ଶ୍ରୀ ଶ୍ରୀ ତାରା ଭଗବତୀ ପରମା ଶକ୍ତି ସ୍ୱରୂପା l ମାଆ ସର୍ବ ଶକ୍ତିମୟୀ ସୃଷ୍ଟି,ସ୍ଥିତି ଏବଂ ସଂହାର କାରିଣୀ ରୂପେ ପୂଜିତା l ଶକ୍ତିତ୍ତତ୍ୱ, ତନ୍ତ୍ରତତ୍ତ୍ୱ ଓ ମୂର୍ତ୍ତିତତ୍ତ୍ୱ ଅନୁଯାୟୀ ଦେବୀଙ୍କର ଅସଂଖ୍ୟ ରୂପ ପରିକଳ୍ପିତ ହୋଇଛି l ଦେବୀଙ୍କର ଦଶବିଧ ରୂପ ହେଉଛି ଦଶ ମହାବିଦ୍ୟା l ଏହା ପୃଥକ ପୃଥକ ହୋଇ ଥିଲେ ମଧ୍ୟ ମୂଳତଃ ଏକ l ଶିବ ଓ ଶକ୍ତି ଏକ ଏବଂ ଅବିଛେଦ୍ୟ l ସମୁଦ୍ରମନ୍ଥନ କାଳରେ ଶିବ ହଳା ହଳ ପାନ କରିଥିଲେ l ଉତ୍କଟ ବିଷକୁ ପାନ କରିବା ପାଇଁ ଶିବଙ୍କ ଅଙ୍ଗରେ ଯେଉଁ ଶକ୍ତି ପ୍ରକଟ ହୋଇଥିଲା ତାହା ତାରା l ଅର୍ଥାତ ତାରଣ ନିମନ୍ତେ ଯେଉଁ ଶକ୍ତି ଦେଖାଗଲେ ସେ ହିଁ ତାରା l ଏଠାରେ ଶିବ ଯେଉଁ ଭୈରବ ରୂପ ନେଇଥିଲେ ତାହା ଅକ୍ଷୋଭ୍ୟ l ମାଆ ତାରା ହେଉଛନ୍ତି ଦଶ ମହାବିଦ୍ୟା ମାନଙ୍କ ମଧ୍ୟରେ ପ୍ରଥମ l ମହାବିଦ୍ୟା ମାନଙ୍କ ନାମ ଓ ତାଙ୍କର ଭୈରବ ମାନଙ୍କ ନାମ ଯଥାକ୍ରମେ :-
ତାରା- ଅକ୍ଷୋଭ୍ୟ,କାଳି – ମହାକାଳ ଛିନ୍ନମସ୍ତା – ଵିକରାଳ, ଭୁବନେଶ୍ୱରୀ – ମହାଦେବ, ବଗଳା – ମୃତ୍ୟଞ୍ଜୟ, ଧୂମାବତୀ – କାଳଭୈରବ, ତ୍ରିପୁରା ସୁନ୍ଦରୀ – ଲଳିତେଶ୍ୱର, ମାତଙ୍ଗୀ – ମାତଙ୍ଗ, ଷୋଡ଼ଶୀ – ନାରାୟଣ, ଭୈରବୀ – ବଟୁଳ l କେତେକ ଶାସ୍ତ୍ରରେ କାଳିଙ୍କ ବ୍ୟତୀତ ଅନ୍ୟ ନଅ ବିଦ୍ୟାଙ୍କୁ ନବ ଗ୍ରହଙ୍କ ଇଷ୍ଟଦେବୀ ରୂପେ ଅଭିହିତ କରାଯାଇଛି l ବୃହସ୍ପତିଙ୍କ ଇଷ୍ଟଦେବୀ ହେଉଛନ୍ତି ମାଆ ତାରା l ଗ୍ରହ ଶାନ୍ତିପାଇଁ ନବ ମହାବିଦ୍ୟାଙ୍କୁ ଆରାଧନା କରାଯାଏ l ମା’ ତାରା ହେଉଛନ୍ତି ବହୁ ପ୍ରାଚୀନ ଓ ଦ୍ୱିତୀୟ ମହାବିଦ୍ୟାl ତାରାଙ୍କ ଉତ୍ପତ୍ତି ସମ୍ପର୍କରେ ଗୋଟିଏ ପୌରାଣିକ କାହାଣୀ ଅଛି l ଦେବୀ ଦୁର୍ଗା ମହିଷାସୁର ନିଧନ ପରେ ଉର୍ଦ୍ଧ୍ୱମୁଖ ହୋଇ ତାଣ୍ଡବ ନୃତ୍ୟ କରିବାକୁ ଲାଗିବାରୁ ତ୍ରିପୁର ଥର ହର ହେବାକୁ ଲାଗିଲା l ଶାନ୍ତକରିବା ପାଇଁ ଦେବତା ମାନେ ଶ୍ରୀଵିଷ୍ଣୁଙ୍କ ଶରଣାଗତ ହେଲେ l ଵିଷ୍ଣୁ ଶାନ୍ତ ଶିବଙ୍କୁ କହିଲେ ଆପଣ ଯଦି ଦେବୀଙ୍କ ଉନ୍ମୁକ୍ତ ପାଦ ତଳକୁ ଚାଲିଯିବେ ତେବେ ଦେବୀଙ୍କ ଏହି ତାଣ୍ଡବ ବନ୍ଦ ହୋଇଯିବ l ତାହା ହିଁ ହେଲା l ଦେବୀଙ୍କ ପାଦ ଶିବଙ୍କ ଉପରେ ପଡ଼ିଯିବା ହେତୁ ଦେବୀ ଜିହ୍ୱାକାମୁଡି ସଚେତନ ହେଲେ ଓ ତାଣ୍ଡବ ପରିହାର କଲେ l ଫଳରେ ଜଗତ ଶାନ୍ତ ହେଲା l ଏହି କାହାଣୀଟି ରୂପ ପାଇଛି ମହାଦେବୀ ମାଆ ତାରାଙ୍କ ବିଗ୍ରହରେ l କେତେକଙ୍କ ମତରେ ସେ ବୌଦ୍ଧ ତନ୍ତ୍ରରୁ ଆନିତ l ତିବ୍ବତ ଏବଂ ଚୀନ ଆଦି ବୌଦ୍ଧ ଅଧ୍ୟୁଷିତ ଅଞ୍ଚଳରେ ତାରାପୂଜା ଓ ତାରା ତନ୍ତ୍ର ପ୍ରଚଳିତ ଥିବାର ଦେଖା ଯାଇଥାଏ l ତାରା ତୃ ଧାତୁରୁ ନିଷ୍ପନ୍ନ l ତୃ ଅର୍ଥ ତାରଣ କରିବା l ଯେ ତ୍ରାଣ ଅର୍ଥାତ ରକ୍ଷା କରନ୍ତି ସେ ହେଉଛନ୍ତି ତାରା, ‘ତାରୟତି ଇତି ତାରା’ l
ଦେବୀ ତାରା ହେଉଛନ୍ତି ନୀଳବର୍ଣ୍ଣା,ଏକଜଟା ଓ ଶିବାରୁଢ଼ା l ଦେବୀ ବାକ୍ ସିଦ୍ଧି ପ୍ରଦାନ କରିଥାନ୍ତି ବୋଲି ତାଙ୍କୁ ନୀଳ ସରସ୍ବତୀ କୁହାଯାଏ l ଉଗ୍ର ବା ଭୟାନକ ଓ କଠିନ ବିପଦରୁ ତାରଣ କରନ୍ତି ବୋଲି ମାଆ ଉଗ୍ରତାରା ରୂପେ ପରିଚିତା l ସେ ଭୟଙ୍କରୀ କିନ୍ତୁ ବରଦା ଓ ସୁଖ, ମୋକ୍ଷ ପ୍ରଦାନ କାରୀଣି l ସ୍ୱରୂପ ଦୃଷ୍ଟିରୁ କାଳି ଓ ତାରା ଅଭିନ୍ନ l ବୋଧିସତ୍ୱ ଅବଲୋକିତେଶ୍ବରଙ୍କ ସେ ହେଉଛନ୍ତି ଇଷ୍ଟ ଦେବୀ ଓ ଶକ୍ତି l ଦ୍ୱିତୀୟ ଶତାବ୍ଦୀର ସାଧକ ବଶିଷ୍ଟ, ବୋଧିସତ୍ୱ, ନାଗାର୍ଜୁନ ବା ସିଦ୍ଧ ନାଗାର୍ଜୁନ ହିଁ ତାଙ୍କର ପ୍ରଥମ ଉପାସକ ଥିଲେ, ନାଗାର୍ଜୁନଙ୍କ ଦ୍ୱାରା ତାରା ତନ୍ତ୍ର ଏବଂ ତାରା ଦେବୀ ଉତ୍କଳରେ ପ୍ରଚାରିତ ହୋଇଛନ୍ତି ବୋଲି ବିଶ୍ୱାସ କରାଯାଏ l ମାଆ ତାରା, ତାରିଣୀ ଭାବରେ ମଧ୍ୟ ପରିଚିତା l
ଓଡ଼ିଶାର ବହୁ ସ୍ଥାନରେ ମହାଦେବୀ ତାରା ପୂଜା ପାଉଛନ୍ତି l ତନ୍ମଧ୍ୟରୁ ଭୂଷଣ୍ଡ ପୁରର ଉଗ୍ରତାରା, ଘଟଗାଁ ତାରିଣୀ, ଝଙ୍କଡ଼ର ମାଆ ଶାରଳା,ମାଆ ତାରାତାରିଣୀ ଆଦି ଦେବୀଙ୍କ ପୀଠ ତାରାପୀଠ ଭାବେ ପରିଚିତ l ବଙ୍ଗପ୍ରଦେଶର ବୀରଭୂମରେ ମାଆ ତାରାଙ୍କ ବହୁପ୍ରସିଦ୍ଧ ତାରାପୀଠ ଅବସ୍ଥିତ l ରାମକୃଷ୍ଣ ପରମହଂସଙ୍କ ସମସାମୟିକ ଏଠିକା ସିଦ୍ଧ ସାଧକ ହେଉଛନ୍ତି ବାମା କ୍ଷେପା l ଆସାମ କାମାକ୍ଷା ପୀଠ କାମରୂପରେ ମା’ ତାରା ଓ ମା’ ଭୁବନେଶ୍ୱରୀଙ୍କ ମନ୍ଦିର ଅବସ୍ଥିତ l
ତନ୍ତ୍ର ଶାସ୍ତ୍ରରେ ମହା ବିଦ୍ୟାର ପାରିଭାଷିକ ନାମ ରାତ୍ରୀ l ଦେବୀଙ୍କ ନାମ କରଣ, ଆବିର୍ଭାବ କାଳ ଅନୁଯାୟୀ ମା’ ତାରାଙ୍କ କ୍ରୋଧ ହିଁ ରାତ୍ରୀ ଅଟେ l ମାଆଙ୍କର ଚାରିଶହସ୍ର ନାମ ରହିଛି l ତାରାଷ୍ଟକ ସ୍ତୋତ୍ରକୁ ପାଠ ଅବା ଶ୍ରବଣ କଲେ ସର୍ବାର୍ଥ ସିଦ୍ଧି ପ୍ରାପ୍ତି ହୋଇଥାଏ l
ପୁରାଣରେ ବହୁ ମୁନି ଋଷି ତାରାଙ୍କ ଠାରୁ ସିଦ୍ଧି ପ୍ରାପ୍ତ ହୋଇଛନ୍ତିବୋଲି ବର୍ଣ୍ଣିତ ଅଛି l କେତେକ ଗ୍ରନ୍ଥରେ ସାତ ପ୍ରକାର ତାରା ଥିବା ବେଳେ ଅନ୍ୟ କେତେକରେ ଏକୋଇଶି ତାରା ଥିବାର ସୂଚନା ମିଳେ l ଏକ ପ୍ରକାର ତାରା ହେଉଛନ୍ତି ମଙ୍ଗଳା l ଅଗ୍ନି ପୁରାଣରେ ତାଙ୍କୁ ଯୋଗିନୀ ରୂପେ ବର୍ଣ୍ଣନା କରାଯାଇଛି l
ପ୍ରାଚୀନ ତନ୍ତ୍ର ପୀଠ ମାନଙ୍କ ଭିତରୁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୂଷଣ୍ଡପୁରର ଉଗ୍ରତାରା ଅନ୍ୟତମ l ଏହି ପୀଠ ସ୍ମଶାନ, ଗୋଗୋଷ୍ଠ,ଜଳ ଉତ୍ସ, ବେଲ ବୃକ୍ଷର ସମାହାର ଓ ପାହାଡ଼ ମାଳା ପରିବେଷ୍ଟିତ l ଏହାର ଦକ୍ଷିଣରେ ଚିଲିକା ହ୍ରଦ l ପୀଠକୁ ଦେଖିଲେ ଏହା ଏକ ତନ୍ତ୍ରପୀଠ ବୋଲି ସ୍ୱତଃ ଧାରଣାହୁଏ l ଏହାର ପଞ୍ଚକ୍ରୋଶ ମଧ୍ୟରେ ଚଣ୍ଡେଶ୍ୱର,ଉତ୍ତରେଶ୍ଵର,ରାମେଶ୍ୱର,କପିଳେଶ୍ଵର ଓ ଗତେଶ୍ୱର ଆଦି ଶିବଲିଙ୍ଗ ମାନଙ୍କ ଉପସ୍ଥିତି ହେତୁ ଏହା ଏକ ସିଦ୍ଧପୀଠ l
ଭୂଷଣ୍ଡପୁର ରେଳ ଷ୍ଟେସନରୁ ଦୁଇ କିଲୋମିଟର ଦୂରରେ ଏକ ପ୍ରାକୃତିକ ରମଣୀୟ ପରିବେଶରେ ମାଆ ଉଗ୍ର ତାରାଙ୍କ ପୀଠ ଅବସ୍ଥିତ l ଜାତୀୟ ରାଜ ପଥରେ ଭୁବନେଶ୍ୱରରୁ ବ୍ରହ୍ମପୁର ଦିଗରେ ମାତ୍ର 50କିଲୋମିଟର ଦୂରରେ ମାଆଙ୍କ ପୀଠ l ଏ ପୀଠ ଚାରିପଟେ ଚମ୍ପାଗଡ଼, କନ୍ଧ ନୟାଗଡ଼, ଗଡବଡ, ଭଜାଗଡ଼, ଗଡ଼ ବଳଭଦ୍ରପୁର ଓ ଗଡ଼ ଖରଦ ଇତ୍ୟାଦି ଗଡ଼ ମାନ ଅବସ୍ଥିତ l ପୂର୍ବେ ଏ ଗଡ଼ ଗୁଡ଼ିକ ପାଇକାଳି ଗ୍ରାମ ଥିଲା l ନିକଟରେ ଭୈରବୀଙ୍କ ପୀଠ,ମା’ ବାଘେଇ ଠାକୁରାଣୀ ଓ ରାମଚଣ୍ଡୀଙ୍କ ମନ୍ଦିର ଅବସ୍ଥିତ l ପୀଠଟି ହରିପୁର ପ୍ରାକୃତିକ ବନ ମଧ୍ୟରେ ଅବସ୍ଥିତ l ପୀଢ଼ ଶୈଳୀ ନିର୍ମିତ 30 ଫୁଟ ଉଚ୍ଚ ମନ୍ଦିରରେ ମା’ ଉଗ୍ରତାରା ବିରାଜିତା l ବିଗ୍ରହର ଉଚ୍ଚତା ମାତ୍ର ଆଠ ଇଞ୍ଚ l ବିଗ୍ରହ ଗଠନ ଶୈଳୀକୁ ଲକ୍ଷ୍ୟ କରି କେତେକ ପ୍ରତ୍ନତତ୍ତ୍ୱବିତ ମତଦିଅନ୍ତି ଯେ ଏହା ବୁଦ୍ଧ ଯୁଗର l ମୂର୍ତ୍ତିର ବାମ ପାଦ ଶିବଙ୍କ ବକ୍ଷରେ ଥିବା ବେଳେ ଦକ୍ଷିଣ ପାଦ ଶିବଙ୍କ ଜାନୁ ଉପରେ ଅଛି l ତାଙ୍କ ଗଳାରେ ନରମୁଣ୍ଡ ମାଳ ଓ ହସ୍ତରେ ନାଗରାଜ l ଦେବୀଙ୍କ ତ୍ରିନେତ୍ର ରକ୍ତବର୍ଣ୍ଣା l ଦେବୀ ଚତୁର୍ଭୁଜା ଏବଂ ବ୍ୟାଘ୍ର ଚର୍ମ ପରିହିତା l ବାମହସ୍ତ ଦ୍ୱୟରେ ସେ ଖଣ୍ଡା ଓ କଟାରି ଧାରଣ କରିଛନ୍ତି, ଶରୀର ସର୍ପାବୃତ ଓ ମାଆଙ୍କ ମସ୍ତକରେ ଶୋଭାପାଉଛି ଅର୍ଦ୍ଧଚନ୍ଦ୍ର l ମନ୍ଦିର ଗାତ୍ରରେ ଦଶ ମହାବିଦ୍ୟାଙ୍କ ମୂର୍ତ୍ତି ଅଛି l ପାର୍ଶ୍ଵ ଦେବଦେବୀ ଭାବେ ରହିଛନ୍ତି ମହାଦେବ, ନୃସିଂହ, ପର୍ଶୁରାମ, ଗଣେଶ ଏବଂ ହନୁମାନ l
ପ୍ରତ୍ୟହ ପ୍ରାତଃ କାଳରେ ଚୁଡ଼ା ଘଷା, ମଧ୍ୟାହ୍ନରେ ଅନ୍ନ,ଖେଚୁଡ଼ି,ଡାଲି, ଆମିଷ ନିରାମିଷ ବ୍ୟଞ୍ଜନ, ଖିରି ଆଦି ପ୍ରସାଦ ଲାଗି କରାଯାଏ ଓ ସନ୍ଧ୍ୟାରେ ଫଳ ଭୋଗ ହୋଇଥାଏ l ଏଠିକାର ଚୁଡ଼ା ଘସା ଭୋଗ ବହୁତ ପ୍ରସିଦ୍ଧ l ମାଆଙ୍କର ପୂଜା ପଞ୍ଚ ମ କାର ଓ ତନ୍ତ୍ରମତେ ହେଉଥିବାରୁ ଆମିଷ ସହିତ ବେଲପତ୍ର ଭୋଗରେ ଲାଗି ହୋଇଥାଏ l ମଧ୍ୟାହ୍ନ ଧୂପ ପରେ ପରେ ସର୍ବସାଧାରଣଙ୍କ ପାଇଁ ପ୍ରସାଦ ଉପଲବ୍ଧ ହୁଏ l ପ୍ରତିବର୍ଷ ଜ୍ୟେଷ୍ଠ-ଆଷାଢ଼ ମାସ ରଜ ସଂକ୍ରାନ୍ତିଠାରୁ ପନ୍ଦରଦିନ ପର୍ଯ୍ୟନ୍ତ ମାଆଙ୍କ ପୂଜା ଲାଗି ରହିଥାଏ l ଏହି ସମୟରେ ମାଆଙ୍କୁ ଲକ୍ଷ୍ମୀ ବେଶ କରା ଯାଇଥାଏ l ଶାରଦୀୟ ଏବଂ ଚୈତ୍ର ନାବରାତ୍ରରେ ମାଆଙ୍କ ଷୋଡଶୋପଚାର ପୂଜା ଓ ଯଜ୍ଞ ହୋଇଥାଏ l ମାଆଙ୍କର କାର୍ତ୍ତୀକ ମାସରେ ଶ୍ୟାମାକାଳୀ, ବସନ୍ତ ପଞ୍ଚମୀରେ ମହା ସରସ୍ବତୀ ଓ ଅକ୍ଷୟ ତୃତୀୟାରେ ଚନ୍ଦନ ବେଶ ଅନୁଷ୍ଠିତ ହୁଏ l ଦଶହରାରେ ଏଠାରେ ସମର କଳା ପ୍ରଦର୍ଶନ ସ୍ୱରୂପ ପାଇକ ଆଖଡ଼ା ଅନୁଷ୍ଠିତ ହୁଏ l ଏକଦା ବକ୍ସି ଜଗବନ୍ଧୁ ଏହିଠାରେ ଆତ୍ମ ଗୋପନ କରିଥିଲେ l ସେତେବେଳେ ଇଂରେଜ ମାନେ ମାଆଙ୍କର ପ୍ରଭାବ ଯୋଗୁଁ ବକ୍ସିଙ୍କୁ ବନ୍ଦୀ କରିବାକୁ ସାହସ କରି ନଥିଲେ l
ଏ ପୀଠ ସମ୍ବନ୍ଧରେ ଏକ କିମ୍ବଦନ୍ତୀ ଶୁଣାଯାଏ ଯେ ଅତୀତରେ ଅକ୍ଷୋଭ୍ୟ ନାମକ ଏକ ତପସ୍ବୀ ତାରା ଯନ୍ତ୍ର ଉପରେ ଉଗ୍ର ତାରାଙ୍କୁ ପ୍ରତିଷ୍ଠା କରି ତାନ୍ତ୍ରିକ ମତରେ ପୂଜା କରୁଥିଲେ l ମାଆଙ୍କୁ ନର ବଳି ଅର୍ପଣ କରା ହେଉ ଥିଲା l ତାନ୍ତ୍ରିକ ଋଷିଙ୍କ ମୃତ୍ୟୁ ପରେ ଦେବୀ ଅଭୁକ୍ତ ରହି ଅତି କ୍ଷୋଭର ସହିତ ଅରଣ୍ୟରେ ବୁଲୁଥିଲେ l ଅରଣ୍ୟ ମଧ୍ୟରେ ବାସ କରୁଥିବା କନ୍ଧ ନରପତି ଦେବୀଙ୍କର ପୂଜା କରିବାକୁ ଲାଗିଲେ l କିନ୍ତୁ ତାଙ୍କ ପୂଜାରେ ଦେବୀ ସନ୍ତୁଷ୍ଟ ନ ହେବାରୁ ଏହି କନ୍ଧ ମାନେ ସବଂଶେ ନିପାତ ହୋଇଥିଲେ l ଏଣୁ ମାଆଙ୍କ ପୂଜା ଅତି ନିଷ୍ଠାର ସହିତ ପାଳନ କରାଯାଏ l
ମା ଉଗ୍ରତାରାଙ୍କୁ ସ୍ଥାନୀୟ ଲୋକେ ତାରା ଦେଇ ବୋଲି କହି ଥାନ୍ତି l ମା’ ମୂଳଝର ଗଡ଼ ପାଇକ ଗ୍ରାମର ଯୁଦ୍ଧ ଦେବୀ l ପୂର୍ବେ ଏହି ଗଡ଼ ପାଇକ ମାନେ ଓ ଖୋର୍ଦ୍ଧା ଗଜପତି ମାଆଙ୍କୁ ପୂଜା କରି ଯୁଦ୍ଧଯାତ୍ରା କରୁଥିଲେ l ମାଆ ଉଗ୍ରତାରା ପ୍ରଥମେ ଏକ ବଉଳ ଗଛ ମୂଳରେ ପୂଜା ହେଉ ଥିଲେ l ପରବର୍ତ୍ତୀ କାଳରେ ଏଠି ସ୍ଥାୟୀ ମନ୍ଦିର ନିର୍ମାଣ ହୋଇଛି l ଏବେକା ମନ୍ଦିରଟି, ନିକଟ ବୋଡ଼ଙ୍ଗ ଗ୍ରାମର ସ୍ବର୍ଗତ ନାରାୟଣ ତ୍ରିପାଠୀଙ୍କ ଉଦ୍ୟମ କ୍ରମେ ନିର୍ମାଣ ହୋଇଛି l ମନ୍ଦିରକୁ 1936-46 ମସିହା ମଧ୍ୟରେ ଗଜପତି ରାମଚନ୍ଦ୍ରଦେବ ପ୍ରତିଷ୍ଠା କରିଥିଲେ l ପ୍ରତିଷ୍ଠା ଉତ୍ସବରେ କେନ୍ଦୁଝର ରାଜା ବଳଭଦ୍ର ଭଞ୍ଜଦେଓ ସପରିବାରେ ଯୋଗ ଦେଇ ଥିଲେ l ସେତେବେଳେ କେନ୍ଦୁଝର ରାଜା ମାନେ ଉଗ୍ରତାରାଙ୍କ ଭକ୍ତ ଥିଲେ ଓ ମାଆ ଉଗ୍ରତାରାଙ୍କ ସହିତ ଘଟ ଗାଁ ମାଆ ତାରିଣୀଙ୍କ ସମ୍ପର୍କ ଅଛି l
ଜନଶ୍ରୁତିରୁ ଜଣାଯାଏ ଦକ୍ଷିଣକୁ ଯାତ୍ରା କରୁଥିବା ବେଳେ ଜଣେ ସନ୍ନ୍ୟାସୀ କାଶୀ ପୁର ନିକଟସ୍ଥ ଚିତ୍ରକୂଟ ପର୍ବତ ତଳେ ଦୁଇ ଗୋଟି ମୂର୍ତ୍ତିକୁ ଏକ ତେନ୍ତୁଳି ଗଛ ତଳେ ଦେଖି ଥିଲେ l ମୂର୍ତ୍ତି ଦ୍ବୟଙ୍କୁ ପୂଜାକରି ଯୋଗ ବଳରେ ଜାଣିପାରିଲେ ଯେ ଏ ହେଉଛନ୍ତି ଭୈରଵୀ ଏବଂ ତାରା l ତାରାଙ୍କୁ ତାଙ୍କ ସଙ୍ଗରେ ନେବାକୁ ଦେବୀଙ୍କୁ ସେ ପ୍ରାର୍ଥନାକରନ୍ତେ ତାରା ଗୋଟିଏ ସର୍ତ୍ତ ରଖି ରାଜି ହେଲେ l ସର୍ତ୍ତ ରହିଲା ସନ୍ନ୍ୟାସୀ ଆଗେ ଆଗେ ଚାଲିବେ ଏବଂ ତାରା ପଛେ ପଛେ ଯିବେ l ସନ୍ନ୍ୟାସୀ କୌଣସି ପରିସ୍ଥିତିରେ ପଛକୁ ଚାହିଁବେ ନାହିଁ l କିନ୍ତୁ ଜଙ୍ଗଲ ମଧ୍ୟରେ ତାଙ୍କର ସନ୍ଦେହ ହେବାରୁ ସେ ପଛକୁ ଚାହିଁ ଦେଲେ l ଦେବୀ ସେହି ଠାରେ ରହିଲେ l ସେ ସ୍ଥାନଟି ହେଉଛି ମୂଳଝର ଗଡ଼ l ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ସ୍ଥାନଟି ପ୍ରଥମେ ଲୋକଲୋଚନକୁ ଆସିଥିଲା ଏବଂ ସେ ମାଆଙ୍କ ପୂଜା ପାଇଁ ଜମି ସେବା ଆଦି ଖଞ୍ଜି ଦେଇଥିଲେ l ତାଙ୍କ ସହିତ ଦକ୍ଷିଣାତ୍ୟର ମୁସଲମାନ ମାନଙ୍କର ଏଠାରେ ଏକ ଯୁଦ୍ଧ ହୋଇ ଉଭୟ ପକ୍ଷର ବହୁ ସୈନ୍ୟ ମୃତାହତ ହୋଇଥିଲେ l ଏହାରି ଉପରେ ଏ ତନ୍ତ୍ର ପୀଠ ନିର୍ମିତ ହୋଇଥିଲା l ବୌଦ୍ଧ ତନ୍ତ୍ର ଶାସ୍ତ୍ର ଅନୁଯାୟୀ ତାରା ଓ ଶିବ ଅର୍ଦ୍ଧନାରୀଶ୍ୱର l ତାରା (ନକ୍ଷତ୍ର) ଜଗତ ଆଲୋକିତ କରି ଦିବସ ସୃଷ୍ଟି କରେ ଏବଂ ଶିବ(ସୋମ ବା ଚନ୍ଦ୍ର) ରାତ୍ରିର ଅମା ଅନ୍ଧକାରକୁ ଦୂର କରେ l ଫଳରେ ଦିବସ ଓ ରାତ୍ରୀ ଏହି ଦୁଇ ଶକ୍ତି ଦ୍ୱାରା ନିୟନ୍ତ୍ରିତ ହୁଅନ୍ତି l ଉଗ୍ରତାରା ପ୍ରତ୍ୟକ୍ଷ ଫଳଦାୟିନୀ ଦେବୀ l ଏଣୁ ମାଆଙ୍କ ପୂଜା ଖୁବ ନିଷ୍ଠା ସହ ସମ୍ପାଦିତ ହୁଏ l ମାଆଙ୍କ ଧ୍ୟାନ ମନ୍ତ୍ର ହେଲା :-
ଓଁ ଚତୁର୍ଭୁଜାମ୍ ନୀଳବର୍ଣ୍ଣାମ୍
ଜଟାଯୁକ୍ତାମ୍ ମାଭୀମାମ୍ l
ଲମ୍ବୋଦରାମ୍ ବରପ୍ରଦାଂ
ବନ୍ଦେ ହର ହୃଦି ସ୍ଥିତାଂ ll
ସର୍ବଶକ୍ତିମୟୀମ୍ ନିତ୍ୟା
ବ୍ରହ୍ମମୟୀମ୍ ପରାତ୍ପରମ୍ l
ଜ୍ଞାନରୂପାମ୍ ମହାଦେବୀଂ
ତାରିଣୀଂ ପ୍ରଣମ୍ୟାମ୍ୟହଂ ll
କ୍ଷୁଦ୍ର ଝରଣା ଏବଂ ପାହାଡ଼ ପରିବେଷ୍ଟିତ ସବୁଜ ବନାନୀ ମଧ୍ୟରେ ଅବସ୍ଥିତ ଏହି ମନୋରମ ପୀଠ ଗୋଟିଏ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ l ମାଆ ଭଗବତୀ, ନାରାୟଣୀ ଏବଂ ଚିଲିକା ଦର୍ଶନରେ ଯାଉଥିବା ପର୍ଯ୍ୟଟକମାନେ ଉଗ୍ରତାରାଙ୍କୁ ଦର୍ଶନ କରିବାକୁ ହାତଛଡା କରି ନଥାନ୍ତି l ଏଠାରୁ ଅଳ୍ପ ଦୂରରେ ମଙ୍ଗଳାଯୋଡ଼ି ଚିଲିକା ପକ୍ଷୀ ନୀରିକ୍ଷଣ କେନ୍ଦ୍ର ଅବସ୍ଥିତ ଯେଉଁଠି ଦର୍ଶକଗଣ ବହୁ ଦେଶୀ ବିଦେଶୀ ପକ୍ଷୀ,ମରାଳମାଳିନୀ ନୀଳାମ୍ବୁ ଚିଲିକା ମଧ୍ୟରେ କ୍ରୀଡା କରୁଥିବା ଦୃଶ୍ୟ ଉପଭୋଗ କରି ଥାନ୍ତି l ଏହାକୁ ରାଜ୍ୟ ସରକାର ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି ଓ ପୀଠର ରକ୍ଷଣା ବେକ୍ଷଣ ଦାୟିତ୍ୱ ଦେବୋତ୍ତର ବିଭାଗ ତୁଲାଉଛି l ଏହା ଏକ ପୁରାତନ ଶକ୍ତି ପୀଠ ଓ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ହୋଇ ଥିବାରୁ ବହୁ ଦର୍ଶକ ପ୍ରତି ଦିନ ଏଠାକୁ ଆସନ୍ତି l ମାଆଙ୍କ ସାନ୍ନିଧ୍ୟ ସାଙ୍ଗକୁ ଏହାର ଦୃଶ୍ୟରାଜି ବାସ୍ତବ ପକ୍ଷେ ଅପାସୋରା l ଏହି ସ୍ଥାନର ଅପରୂପ ସୌନ୍ଦର୍ଯ୍ୟ କବି କଣ୍ଠରେ ରୁପାୟିତ ହୋଇଛି :-
ଝର ଝର ଝର ଝରି ଯାଉଅଛି
ଝରଣାର ସ୍ଵଛ ନୀର l
ଘନବନ ବେଣୀ ଘେରି ରହି ଅଛି
ଅରଣ୍ୟ ବନସ୍ତ ଘୋର l
ଆକାଶକୁ ଛୁଇଁ ହାତୀଆ ପାହାଡ଼
ରହିଅଛି ତୁନି ହୋଇ l
ଅଦୂରେ ଚିଲିକା ମଥା ପିଟୁଥାଏ
ନିତି ତରଙ୍ଗିତ ହୋଇ l
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.