ହରଗଙ୍ଗା ଚନ୍ଦନ ଯାତ୍ରା ପୋଖରୀରେ ନିର୍ମାଣ ହେବ ଐତିହ୍ୟ ଗେଟ୍

୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ମାନସ ଦତ୍ତ

0
ବାଲେଶ୍ୱର, ନଭେମ୍ବର ୨୨ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରର ଐତିହ୍ୟ, ପ୍ରାଚୀନ ପରମ୍ପରା ଓ ସାଂସ୍କୃତିକ ଗୌରବର ସଂରକ୍ଷଣ ସହ ସହରର ସୌନ୍ଦର୍ଯ୍ୟକରଣ ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ସହରର ୮ ନମ୍ବର ୱାର୍ଡସ୍ଥିତ ହରଗଙ୍ଗା ଚନ୍ଦନ ଯାତ୍ରା ପୋଖରୀଠାରେ ଏକ ଐତିହ୍ୟ ଗେଟ୍ ନିର୍ମାଣ ପାଇଁ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଶିଳାନ୍ୟାସ କରିଛନ୍ତି।
ବିଧାୟକଙ୍କ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠିରୁ ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଗେଟ୍ ନିର୍ମାଣ କରାଯିବ। ଏହାଦ୍ୱାରା ପୋଖରୀ ପରିସରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ସ୍ଥାନଟିର ଐତିହାସିକ ଓ ସାଂସ୍କୃତିକ ପରିଚୟ ଆହୁରି ସୁଦୃଢ଼ ହେବ। ବିଶେଷକରି ହରଗଙ୍ଗା ଚନ୍ଦନ ଯାତ୍ରା ସହ ଜଡ଼ିତ ପ୍ରାଚୀନ ଧାର୍ମିକ ପରମ୍ପରା ଓ ଲୋକସଂସ୍କୃତିର ମହତ୍ତ୍ୱକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବାରେ ଏହି ପ୍ରକଳ୍ପ ସହାୟକ ହେବ।
ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଥିଲେ ଯେ, ବାଲେଶ୍ୱର କେବଳ ଏକ ଐତିହାସିକ ସହର ନୁହେଁ, ଏହା ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପରିଚୟ ବହନ କରୁଥିବା ଏକ ଗୌରବମୟ ଭୂମି। ସହରର ସାମଗ୍ରିକ ବିକାଶ ସହ ପ୍ରାଚୀନ ଐତିହ୍ୟ ଓ ସାଂସ୍କୃତିକ ପୀଠଗୁଡ଼ିକର ସଂରକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣ ମଧ୍ୟ ତାଙ୍କର ପ୍ରାଥମିକତା। ଆଧୁନିକ ବିକାଶ ସହ ପାରମ୍ପରିକ ଐତିହ୍ୟର ସମନ୍ୱୟ ରକ୍ଷା କରି ବାଲେଶ୍ୱରକୁ ଏକ ସୁନ୍ଦର, ସମୃଦ୍ଧ ଓ ସାଂସ୍କୃତିକ ଗୌରବମୟ ସହର ଭାବେ ଗଢ଼ିତୋଳିବା ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ।
ଶିଳାନ୍ୟାସ କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ ଓ ସ୍ଥାନୀୟ କାଉନସିଲର ପ୍ରୀତିଲତା ସେଠୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପେନ୍ଦ୍ର ଶତପଥୀ, ଗୌରାଙ୍ଗ ଦାସ, ବିକାଶ ପାଢ଼ୀ, ରାଜେନ୍ଦ୍ର ଚାଟାର୍ଜୀ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଭାଗବତ ସାହୁ, କେଶବ ଆଚାର୍ଯ୍ୟ, ପଦ୍ମଲୋଚନ କମିଳା, ମନୋରଞ୍ଜନ ବେହେରା ଓ ସସ୍ମିତା ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Leave A Reply

Your email address will not be published.