ଅନୁଷ୍ଠିତ ହେଲା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍ ନିର୍ବାଚନ: ଚିନ୍ମୟକାନ୍ତି ହେଲେ ସଭାପତି, ମନୋରଞ୍ଜନ ସମ୍ପାଦକ

**ଆଗାମୀ ଚାରି ବର୍ଷ ପାଇଁ ନୂତନ କମିଟି ନିର୍ବାଚିତ; ସମସ୍ତ ପଦବୀରେ ନିର୍ଦ୍ୱନ୍ଦ୍ୱ ବିଜୟ**

0

ବାଲେଶ୍ୱର, ନଭେମ୍ବର ୨୬ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ଆଗାମୀ ଚାରି ବର୍ଷ ପାଇଁ ପଦାଧିକାରୀ ଓ କାର୍ଯ୍ୟନିର୍ବାହୀ କମିଟି ନିର୍ବାଚନ ନଭେମ୍ବର ୨୩ ତାରିଖରେ ସ୍ଥାନୀୟ ଉଦ୍ୟୋଗ ଭବନଠାରେ ସମାପ୍ତ ହୋଇଛି। ଏହି ନିର୍ବାଚନରେ ଚିନ୍ମୟକାନ୍ତି ବିଶ୍ୱୱାଲ ସଭାପତି ଏବଂ ମନୋରଞ୍ଜନ ପଣ୍ଡା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ଆସୋସିଏସନର ୮୦ରୁ ଅଧିକ ସଦସ୍ୟ, ମହିଳା ସଦସ୍ୟଙ୍କ ସମେତ, ନିର୍ବାଚନରେ ଏକତାର ପରିଚୟ ଦେଇଥିଲେ। ସମସ୍ତ ପଦବୀ ପାଇଁ ସଦସ୍ୟମାନେ ଏକମତରେ ପ୍ରାର୍ଥୀ ଚୟନ କରିଥିବାରୁ କୌଣସି ପଦବୀରେ ପ୍ରତିଦ୍ୱନ୍ଦ୍ୱିତା ହୋଇନଥିଲା। ଫଳରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ।

ନିର୍ବାଚିତ ପଦାଧିକାରୀମାନେ ହେଲେ ସଭାପତି ଚିନ୍ମୟକାନ୍ତି ବିଶ୍ୱୱାଲ, ସାଧାରଣ ସମ୍ପାଦକ ମନୋରଞ୍ଜନ ପଣ୍ଡା, ଯୁଗ୍ମ ସମ୍ପାଦକ ସୋରଜ ବେହେରା, ସହକାରୀ ସମ୍ପାଦକ ପ୍ରୀତି ରଂଜନ ମହାନ୍ତି, ଉପସଭାପତି ଜୟପ୍ରକାଶ ସିଂ, କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ଗୌରୀ ଶଙ୍କର ବିଶି ଏବଂ ସଂଯୋଜକ ସୁଜୟ ନାୟକ।

କାର୍ଯ୍ୟନିର୍ବାହୀ କମିଟିର ସାତ ଜଣ ସଦସ୍ୟ ଭାବେ ମାନସ ମହାନ୍ତି, ସାଇ ସତ୍ୟଶ୍ରୀ ନାୟକ, ସୁନୀଲ ଜେନା, ଜଗମୋହନ ଜେନା, ରମାକାନ୍ତ ଦୀକ୍ଷିତ, ବିନୋଦ ଶାହ ଓ ନବନିତ ଘୋଷାଲ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନ ପ୍ରକ୍ରିୟାର ଅଧିକାରୀ ଭାବେ ଓକିଲ ଐଶ୍ୱରିୟ କୁମାର ସେନାପତି ଦାୟିତ୍ୱ ତୁଲାଇଥିବା ବେଳେ, ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ଶୈଳେନ୍ଦ୍ର ଚୌଧୁରୀ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ।

ନବନିର୍ବାଚିତ କମିଟିର ସଦସ୍ୟମାନେ ଆସୋସିଏସନର ଉନ୍ନତି ଓ ବ୍ୟାଡମିଣ୍ଟନ ଖେଳର ପ୍ରସାର ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ନୂତନ କମିଟିର ସାମୂହିକ ପ୍ରୟାସରେ ବାଲେଶ୍ୱରର ବ୍ୟାଡମିଣ୍ଟନ ଖେଳ ନୂତନ ଉଚ୍ଚତାରେ ପହଞ୍ଚିବ ବୋଲି ସଭାପତି ଓ ସମ୍ପାଦକ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.