ଗଜପତି,୨୧.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ମିଶନ ଶକ୍ତି କମିଶନର-ତଥା- ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ‘ସୁଭଦ୍ରା ଶକ୍ତି କାଫେ’ ପରିଦର୍ଶନ କରିଛନ୍ତି। ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି କାଫେର ବିଭିନ୍ନ କାର୍ଯ୍ୟକଳାପ ଓ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ।ଏହି ଅବସରରେ ସେ କାଫେ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ବ୍ୟବସାୟର ସ୍ଥିତି, ଦୈନିକ କାରବାର, ଆୟ ଓ ଲାଭ ସମ୍ପର୍କରେ ତଥ୍ୟ ନେଇଥିଲେ। କାଫେର ସେବାର ଗୁଣବତ୍ତା ବଜାୟ ରଖିବା ସହ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ଏବଂ ବ୍ୟବସାୟକୁ ଆଗକୁ ବଢ଼ାଇବା ଦିଗରେ ସେ ଆବଶ୍ୟକ ପରାମର୍ଶ ଓ ମାର୍ଗଦର୍ଶନ ଦେଇଥିଲେ।ମହିଳାମାନେ କେବଳ ଆତ୍ମନିଯୁକ୍ତିରେ ସୀମିତ ନରହି ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିବା ସହ ଆୟ ବୃଦ୍ଧି ଏବଂ ଆର୍ଥିକ ସ୍ୱାବଲମ୍ବୀ ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ମିଶନ ଶକ୍ତି ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଏବଂ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଦିଗରେ ‘ସୁଭଦ୍ରା ଶକ୍ତି କାଫେ’ ଏକ ଉତ୍ତମ ପଦକ୍ଷେପ ଭାବେ ପରିଗଣିତ ହେଉଛି।ଏହି ପରିଦର୍ଶନ ମହିଳା ଉଦ୍ୟୋଗୀମାନଙ୍କ ମନୋବଳ ବୃଦ୍ଧି ସହ ସେମାନଙ୍କୁ ଆଗାମୀ ଦିନରେ ଅଧିକ ସଫଳତା ହାସଲ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।
Sign in
Sign in
Recover your password.
A password will be e-mailed to you.