ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ମନୋନୀତ ହେଲେ ଗୋଷାଣି ପିଏମ୍‌ଶ୍ରୀ ହାଇସ୍କୁଲର ଛାତ୍ରୀ ପୁଣ୍ୟବତୀ ।

0

ଗଜପତି,୨୮.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୋଷାଣି ପିଏମ୍‌ଶ୍ରୀ ସରକାରୀ ହାଇସ୍କୁଲର ଛାତ୍ରୀ କାଲାବାଲା ପୁଣ୍ୟବତୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬-୨୭ରେ ନିଜର ବିଜ୍ଞାନ ପ୍ରକଳ୍ପ ଉପସ୍ଥାପନା ପାଇଁ ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଭୁବନେଶ୍ୱରସ୍ଥିତ ଡୁନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଆୟୋଜିତ ମନୋନୟନ ପ୍ରକ୍ରିୟାରେ ୩୦୦ଟି ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ ମଧ୍ୟରୁ ପୁଣ୍ୟବତୀଙ୍କ ପ୍ରକଳ୍ପ ଜୁରୀ ସଦସ୍ୟଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା।ତାଙ୍କର ପ୍ରକଳ୍ପର ଶୀର୍ଷକ “ଷ୍ଟଡି ଅଫ୍ ଇକୋ-ବାୟୋ ଇନ୍‌ସେକ୍ଟିସାଇଡ୍‌ସ ଇନ୍ କ୍ରପ୍ ଏନ୍‌ରିଚ୍‌ମେଣ୍ଟ” ଥିଲା। ଏହି ପ୍ରକଳ୍ପ ଜାତୀୟସ୍ତରରେ ଉପସ୍ଥାପନା ପାଇଁ ମନୋନୀତ ହୋଇଥିବା ଜଣାପଡିଛି।ପ୍ରକଳ୍ପ ମାଧ୍ୟମରେ ରାସାୟନିକ କୀଟନାଶକର ବ୍ୟବହାର ବିନା ପରିବେଶ ଅନୁକୂଳ ଜୈବ କୀଟନାଶକର ଉପଯୋଗ, ଜୈବ ବିବିଧତାର ସୁରକ୍ଷା ଏବଂ ଫସଲର ଉନ୍ନତି ସହ ଚିରସ୍ଥାୟୀ କୃଷିର ସମ୍ଭାବନା ସମ୍ପର୍କରେ ସେ ନିଜର ଗବେଷଣାମୂଳକ ଚିନ୍ତାଧାରା ଓ ନବସୃଜନ କ୍ଷମତାର ପରିଚୟ ଦେଇଛନ୍ତି।ଏହି ସଫଳତା ପଛରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିବରାମ ପାଣିଗ୍ରାହୀଙ୍କ ପ୍ରେରଣା ଓ ମାର୍ଗଦର୍ଶନ ରହିଛି। ତାଙ୍କର ସହଯୋଗରେ ପୁଣ୍ୟବତୀ ଏହି ଅଭିନବ ପ୍ରକଳ୍ପ ପ୍ରସ୍ତୁତ କରିବା ସହ ନିଜର ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି।ଛାତ୍ରୀଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ, ବିଜ୍ଞାନ ନିରୀକ୍ଷକ ୱାଇ. କ୍ରିଷ୍ଣା ରାଓ, ଗୋଷାଣି ବ୍ଲକ୍ ଶିକ୍ଷା ଅଧିକାରୀ ଟି. କିଶୋର ଏବଂ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଏନ୍. ବିମଳ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜାତୀୟସ୍ତରରେ ସଫଳତା ହାସଲ ନିମନ୍ତେ ଶୁଭକାମନା ଜଣାଇଛନ୍ତି।
ପୁଣ୍ୟବତୀଙ୍କ ଏହି ସଫଳତା ଗୋଷାଣି ବ୍ଲକ୍ ସମେତ ସମଗ୍ର ଗଜପତି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି।

Leave A Reply

Your email address will not be published.