ନୂଆଦିଲ୍ଲୀ: ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ‘ବିକଶିତ ଭାରତ – ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ଆଇନ, ୨୦୨୫’ (ଭିବି-ଜି ରାମ ଜି ଅଧିନିୟମ)ର କାର୍ଯ୍ୟକାରିତାରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ନାଗରିକଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ପାଇଁ ଲୋକପାଳ ଓ ଅପିଲ୍ କର୍ତ୍ତୃପକ୍ଷଙ୍କ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛି।
ଏହି ମାର୍ଗଦର୍ଶିକା ମାଧ୍ୟମରେ ଶ୍ରମିକଙ୍କ ଆଇନଗତ ଅଧିକାରର ସୁରକ୍ଷା, ଯୋଜନାର କାର୍ଯ୍ୟକାରିତା ସମ୍ପର୍କିତ ଅଭିଯୋଗର ସମାଧାନ ଏବଂ ଯୋଜନାର ସୁବିଧାଗୁଡ଼ିକର ଉତ୍ତରଦାୟିତ୍ୱପୂର୍ଣ୍ଣ ବଣ୍ଟନ ପାଇଁ ଅନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏହି ଯୋଜନାର ଉତ୍ତରଦାୟିତ୍ୱ ବ୍ୟବସ୍ଥାରେ ଲୋକପାଳ ଏକ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳ ଭାବେ କାର୍ଯ୍ୟ କରିବେ। ଏହାଦ୍ୱାରା ଗ୍ରାମାଞ୍ଚଳର ନାଗରିକମାନେ ସହଜରେ ନିଜ ଅଭିଯୋଗ ଜଣାଇବା ସହ ଉପଯୁକ୍ତ ନ୍ୟାୟ ପାଇପାରିବେ।
ଜିଲ୍ଲାସ୍ତରରେ ଜଣେ ସ୍ୱତନ୍ତ୍ର ଲୋକପାଳ ନିଯୁକ୍ତ ହେବେ। ସେ ଜବ୍ କାର୍ଡ, ନିଯୁକ୍ତି, ମଜୁରି ପ୍ରଦାନ, ମଜୁରି ପ୍ରଦାନରେ ବିଳମ୍ବ ପାଇଁ କ୍ଷତିପୂରଣ, କାର୍ଯ୍ୟସ୍ଥଳରେ ସୁବିଧା, ମଷ୍ଟର ରୋଲ୍ ଏବଂ ଆଇନଗତ ଅଧିକାରରୁ ବଞ୍ଚିତ କରାଯିବା ଭଳି ଅଭିଯୋଗର ସମାଧାନ କରିବେ। ଏହାବ୍ୟତୀତ ଭେଦଭାବ, ନିର୍ଯାତନା ଏବଂ ମହିଳା ଓ ଦୁର୍ବଳ ବର୍ଗଙ୍କ ସମେତ ଶ୍ରମିକଙ୍କ ଅଧିକାରର ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ମଧ୍ୟ ଏହି ମାର୍ଗଦର୍ଶିକାରେ ସାମିଲ କରାଯାଇଛି। ଫଳରେ ଏଭଳି ଅଭିଯୋଗଗୁଡ଼ିକ ଉପରେ ଉପଯୁକ୍ତ ଦୃଷ୍ଟି ଦିଆଯାଇପାରିବ।
ଗ୍ରାମୀଣ ବିକାଶ, ସାଧାରଣ ପ୍ରଶାସନ, ଆଇନ, ଶିକ୍ଷା, ସମାଜସେବା ଏବଂ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଥିବା ଅଧିକ ସଂଖ୍ୟକ ଯୋଗ୍ୟ ପ୍ରାର୍ଥୀଙ୍କୁ ସାମିଲ କରି ଲୋକପାଳଙ୍କ ଅନୁଷ୍ଠାନିକ କ୍ଷମତାକୁ ଏହି ମାର୍ଗଦର୍ଶିକାରେ ସୁଦୃଢ଼ କରାଯାଇଛି। ଏଥିସହ ଲୋକପାଳଙ୍କ କାର୍ଯ୍ୟକାଳ ଓ ପାରିଶ୍ରମିକ ସମ୍ପର୍କିତ ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯାଇଛି। ଯାହାଦ୍ୱାରା କାର୍ଯ୍ୟରେ ନିରନ୍ତରତା ରହିବା ସହ ସେମାନେ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିପାରିବେ। କ୍ଷେତ୍ର ପରିଦର୍ଶନ, ଜନସମୁଦାୟର ଅଂଶଗ୍ରହଣ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ସମ୍ପର୍କରେ ଜ୍ଞାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।