ଉତ୍ତର ବାଲେଶ୍ୱରରେ ୪ ବର୍ଷିଆ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ବିସ୍ତାର ପାଇଁ ଦାବି ହେଲା ବିଧାନସଭାରେ

•ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ପ୍ରସ୍ତାବ; ଆଗାମୀ ଦିନରେ ଗୁରୁତ୍ୱର ସହ ବିଚାର କରିବେ ସରକାର

0
ବାଲେଶ୍ୱର, ୨୮/୧୧ (କୃଷ୍ଣ କୁମାର ମହାନ୍ତି): ଉତ୍ତର ବାଲେଶ୍ୱରରେ ଶିକ୍ଷକ ଶିକ୍ଷାର ସୁଯୋଗ ବୃଦ୍ଧି ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅନ୍ୟ ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ଅଧିକ ଅର୍ଥ ବ୍ୟୟରୁ ରକ୍ଷା କରିବା ଉଦ୍ଦେଶ୍ୟରେ ବିଧାନସଭାରେ ଦାବି ଉଠାଇଛନ୍ତି ବସ୍ତା ବିଧାୟିକା ସୁବାସିନୀ ଜେନା। ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଉତ୍ତର ବାଲେଶ୍ୱରର ପ୍ରମୁଖ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକରେ ଚାରି ବର୍ଷିଆ ଇଣ୍ଟିଗ୍ରେଟେଡ୍ ଟିଚର୍ ଏଜୁକେସନ ପ୍ରୋଗ୍ରାମ (ଆଇ.ଟି.ଇ.ପି.) ଆରମ୍ଭ କରିବା ପାଇଁ ସେ ଉଚ୍ଚଶିକ୍ଷା ବିଭାଗକୁ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍.ସି.ଟି.ଇ.) ନିକଟରେ ଆବେଦନ କରିବାକୁ ଅନୁରୋଧ କରିଛନ୍ତି।
ଓଡ଼ିଶା ବିଧାନସଭାର ପ୍ରଶ୍ନକାଳରେ ଉଚ୍ଚଶିକ୍ଷା ବିଭାଗ ସମ୍ପର୍କିତ ଆଲୋଚନା ସମୟରେ ଏକ ସପ୍ଲିମେଣ୍ଟାରୀ ପ୍ରଶ୍ନ ଉଠାଇ ବିଧାୟିକା ଜେନା କହିଥିଲେ ଯେ, ବାଲେଶ୍ୱର ଜିଲ୍ଲାରେ ଶିକ୍ଷକ ଶିକ୍ଷା ପାଇଁ ସୁଯୋଗ ସୀମିତ ରହିଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ମଧ୍ୟ ସିଟ୍ ସଂଖ୍ୟା ଯଥେଷ୍ଟ ନୁହେଁ।
ଏହାର ପରିଣାମରେ ଉତ୍ତର ବାଲେଶ୍ୱରର ବହୁ ମେଧାବୀ ଛାତ୍ରଛାତ୍ରୀ ଶିକ୍ଷକ ତାଲିମ ପାଇଁ ପଶ୍ଚିମବଙ୍ଗ ଓ ଦକ୍ଷିଣ ଭାରତର ଘରୋଇ କଲେଜଗୁଡ଼ିକୁ ଯାଉଛନ୍ତି। ସେଠାରେ ଲକ୍ଷାଧିକ ଟଙ୍କା ବ୍ୟୟ କରିବାକୁ ପଡ଼ୁଥିବାରୁ ସେମାନେ ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି ବୋଲି ବିଧାୟିକା ଗୃହରେ ଉଲ୍ଲେଖ କରିଥିଲେ।
ତେଣୁ ଆଗାମୀ ଶିକ୍ଷାବର୍ଷରୁ ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ବ୍ଲକର ପ୍ରମୁଖ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକରେ ଚାରି ବର୍ଷିଆ ଆଇ.ଟି.ଇ.ପି. ପାଠ୍ୟକ୍ରମ ଖୋଲିବା ପାଇଁ ସେ ଦାବି ରଖିଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଭାଗ ପକ୍ଷରୁ ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବାଲେଶ୍ୱର ଜିଲ୍ଲାର ଶିକ୍ଷକ ଶିକ୍ଷା ଭିତ୍ତିଭୂମି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ତାଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ବର୍ତ୍ତମାନ ଚାରିଟି ବି.ଇଡି. ପାଠ୍ୟକ୍ରମର ବ୍ୟବସ୍ଥା ରହିଛି। କଲେଜ ଅଫ୍ ଟିଚର୍ ଏଜୁକେସନ, ବାଲେଶ୍ୱରରେ ବି.ଇଡି. ପାଠ୍ୟକ୍ରମ ପାଇଁ ୧୦୦ଟି ସିଟ୍ ରହିଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନି ବର୍ଷିଆ ଇଣ୍ଟିଗ୍ରେଟେଡ୍ ବି.ଇଡି. ଓ ଏମ୍.ଇଡି. ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୫୦ଟି ସିଟ୍ ଉପଲବ୍ଧ ଅଛି।
ସେହିପରି ୨୦୨୬-୨୭ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷା ନୀତି ଅନୁଯାୟୀ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ଆଇ.ଟି.ଇ.ପି. ପାଠ୍ୟକ୍ରମରେ ୧୦୦ଟି ସିଟ୍ ଏବଂ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ୧୦୦ଟି ସିଟ୍ ଆରମ୍ଭ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ।
ବିଧାୟିକା ସୁବାସିନୀ ଜେନାଙ୍କ ଦାବିକୁ ସକାରାତ୍ମକ ଭାବେ ଗ୍ରହଣ କରି ମନ୍ତ୍ରୀ ଡ. ମହାଲିଙ୍ଗ କହିଥିଲେ ଯେ, ଉତ୍ତର ବାଲେଶ୍ୱରର ଛାତ୍ରଛାତ୍ରୀଙ୍କ ହିତ ସମ୍ପର୍କିତ ଏହି ପ୍ରସ୍ତାବକୁ ସରକାର ଆଗାମୀ ଦିନରେ ସୁଦୃଢ଼ତାର ସହ ବିଚାର କରିବେ।
Leave A Reply

Your email address will not be published.