ବାତ୍ୟା ପ୍ରସ୍ତୁତି ସମୀକ୍ଷା : ଭୂସ୍ଖଳନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

0

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଆକଭାନ୍‌’ର ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ରହିଛନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନର ଆଶଙ୍କା ଥିବା ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପରସ୍ପର ମଧ୍ୟରେ ସମନ୍ୱୟ ରଖି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ ସମ୍ପୃକ୍ତ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ବାତ୍ୟା ‘ଅର୍ଣ୍ଣବ’ ସମୟରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷତି ହୋଇଥିବାରୁ ଏଥର ସରକାର ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଭୂସ୍ଖଳନ ଜନିତ ବିପଦ ସମ୍ପ୍ରତି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଥିନିମନ୍ତେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ନେଇ ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ପୂର୍ବରୁ ଚିହ୍ନଟ ବିପଦପ୍ରବଣ ସ୍ଥାନରୁ ଜନସାଧାରଣଙ୍କ ସ୍ଥାନାନ୍ତରଣ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳମାନଙ୍କୁ ଭୂସ୍ଖଳନ ପ୍ରବଣ ପାହାଡ଼ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ, ଏପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ୧୪୭ଟି, କନ୍ଧମାଳରେ ୬୨ଟି ଓ ରାୟଗଡ଼ାରେ ୫୫ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇସାରିଛି। ଯେଉଁଠାରେ ଭୂସ୍ଖଳନ ଆଶଙ୍କା ଥିବ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଜିଲ୍ଲାପାଳଙ୍କୁ ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଭଳି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତିକୁ ଅଧିକ ତ୍ୱରାନ୍ୱିତ କରିବା ସହ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର କୁ ୨୪ ଘଣ୍ଟିଆ ସକ୍ରିୟ ରଖିବା, ନୋଡାଲ ଅଧିକାରୀ ନିଯୁକ୍ତି ଓ ନିୟମିତ ସ୍ଥିତି ସମୀକ୍ଷା କରିବାକୁ ଗୁରୁତ୍ୱ ଦେଇଛନ୍ତି। ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳର ତଥ୍ୟ ପ୍ରସ୍ତୁତ କରିବା ସହ ବିପଦସଂକୁଳ ପରିବାର ଏବଂ ସ୍ଥାନାନ୍ତରଣ ସମୟରେ ସହାୟତା ଆବଶ୍ୟକ କରୁଥିବା ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଓ ଜେନେରେଟର ଭଳି ବିକଳ୍ପ ବ୍ୟବସ୍ଥାର ଯାଞ୍ଚ ସହ ଆବଶ୍ୟକ ଯାନବାହନ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ସ୍ଥଳେ ପାଣିପାଗ ବିଭାଗର ସତର୍କ ସୂଚନା ଓ ଜିଲ୍ଲାପାଳଙ୍କ ବିପଦ ଆକଳନ ଆଧାରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ।

Leave A Reply

Your email address will not be published.