ଗଜପତି,17.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ପୂର୍ବ ବାତ୍ୟା ‘ଅର୍ଣ୍ଣବ୍’ର ତାଣ୍ଡବରେ ଛାରଖାର ହୋଇଥିବା ଗଜପତି ଜିଲ୍ଲା ଏବେ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ସ୍ଥିତିକୁ ଫେରିନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ଘୂର୍ଣ୍ଣିବାତ୍ୟା ‘ଅକ୍ୱାନ୍’କୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି।ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଓ ଅବପାତ ଅଧିକ ଘନୀଭୂତ ହୋଇ ଶକ୍ତିଶାଳୀ ବାତ୍ୟାର ରୂପ ନେବା ଆଶଙ୍କା ଥିବାରୁ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଦକ୍ଷିଣ ଓଡ଼ିଶାରେ ସତର୍କତା ଜାରି ହୋଇଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ନଭେମ୍ବର ୧୮ ତାରିଖରେ ଗଜପତି ସମେତ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା ପାଇଁ ହଳଦିଆ ସତର୍କ ସୂଚନା ଜାରି ହୋଇଥିବା ବେଳେ ୧୯ ଓ ୨୦ ନଭେମ୍ବରରେ ଅତି ପ୍ରବଳ ବର୍ଷା ଆଶଙ୍କାରେ କମଳା ରଙ୍ଗର ସତର୍କ ସୂଚନା ଦିଆଯାଇଛି। ଏଥିସହ ଦକ୍ଷିଣ ଓଡ଼ିଶା ଉପକୂଳରେ ଝଟକା ପବନ ଓ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗକୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ, ଜନସାଧାରଣଙ୍କୁ ସଚେତନ କରିବା ଏବଂ ଆବଶ୍ୟକୀୟ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଖବର ପ୍ରକାଶ ପାଇଛି। ବିଶେଷକରି ଗଜପତି ଜିଲ୍ଲାର ପାହାଡ଼ିଆ ଅଞ୍ଚଳ, ଭୂସ୍ଖଳନପ୍ରବଣ ଗ୍ରାମ ଏବଂ ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଉଛି।ଗତ ଅକ୍ଟୋବର ଶେଷ ସପ୍ତାହରେ ଘୂର୍ଣ୍ଣିବାତ୍ୟା ‘ଅର୍ଣ୍ଣବ୍’ର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମହେନ୍ଦ୍ରଗିରି ପାଦଦେଶ ସମେତ କେତେକ ଅଞ୍ଚଳରେ ୨୫ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇଥିଲା। ପାହାଡ଼ିଆ ରାସ୍ତାରେ ମାଟି ଓ ପଥର ଧସିବା ଯୋଗୁଁ ଅନେକ ଅଞ୍ଚଳର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ପାରଳାଖେମୁଣ୍ଡି ସହରର କେତେକ ଅଞ୍ଚଳ ଜଳମଗ୍ନ ହେବା ସହ ହଜାର ହଜାର ଏକର ଚାଷଜମିରେ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଥିଲା।ବାତ୍ୟା ପରେ ରାସ୍ତାରୁ ମାଟି ଓ ବଡ଼ ବଡ଼ ପଥର ହଟାଇବା, ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ ଏବଂ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇବା କାର୍ଯ୍ୟ ଜାରି ରହିଛି। ଏପରି ସ୍ଥଳେ
ବିଶେଷକରି ମୋହନା, ଆର୍. ଉଦୟଗିରି, ଗୁମ୍ମା, ନୂଆଗଡ଼ ଓ ରାୟଗଡ଼ ବ୍ଲକର ପାହାଡ଼ିଆ ତଥା ଦୁର୍ଗମ ଅଞ୍ଚଳର ଲୋକମାନେ ପୁଣି ଥରେ ବର୍ଷା ଓ ଭୂସ୍ଖଳନ ଆଶଙ୍କାରେ ଚିନ୍ତିତ ଅଛନ୍ତି। ଅର୍ଣ୍ଣବରେ ହୋଇଥିବା କ୍ଷତିରୁ ଲୋକେ ମୁକୁଳିନଥିବା ବେଳେ ଆଉ ଏକ ବାତ୍ୟାର ଆଶଙ୍କା ସେମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଆବଶ୍ୟକୀୟ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବା, ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଦଳକୁ ସଜାଗ ରଖିବା ସହ ଦୁର୍ଗମ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ଦେବା ଜରୁରୀ ହୋଇପଡ଼ିଛି।
Sign in
Sign in
Recover your password.
A password will be e-mailed to you.