ଗଜପତି,୨୪୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ରାସ୍ତା ଅଛି, ହେଲେ ଯାତାୟାତ ନିରାପଦ ନୁହେଁ। ପ୍ରତିଦିନ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଏବେ ଏହି ରାସ୍ତା ପାଲଟିଛି ବିପଦର କାରଣ। ଗଜପତି ଜିଲ୍ଲାର ରାଣୀପେଟାଠାରୁ ଗୁମ୍ମା ଦେଇ ସେରଙ୍ଗକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଏହା ଏବେ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି।
ବିଶେଷ କରି ଗୁମ୍ମା ଶୀତଳ ଭଣ୍ଡାର ସମ୍ମୁଖ ଏବଂ କୃଷ୍ଣଚନ୍ଦ୍ରପୁର କନ୍ୟାଶ୍ରମ ନିକଟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ରାସ୍ତାରେ ଥିବା ବଡ଼ ବଡ଼ ଖାଲଖମା ଯୋଗୁଁ ଯାନବାହନ ଚଳାଚଳ ବେଳେ ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଏହି ରାସ୍ତାରେ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ରାସ୍ତା ଦେଇ ଯାତାୟାତ କରୁଥିବା ରୋଗୀ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ଯାତ୍ରା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଜରୁରୀକାଳୀନ ସମୟରେ ଡାକ୍ତରଖାନାରେ ପହଞ୍ଚିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ଏନେଇ ଅଞ୍ଚଳବାସୀ ଅନେକଥର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜିଯାଏଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି। ସେହିପରି ପୂର୍ବରୁ ମୁନୁସିଂଠାରୁ ପଦ୍ମପୁର ପର୍ଯ୍ୟନ୍ତ ରାସ୍ତା ମରାମତି କାର୍ଯ୍ୟ ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ ହୋଇନଥିବା ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି।
ତେବେ ରାସ୍ତାର ଏଭଳି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଦାୟୀ କିଏ? ଲୋକଙ୍କ ଜୀବନ ଓ ନିରାପଦ ଯାତାୟାତ ପ୍ରତି କାହିଁକି ଗୁରୁତ୍ୱ ଦିଆଯାଉନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରୁଛି। ତେଣୁ ସମ୍ପୃକ୍ତ ପୂର୍ତ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ସହ ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।