ବିଜେପିର ବରିଷ୍ଠ ନେତାଙ୍କ ପିଏ ପରିଚୟ ଦେଇ ଠକୁଥିଲା, ବାନ୍ଧିଲା କମିଶନରେଟ ପୁଲିସ

0

ଭୁବନେଶ୍ବର : ନିଜକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ବୋଲି ପରିଚୟ ଦେଇ ଓଡ଼ିଶାର ଜଣେ ରାଜ୍ୟସଭା ସାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଠକିଥିବା ଜଣେ ବ୍ୟକ୍ତିଙ୍କୁ ରବିବାର କମିଶନରେଟ୍ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଗନ୍ନାଥ ମଣ୍ଡଳ। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରେ।

କମିଶନରେଟ୍ ପୁଲିସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ନଭେମ୍ବର ୨୭ ତାରିଖରେ ଅଭିଯୋଗକାରୀଙ୍କ ନିକଟକୁ ଏକ ହ୍ୱାଟ୍ସଆପ୍ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ଭାରତ ସରକାରଙ୍କ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପିଏ ସଞ୍ଜୟ ତିୱାରୀ ବୋଲି ପରିଚୟ ଦେଇଥିଲେ। କଥାବାର୍ତ୍ତା ସମୟରେ ଅଭିଯୁକ୍ତ ମଣ୍ଡଳ ଭୁବନେଶ୍ୱରର ଜୟଦେବ ବିହାରସ୍ଥିତ ଏକ ହୋଟେଲରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ଦୁଇଟି ରୁମ୍ ବୁକ୍ କରିବାକୁ କହିଥିଲେ। ଏଥିପାଇଁ ଅଭିଯୋଗକାରୀ ଫୋନ୍‌ପେ ଜରିଆରେ କଲ୍ କରିଥିବା ବ୍ୟକ୍ତି ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ୧୩,୫୦୦ ଟଙ୍କା ପଠାଇଥିଲେ। ତେବେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ରବିବାର ଗିରଫ କରିଛି।

ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଛି ଯେ, ଏହା ପୂର୍ବରୁ ଚଳିତ ବର୍ଷ ଜୁନ୍ ୨୦ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଟାଉନ୍ ଥାନାରେ ରୁଜୁ ହୋଇଥିବା ମାମଲା ନଂ ୨୭୯/୨୬ରେ ମଣ୍ଡଳଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଥିଲା। ସେହି ମାମଲାରେ ସେ ବିଜେପିର ଜାତୀୟ ସଭାପତି ନିତିନ ନବୀନଙ୍କ ବ୍ୟକ୍ତିଗତ ସହାୟକ (ପିଏ) ପରିଚୟ ଦେଇ ଠକେଇ ଉଦ୍ୟମ କରିଥିଲେ । ନିତିନ ନବୀନଙ୍କ ପିଏ ପରିଚୟ ଦେଇ ଅଭିଯୁକ୍ତ ୫୦ ହଜାର ଟଙ୍କା ଦାବି କରିଥିଲେ। ଗୁପ୍ତ ସର୍ଭେ ଓ ଦଳୀୟ କାର୍ଯ୍ୟ ପାଇଁ ଏହି ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ। ଅଭିଯୋଗକାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସେ ପରିଚୟ ପଚାରିଥିଲେ। ଏଥିରେ ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦଳର ସଭାପତିଙ୍କ ନିକଟରେ ତାଙ୍କ ଓ ବିଧାୟକଙ୍କ ବିରୋଧରେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ ବୋଲି କମିଶନରେଟ୍ ପୁଲିସ କହିଛି। ତଦନ୍ତକାରୀ ଅଧିକାରୀମାନେ ଆହୁରି ଜାଣିବାକୁ ପାଇଛନ୍ତି ଯେ, ଅଭିଯୁକ୍ତ ମଣ୍ଡଳଙ୍କ ନାମରେ ଓଡ଼ିଶା ସମେତ ଗୁଜରାଟ ଓ କର୍ଣ୍ଣାଟକ ଭଳି ଦେଶର ବିଭିନ୍ନ ରାଜ୍ୟରେ ଏକାଧିକ ଅପରାଧିକ ମାମଲା ରହିଛି।

Leave A Reply

Your email address will not be published.