ଖୋର୍ଦ୍ଧା( ୨୪/୧୧) : ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତର ଟିକାତାଳ ଗ୍ରାମରେ ପ୍ରତିଷ୍ଠିତ ଶ୍ରୀରାମକୃଷ୍ଣ ସେବାଶ୍ରମର ୪୮ତମ ବାର୍ଷିକୋତ୍ସବ ଶିକ୍ଷାବିତ୍ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି ଯୋଗଦେଇ ରାସ ପୂର୍ଣ୍ଣିମାର ମହତ୍ତ୍ୱ ବର୍ଣ୍ଣନା କରିବା ସହିତ ପ୍ରେମାବତାର ଶ୍ରୀରାମକୃଷ୍ଣ ପରମହଂସ ତାଙ୍କର ଲୀଳାପାର୍ଷଦ ମା’ ସାରଦା ଓ ସ୍ୱାମୀ ବିବେକାନନ୍ଦଙ୍କ ସହିତ ଧର୍ମର ଜଟିଳ ତତ୍ତ୍ୱକୁ ଅତି ସରଳ ଭାବରେ ବୁଝାଇ ଧର୍ମ ସମ୍ମନ୍ୱୟ ପୂର୍ବକ ଭାରତୀୟ ଋଷି ପରମ୍ପରା ଆଧାରରେ ଏକ ନୂତନ ମାନବ ଧର୍ମର ସଂସ୍ଥାପନ କରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ।



ମୁଖ୍ୟ ପ୍ରବକ୍ତା ଭାବରେ ସେବାଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଭାଗବତାନନ୍ଦ ପୁରୀ ମହାରାଜ ଶ୍ରୀରାମକୃଷ୍ଣ, ମା’ ସାରଦା ଦେବୀ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ବାଣୀରେ ସର୍ବଧର୍ମ ସମନ୍ୱୟର ଦର୍ଶନ ଶ୍ରୀଜଗନ୍ନାଥ ଚେତନାର ଧର୍ମ ସମ୍ମନ୍ୱୟ ସହିତ ଏକ ତୁଳନାତ୍ମକ ବିଚାର ରଖିଥିଲେ। ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଲକ୍ଷ୍ମୀଧର ଖଟେଇ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ବାଣୀ କିଭଳି ଯୁବକ ମନରେ କିପରି ଆତ୍ମବିଶ୍ୱାସ ସ୍ଥାପନ କରେ ତା’ର ଦୃଷ୍ଟାନ୍ତ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ସ୍ୱାମୀ ବିବେକାନନ୍ଦ ସଂସ୍କୃତ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ବେଦମନ୍ତ୍ର ପାଠ କରିଥିଲେ। ରବୀନ୍ଦ୍ର ଗୁରୁଜୀ ଆବାହନୀ ଭକ୍ତି ସଂଗୀତ ଗାନ କରିଥିଲେ। ଆଶ୍ରମର ବରିଷ୍ଠ ସଦସ୍ୟ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଆଶ୍ରମର ଉପସଭାପତି ରାଜକିଶୋର ଛୁଆଳସିଂହ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପ୍ରଦୀପ କୁମାର ସାହୁଙ୍କ ସମ୍ପାଦିତ ଇ-ମାଗାଜିନ “ପ୍ରବୁଦ୍ଧ ଉତ୍କଳ”କୁ ସ୍ୱାମୀଜୀ ଉନ୍ମୋଚିତ କରିଥିଲେ।
ଏହାପରେ ୧୦ ଜଣ ଅଭାବୀ ମେଧାବୀ ସହିତ ୩ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ସଭା ଶେଷରେ ବରିଷ୍ଠ ସଦସ୍ୟ ପଦ୍ମଚରଣ ବିଶ୍ୱାଳ ନିମନ୍ତ୍ରିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଶ୍ରମର ସହ ସମ୍ପାଦକ ସର୍ବେଶ୍ୱର ସାହୁ, ସମ୍ପାଦକ ଗୋଲକ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ, ସଦସ୍ୟା ନଳିନୀ ସାହୁ, ଇନ୍ଦୁମତୀ ଦେଈ, ସଦସ୍ୟ ବାବାଜୀ ବେହେରା, ବିମ୍ବାଧର ସାହୁ, ଶ୍ୟାମାକାନ୍ତ ପଟ୍ଟନାୟକ, ସୁବଳ ଛୁଆଳସିଂହ, ସୁରେଶ ଚନ୍ଦ୍ର ପଣ୍ଡା, ମନୋଜ କୁମାର ଗୁମାନସିଂହ, କାହ୍ନୁଚରଣ ପଣ୍ଡା ପ୍ରମୁଖ ଉତ୍ସବକୁ
ସଂଯୋଜନା କରିଥିଲେ।ରିପୋର୍ଟ-ସନାତନ ମହାକୁଡ଼।