ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ

ଅର୍ଜୁନୀ ଚରଣ ବେହେରା

0

ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ
=============
ଦ୍ୱାପର ଯୁଗର ଲୀଳାମୟ ଭଗଵାନ ଶ୍ରୀକୃଷ୍ଣଙ୍କ ଲୀଳା କଥା l ଦିନେ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ମାଆ ଯଶୋମତି ଦହି ମୁହୁଁଛନ୍ତି l ନନ୍ଦଭବନ ଦ୍ୱାରରେ ଗୋପାଳ ବାଳକମାନଙ୍କ କୋଳାହଳ ଶୁଣାଗଲା l ସେମାନେ ଆସି ପହଞ୍ଚିଛନ୍ତି କୃଷ୍ଣ ଓ ବଳରାମଙ୍କୁ ସାଥ କରି ବାଛୁରୀ ସବୁକୁ ବୃନ୍ଦାବନକୁ ଚରାଇବା ପାଇଁ ନେବେ l ଏକଥା ଗତ କାଲି ବ୍ରଜ ଦାଣ୍ଡରେ ଖେଳୁଥିବା ସମୟରେ ସାଥି ବ୍ରଜ ବାଳକ ମାନେ ମିଶି ସ୍ଥିର କରିଛନ୍ତି l ସାଥୀ ମାନଙ୍କ କୋଳାହଳ ଶୁଣି ବାଳକ କୃଷ୍ଣ ନିଦରୁ ଉଠି ପଡ଼ିଲେ l ମାଆ ଯଶୋମତିଙ୍କ ପାଖକୁ ଧାଇଁଯାଇ କହିଲେ,”ମାଆ ମୋତେ ଟିକିଏ ବେଶ କରିଦେ,ଶିରରେ ମୋର ମୟୁର ଚନ୍ଦ୍ରିକା ବାନ୍ଧି ଦେ, ମୋତେ ମୋ ଶିଙ୍ଗା, ବେଣୁ ଦେ l ମୋ ସାଥିମାନେ ଆସି ପହଞ୍ଚିଲେଣି l ଆମେ ସବୁ ସାଥି ମିଶି ଧବଳୀ,ଶ୍ୟାମଳି ବାଛୁରୀ ମାନଙ୍କୁ ବୃନ୍ଦାବନ ଚରାଇବାକୁ ନେବୁ l” ଯଶୋଦା କହିଲେ,”ଯାଃ,ତୁ ଏଡ଼େବକଟେ ପିଲା ବଣରେ କେତେ ଭୁତ ଡାହାଣୀ ବୁଲୁଛନ୍ତି,ବାଛୁରୀ ଚରାଇବାକୁ ନେବୁ,ହଉ ଯାଆ ତୁ ଭାଈ ବଳରାମ ସହ ଖେଳୁ ଥା,ମୁଁ ଦହି ମୁହିଁ ସାରିଲେ ତୋ କଥା ବୁଝୁଛି”l କୃଷ୍ଣ କି ଛାଡ଼ିବା ପିଲା,ତା’ର ଏକା ଜିଦ ମୋତେ ଏଇନେ ବେଶ କରିଦେ ମୁଁ ଯିବି l ମାଆ ଯେତେ ବୁଝାଇଲେ ବି ବୁଝିବାକୁ ନାଁରାଜ l ମାଆ ଆଉ କରିବେ କ’ଣ ଅନନ୍ୟୋପାୟ ହୋଇ ପୁଅ କମରରେ ହଳଦିଆ ପାଟ ଲେଙ୍ଗୁଟି ଟିଏ ପିନ୍ଧାଇ ଦେଲେ, ଶିରରେ ମୟୁର ଚନ୍ଦ୍ରିକା ବାନ୍ଧି ଦେଲେ l କାଳେ ପୁଅକୁ ନଜର ଲାଗିଯିବ ସେଥିପାଇଁ ତାଙ୍କ କପାଳରେ ଗୋରଚନା ଟୀକା ଗୋଟିଏ ଲଗାଇ ଦେଲେ l ଆଃ କି ମନୋରମ ବେଶ ସିଏ ! ପୁଅର ସେ ବେଶକୁ ଦେଖି ଆନନ୍ଦାତିଶଯ୍ୟରେ ମାଆଙ୍କ ଆଖିରୁ ଝରି ପଡ଼ିଲା ଦୁଇ ବୁନ୍ଦା ଅଶ୍ରୁ l ମାଆଙ୍କର ମନ କି ବୁଝେ l ପୁଣି ସେ ମୁନି ଶାଣ୍ଡିଲ୍ୟଙ୍କୁ ଡାକି ପୂଜାଟିଏ କରି ଶୁଭ ଲଗ୍ନ ସ୍ଥିର କଲେ l ସେ ଶୁଭ ଲଗ୍ନରେ କୃଷ୍ଣ ବଳରାମ ସାଥୀମାନଙ୍କ ସହ ବତ୍ସା ମାନଙ୍କୁ ଧରି ଚାଲିଲେ ବୃନ୍ଦାବନ ଚରାଇବାପାଇଁ l ସେ ଦିନ କିନ୍ତୁ ଯଶୋଦାଙ୍କର ମନ ବୁଝି ନ ଥିଲା l ସେ ଗୋଧୂଳି ବେଳାକୁ ପ୍ରତୀକ୍ଷା କରି ରହିଥିଲେ ଏବଂ ବାତ୍ସଲ୍ୟଭରା କଣ୍ଠରେ ବିଳାପ କରୁଥିଲେ l ଏହାକୁ କବି ଅଭିମନ୍ୟୁ ସାମନ୍ତସିଂହାର ତାଙ୍କର ହୃଦୟସ୍ପର୍ଶୀ ରଚନା ” ମୋ କଳା ମାଣିକ ରେ ” ପରିପ୍ରକାଶ କରିଛନ୍ତି l ସେହି କବିତାରୁ ପଦେ :-
ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ,
ଜନକ ଜନନୀ ସୁଖ କାହିଁ ପାଇଁ ସାରୁ,
ମୋ କଳାମାଣିକ ରେ !!!
ଶ୍ରୀକୃଷ୍ଣ ସେହିଦିନ ଠାରୁ ଗୋପ ବାଳକ ମାନଙ୍କ ସହିତ ବୃନ୍ଦାବନରେ ବାଛୁରୀ ଚରାଇ ଗୋବର୍ଦ୍ଧନ ପର୍ବତରେ ଆମୋଦ ପ୍ରମୋଦ କରି ଦିନ କଟାଉ ଥିଲେ l ଦିନେ ସେ ଶୁଣିଲେ ଗୋପପୁରରେ ଇନ୍ଦ୍ର ପୂଜା ହେବ କାରଣ ଇନ୍ଦ୍ର ବୃଷ୍ଟି କରୁଛନ୍ତି l ତାହା ଦ୍ୱାରା ପୃଥିବୀ ଶସ୍ୟଶ୍ୟାମଳା ହେବାରୁ ପ୍ରାଣୀଙ୍କୁ ଖାଦ୍ୟ ଶସ୍ୟ ମିଳୁଛି l କିନ୍ତୁ ସାତ ବର୍ଷର ବାଳକ କୃଷ୍ଣ ବୁଝାଇ ଦେଲେ ଇନ୍ଦ୍ର ଆମର ପୂଜ୍ୟ ନୁହେଁ l ଗୋବର୍ଦ୍ଧନ ପର୍ବତ ହିଁ ଆମର ପୂଜ୍ୟ l ଗୋବର୍ଦ୍ଦନ ପର୍ବତରୁ ଆମେ ଆମର ଗୋ ସମ୍ପଦ ପାଇଁ ଚାରା ଆଦି ପାଉଛୁ l ଗୋରୁ ହିଁ ଗୋପର ସମ୍ପଦ l ଏଣୁ ଆମେ ଇନ୍ଦ୍ର ପୂଜା ନକରି ଗୋବର୍ଦ୍ଧନ ପର୍ବତକୁହିଁ ପୂଜା କରିବା l ତାଙ୍କ କଥାରେ ଗୋପାଳ ମାନେ ସମ୍ମତ ହେଲେ l ଇନ୍ଦ୍ରପୂଜା ବନ୍ଦ କରି ଦିଆଗଲା ଓ ତା’ସ୍ଥାନରେ ପୂଜାହେଲେ ଗୋବର୍ଦ୍ଧନ ପର୍ବତ l ଇନ୍ଦ୍ରପୂଜା ବନ୍ଦ ହୋଇଯିବାରୁ ଇନ୍ଦ୍ର କୁପିତ ହୋଇ କାର୍ତ୍ତିକଶୁକ୍ଳ ପ୍ରତିପଦଠାରୁ ସପ୍ତମୀ ପର୍ଯ୍ୟନ୍ତ ସାତ ଦିନବ୍ୟାପୀ ପ୍ରବଳ ବୃଷ୍ଟି କରିବା ଲାଗି ସମ୍ଵର୍ତ୍ତକ, ଆବର୍ତ୍ତକ,ଦ୍ରୋଣ,ପୁଷ୍କର ଚାରି ମେଘକୁ ଆଦେଶ ଦେଲେ l ମେଘ ଓ ବଜ୍ରର ନିର୍ଘୋଷରେ ବ୍ରଜଭୂମି ଥରହର ହେଲା l ଜଣା ଯାଉଥାଏ ଯେପରି ବ୍ରଜ ଭୂମି ପ୍ରଳୟ ଗ୍ରାସରେ ଲୀନ ହୋଇଯିବ l ଶ୍ରୀକୃଷ୍ଣ କିନ୍ତୁ ସମସ୍ତ ଗୋପପୁରବାସୀଙ୍କୁ ଅଭୟ ଦେଲେ l ସେ ନିଜ ବାମ ହାତ କନିଷ୍ଠାଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଉପାଡ଼ି ଏକାଦିକ୍ରମେ ସାତଦିନ ପର୍ଯ୍ୟନ୍ତ ଧାରଣ କଲେ l ସମସ୍ତ ଗୋପୀ,ଗୋପାଳ,ଗାଭୀ ମାନେ ଗୋବର୍ଦ୍ଧନ ପର୍ବତର ତଳେ ଆଶ୍ରୟ ନେଇ ଇନ୍ଦ୍ର କୋପରୁ ରକ୍ଷାପାଇଲେ l ଶ୍ରୀମଦ ଭାଗବତ ଭାଷାରେ :-
ଛତ୍ର ପ୍ରାୟେକ ଗିରି ତୋଳି l
ଡାକନ୍ତି ପ୍ରଭୁ ବନମାଳୀ ll
ହେ ତାତ ମାତ ଗୋପବାଳେ l
ବହନ ପଶ ଗିରି ତଳେ ll
ଇନ୍ଦ୍ର ପରାସ୍ତ ହେଲେ l ସେ ସ୍ୱର୍ଗ ଗାଭୀ ସୁରଭିଙ୍କ ସହ ଆସି ଗର୍ବଗଞ୍ଜନ ନରହରିଙ୍କୁ ସ୍ମୃତି କଲେ ଓ ଗୋ ଜାତି ତଥା ଗୋକୁଳର ରକ୍ଷକ ଭାବେ ତାଙ୍କ ଶରଣ ପଶି ତାଙ୍କ ନାମ ଦେଲେ ଗୋବିନ୍ଦ l ଏହା ଶ୍ରୀମଦ ଭାଗବତ ଭାଷାରେ :-
ତୁ ନାଥ ଗୋକୁଳର ଇନ୍ଦ୍ର l
ନାମ ମୁଁ ଦେବଇଁ ଗୋବିନ୍ଦ ll
ସୁରଭି କ୍ଷୀର ବରଷିଲା l
ଗୋବିନ୍ଦ ବୋଲି ନାମ ଦେଲା ll
ସାତ ଦିନ ବୃଷ୍ଟି ପରେ ଇନ୍ଦ୍ର ଭଗବାନଙ୍କୁ ଶରଣ ପଶିବାର ଏହି ଦିନଟି ଥିଲା କାର୍ତ୍ତିକ ଶୁକ୍ଳଅଷ୍ଟମୀ ତିଥି l ଏହି ତିଥିକୁ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ଆଖ୍ୟା ଦିଆ ଯାଇଛି l ଭଗବାନ ଶ୍ରୀକୃଷ୍ଣ ଶ୍ରେଷ୍ଠ ଗୋରକ୍ଷକ ଓ ଗୋ ସମ୍ପଦର ସୁରକ୍ଷା କରି ଥିବା ହେତୁ ସେହିଦିନଠାରୁ ଗୋଷ୍ଠାଷ୍ଟମୀର ଗୋପୂଜା ପରମ୍ପରା ସୃଷ୍ଟି ହୋଇଛି l ଏହା ଅତ୍ୟନ୍ତ ଭକ୍ତିର ସହକାରେ ସମସ୍ତ ବୈଷ୍ଣବ ପୀଠ ଯଥା ମଥୁରା, ବୃନ୍ଦାବନ, ଦ୍ଵାରକା, ମାୟାପୁର,ଶ୍ରୀକ୍ଷୀରଚୋରା ଗୋପୀନାଥ ଏବଂ ଶ୍ରୀକ୍ଷେତ୍ରରେ ପାଳିତ ହୋଇ ଆସୁଛି l
ନିତ୍ୟ ରାସସ୍ଥଳୀ ଗୋ ଲୋକ ସମସ୍ତ ଲୋକର ଉର୍ଦ୍ଧ୍ୱରେ ଅବସ୍ଥିତ l ଏହା ଭଗବାନ ଶ୍ରୀକୃଷ୍ଣ ଏବଂ ରାସେଶ୍ୱରୀ ରାଧାଙ୍କ ନିବାସ ଏବଂ ନିତ୍ୟ ରାହାସ ସ୍ଥଳୀ l ଏଠାରେ ବାସକରନ୍ତି ସୁରଗାଭୀ ନନ୍ଦିନୀ, କାମଧେନୁ,ପୃଥନା ଓ ସୁରଭି l ଭଗବାନଙ୍କ ପୂଜ୍ୟ ଗୋମାତା,ଶ୍ରେଷ୍ଠ ଗୋପାଳକ ଭାବେ ଭଗବାନଙ୍କ ଅନ୍ୟ ନାମ ଗୋପାଳ l ଭଗବାନଙ୍କର ଲୀଳାଭୂମି ଗୋକୁଳ ଓ ଗୋବର୍ଦ୍ଧନ l ଗୋମାତାଙ୍କ ଦେହରେ ତେତିଶ କୋଟି ଦେବତା ବାସ କରିଥାନ୍ତି ବୋଲି ବିଶ୍ୱାସରହିଛି l ଗୋମୟ ଲକ୍ଷ୍ମୀଙ୍କ ନିବାସ ସ୍ଥାନ l ଗୋମୂତ୍ର ପବିତ୍ର ଏବଂ ବହୁ ଔଷଧିୟ ଗୁଣଯୁକ୍ତ l ଏଣୁ ଗୋଷ୍ଠାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରବର୍ତ୍ତିତ ଗୋପୂଜା କରାଯାଇ ଥାଏ l ତତସହିତ ଗୋ ରକ୍ଷକ ଭାବେ ଭଗବାନ କୃଷ୍ଣଙ୍କୁ ମଧ୍ୟ ପୂଜା କରାଯାଏ l ଗୋପୂଜାରେ ମନୁଷ୍ୟକୁ ଐଶ୍ଵର୍ଯ୍ୟ ଓ ସମସ୍ତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ l
ପଦ୍ମପୁରାଣ ଅନ୍ତର୍ଗତ କାର୍ତ୍ତିକ ମାହାତ୍ମ୍ୟର ବର୍ଣ୍ଣନା ଅନୁଯାୟୀ ଗୋପାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣ ପୂର୍ବେ ଥିବା ବତ୍ସା ଚରାଳୀରୁ ଜଣେ ପ୍ରବୀଣ ବା ପୋଖତ ଗୋ ଚାରକ ଭାବେ ପରିଗଣିତ ହୋଇ ଥିଲେ l ଏହା ନିମ୍ନ ଶ୍ଳୋକରୁ ଜଣା ପଡିଥାଏ :-
ଶୁକ୍ଳାଷ୍ଟମୀ କାର୍ତ୍ତିକେ ତୁ ସ୍ମାର୍ତ୍ତ
ଗୋପାଷ୍ଟମୀ ବୁଦ୍ଧଐ l
ତଦ୍ଦିନାତ୍ ବାସୁଦେବ ଭୁଦ୍
ଗୋପହଃ ପୂର୍ବମ୍ ତୁ ବତ୍ସପା ll
ଶ୍ରୀସ୍କନ୍ଧପୁରାଣରେ ଗୋମାତାଙ୍କ ମାହାତ୍ମ୍ୟ ବର୍ଣ୍ଣନା କରି କୁହାଯାଇଛି :-
ଗୋଭିର୍ବିପ୍ରୈଶ୍ଚ ବେଦୈଶ୍ଚ ସତୀଭିଃ
ସତ୍ୟବାଦିଭିଃ l
ଅଲୁବ୍ଧୈର୍ଦାନଶୀଳୈଶ୍ଚ
ସପ୍ତଧିର୍ଧାର୍ଯ୍ୟତେ ମହୀ ll
ଅର୍ଥାତ ଗୋମାତା,ବିପ୍ର,ବେଦ,ସତୀ,ସତ୍ୟବାଦୀ, ନିର୍ଲୋଭୀ,ଦାନୀ ଏହି ସାତ ମହାଶକ୍ତି ଉପରେ ଏ ମହୀ ତିଷ୍ଠି ରହିଛି lଏ ସପ୍ତ ଶକ୍ତିଙ୍କ ମଧ୍ୟରେ ଗୋ ବଂଶର ଭୂମିକା ସର୍ବାଗ୍ରେ ରହିଛି l
ଓଁ ନମୋ ବ୍ରହ୍ମଣେ ଦେବାୟ
ଗୋବ୍ରାହ୍ମଣ ହିତାୟ ଚ l
ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ
ନମୋ ନମଃ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Leave A Reply

Your email address will not be published.