ଜୀବନର ନିକଟତମ ବାସ୍ତବତାକୁ ନେଇ ରଚିତ କଲ୍ୟାଣୀ ନନ୍ଦଙ୍କ ଗଳ୍ପ ସଂକଳନ ‘ଲୁହର ଲାବଣ୍ୟ’ ଲୋକାର୍ପିତ

•ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ପ୍ରଥମ ଗଳ୍ପ ପୁସ୍ତକ ଉନ୍ମୋଚନ;

0
ବାଲେଶ୍ୱର, ୨୮/୧୧ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଗାଳ୍ପିକା କଲ୍ୟାଣୀ ନନ୍ଦଙ୍କ ପ୍ରଥମ ଗଳ୍ପ ସଂକଳନ ‘ଲୁହର ଲାବଣ୍ୟ’ ସ୍ଥାନୀୟ ସ୍ରଷ୍ଟା ନାଟ୍ୟାଳୟ ଠାରେ ଲୋକାର୍ପିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଏଥିରେ ପୌରୋହିତ୍ୟ କରିଥିବା ବେଳେ ଗାଳ୍ପିକାଙ୍କ ସ୍ୱାମୀ ମନ୍ମଥ କୁମାର ସାହୁ ଅନ୍ୟ ଅତିଥିମାନଙ୍କ ସହ ପୁସ୍ତକଟିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ।
ଅତିଥି ବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ପ୍ରଫେସର ଡକ୍ଟର ଦେବାଶିଷ ପାତ୍ର, ବରିଷ୍ଠ ଗବେଷକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏବଂ ଯଶସ୍ୱୀ ଗାଳ୍ପିକ ନିବାରଣ ଜେନା ଯୋଗଦେଇ ପୁସ୍ତକର ଗଳ୍ପଗୁଡ଼ିକ ଉପରେ ମତ ରଖିଥିଲେ। ସେମାନେ କହିଥିଲେ ଯେ, ସଂକଳନର ପ୍ରତ୍ୟେକ ଗଳ୍ପ ବାସ୍ତବ ଜୀବନର ଅତି ନିକଟବର୍ତ୍ତୀ। ଅଳ୍ପ ଶବ୍ଦରେ ଗଳ୍ପ କହିବାର କଳା ଗାଳ୍ପିକା ଆୟତ୍ତ କରିଥିବାରୁ ଗଳ୍ପଗୁଡ଼ିକ ସରଳ, ସୁଖପାଠ୍ୟ ଓ ଆକର୍ଷଣୀୟ ହୋଇପାରିଛି।
ଅଜସ୍ର କବିତା ରଚନା କରିଥିବା କଲ୍ୟାଣୀ ନନ୍ଦ ଏବେ ଗଳ୍ପ ରଚନାରେ ଅଧିକ ମନୋନିବେଶ କରିବେ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ଗାଳ୍ପିକା କଲ୍ୟାଣୀ ନନ୍ଦ ନିଜର ଲେଖକୀୟ ଅଭିବ୍ୟକ୍ତି ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଓ ଚିନ୍ମୟୀ ପ୍ରିୟଦର୍ଶିନୀ ମିଶ୍ର ପୁସ୍ତକ ସମ୍ପର୍କରେ ନିଜ ନିଜ ମତାମତ ରଖିଥିଲେ। ଅନୁଷ୍ଠାନର ଯୁଗ୍ମ ସମ୍ପାଦିକା ଶାନ୍ତିଲତା ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବାବେଳେ ଗାଳ୍ପିକା ସ୍ମୃତି ଦାସ ଶେଷକଥା ରଖିଥିଲେ।
ଉତ୍ସବରେ ସହରର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ।
Leave A Reply

Your email address will not be published.