲି ଗାଆଁ,
ପୀଠ ତହିଁ ଭକ୍ତ ଦାସିଆ,
ନଡ଼ିଆ ହାତରେ ବସିଛି ବାଉରୀ
ହାତ ବଢ଼ାଇଲେ କଳା ଠାକୁର ll
ପୁଣି ଆସେ ବକୁଳ ବନ,
ବିଜେ ତହିଁ ନନ୍ଦ ନନ୍ଦନ,
ଶ୍ରୀରାଧା ରାଣୀଙ୍କି ଦରଶନ କର,
ସାକ୍ଷୀଗୋପାଳରେ ସାକ୍ଷୀ ଠାକୁର ll
ବାଟରେ ମା’ ବାଟ ମଙ୍ଗଳା,
ଆଗେ ଅଛି ଅଠର ନଳା,
ମଙ୍ଗଳେ ମାଆଙ୍କୁ ମୁଣ୍ଡିଆ ମାରିବା
ଦର୍ଶନ କରିବା ନୀଳ ଚକର ll
ନୀଳଚକ୍ରେ ଉଡ଼ୁଛି ବାନା,
କର ଯୋଡ଼ି କର ପ୍ରାର୍ଥନା,
ପତିତପାବନ ନାମଟି ତାହାର ,
ଦୁରିତ ପଳାଏ ଦର୍ଶନେ ଯାର ll
ସିଂହଦ୍ୱାରେ ପ୍ରବେଶ ଏବେ,
ଅରୁଣ ବସିଛନ୍ତି ସ୍ତମ୍ଭେ,
ପତିତ ତାରଣେ ପତିତପାବନ
ଭକ୍ତିଭରେ ତାଙ୍କୁ ଜୁହାର କର ll
ଗୁମୁଟେ ଫତେ ହନୁମାନ,
ଆଶୀର୍ବାଦ ତାହାଙ୍କ ଘେନ,
କାଶୀ ବିଶ୍ୱନାଥେ ଦରଶନ କରି,
ବାଇଶି ପାହାଚେ ଗମନ କର ll
ଗର୍ଭ ଗୃହେ ହରି ବାହନ,
ଗରୁଡ଼ ସେ ପକ୍ଷୀ ରାଜନ,
ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରି,
ଚତୁର୍ଦ୍ଧା ମୂରତି ଦର୍ଶନ କର ll
ତା’ପରେ ବେଢ଼ା ପରିକ୍ରମା,
ମା’ ବିମଳା ସାଗର ଜେମା,
ବଟ ଗଣେଶଙ୍କୁ ଦରଶନ କରି ,
ଆଶିର୍ବାଦ ଘେନ ଷୋଳ ଵିପର ll
ସେବା କର ଅବଢ଼ା ଅନ୍ନ ,
ସାକ୍ଷାତେ ଅମୃତ ସମାନ,
ଆନନ୍ଦ ବଜାର ଭକତ ଗହଳ ,
ବୈକୁଣ୍ଠ ଦର୍ଶନ ସମାପ୍ତ କର ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.