କାକଟପୁରର ମାଆ ମଙ୍ଗଳା

ଅର୍ଜୁନୀ ଚରଣ ବେହେରା

ଓଡ଼ିଶାର ପୁରୀ ଜିଲ୍ଲାର କାକଟପୁର l ଏଠାରେ ପୁଣ୍ୟତୋୟା ପୁରାଣ ବର୍ଣ୍ଣିତ ପ୍ରାଚୀନଦୀ ତଟରେ ବିରାଜମାନ କରିଛନ୍ତି ସର୍ବ ମଙ୍ଗଳକାରିଣୀ ମାଆ ମଙ୍ଗଳା l ଏହା ଓଡ଼ିଶାର ପ୍ରାଚୀନ ଓ ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ମଧ୍ୟରେ ଅନ୍ୟତମ l ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଏଠାକୁ ବର୍ଷ ସାରା ଭକ୍ତମାନେ ଆସିଥାନ୍ତି lକାକଟପୁରରେ ଦୃଶ୍ୟମାନ ଏବେକାର ମଙ୍ଗଳାଙ୍କ ମନ୍ଦିର 1548 ମସିହାରେ ପଞ୍ଚାନନ ମିତ୍ର ରାୟ ଚୂଡ଼ାମଣି ନାମକ ସ୍ଥାନୀୟ ଜମିଦାର ନିର୍ମାଣ କରିଥିଲେ ବୋଲି ଇତିହାସରୁ ଜଣାଯାଏ l
ଜନଶ୍ରୁତିରୁ ଜଣାଯାଇଥାଏ ମା’ ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀ ଗର୍ଭରେ ଲୁଚିରହି ଥିଲେ l ଏକଦା ଜଣେ ଧୀବର ପ୍ରାଚୀରେ ନୌକା ଚଳାଇ ଯାଉଥିବାବେଳେ ପ୍ରବଳ ବନ୍ୟା ଆସିଲା l ଧୀବର ଜଣକ ଥଳକୂଳ ନପାଇ ଭାସି ଯାଉଥିବା ବେଳେ ମଝି ନଈରେ, ଗୋଟିଏ ଯାଗାରେ ତା’ର ନୌକାଟି ସ୍ଥିରହୋଇ ରହି ଯିବାରୁ ସେ ନାବ ସହ ନିଜେ ରକ୍ଷା ପାଇଲା l କିନ୍ତୁ ଏହାର କିଛି ରହସ୍ୟ ସେ ବୁଝିପାରିଲା ନାହିଁ l ଏକଦା ସେ ସକାଳୁ ସ୍ବପ୍ନ ଦେଖିଲା, ମାଆ ତାକୁ କହୁଛନ୍ତି, “ତୋର ଡଙ୍ଗାଟି ଯେଉଁଠାରେ ଅଟକି ଥିଲା ମୁଁ ସେହିଠାରେ ଅଛି l ମୋତେ ଉଦ୍ଧାରକରି ମୋର ପୂଜାର୍ଚ୍ଚନାର ବ୍ୟବସ୍ଥା କର” l ସ୍ଵପ୍ନାଦେଶ ପାଇ ଧୀବର ଯାଇ ମାଆଙ୍କ ବିଗ୍ରହକୁ ନଦୀ ଗର୍ଭରୁ ଉଦ୍ଧାର କଲା ଏବଂ ନିକଟ ମଙ୍ଗଳପୁର ଗ୍ରାମରେ ସ୍ଥାପନା କରି ପୂଜା ବ୍ୟବସ୍ଥା କଲା l ଥରେ ଗୋଟିଏ କାକ ପ୍ରାଚୀନଦୀକୁ ଲମ୍ଫ ଦେଲା l ବହୁଦିନ ଅତିକ୍ରାନ୍ତ ହୋଇଗଲା କିନ୍ତୁ ସେ କାକଟି ଆଉ ନଦୀରୁ ବାହାରକୁ ଆସିଲା ନାହିଁ l କାକଟି ଠିକ ମା’ମଙ୍ଗଳାଙ୍କ ବିଗ୍ରହ ଯେଉଁ ସ୍ଥାନରୁ ମିଳିଥିଲା ସେହି ସ୍ଥାନରେ ନଦୀମଧ୍ୟରେ ବୁଡ଼ିଯାଇ ଥିଲା l ବୋଧ ହୁଏ ମଙ୍ଗଳାଙ୍କ ସହ ଏହି କାକର କିଛି ସମ୍ପର୍କଅଛି ଏହା ଭାବି ଲୋକେ ଏ ଘଟଣାରୁ କାକ ନାମକୁ ନେଇ ମଙ୍ଗଳପୁର ଗ୍ରାମ ନିକଟରେ ଗୋଟିଏ ଗ୍ରାମକୁ ନାମିତ କଲେ କାକଟକ ବୋଲି ଯାହା ପରେ କାକଟପୁର ହୋଇଛି l
ଜନଶ୍ରୁତିରୁ ଜାଣିବାକୁ ମିଳିଥାଏ ଯେତେ ବେଳେ ପ୍ରାଚୀ ଗର୍ଭରେ ସାଧବପୁଅମାନେ ବୋଇତମେଲି ବାଣିଜ୍ୟ କରିବାପାଇଁ ଯାଉଥିଲେ ସେ ସମୟରେ କାକଟପୁର ଅଞ୍ଚଳର ଦଧିବାମନ ସାହୁ ନାମରେ ଜଣେ ସାଧବ ପୁଅର ସିଂହଳଦେଶ ସହ ବାଣିଜ୍ୟ କାରବାର ଚାଲୁଥିଲା l ସେ ଶ୍ରୀଲଙ୍କାରୁ ଗୋଟିଏ ଦେବୀଙ୍କ ମୂର୍ତ୍ତି ଆଣି କାକଟପୁରରେ ଏକ ମନ୍ଦିର ତୋଳାଇ ସ୍ଥାପନ କରିଥିଲେ l ଭୀଷଣ ବନ୍ୟାରେ ମନ୍ଦିରଟି କାଳକ୍ରମେ ଧ୍ବଂସ ହୋଇ ଦେବୀ ନଦୀ ଗର୍ଭରେ ପଡ଼ି ରହିଥିଲେ l ଏକଦା ଜଣେ ଧୀବର ନଦୀରେ ମାଛ ଧରୁଥିବା ବେଳେ ଦେବୀ ଜାଲରେ ପଡ଼ି ଉଦ୍ଧାର ହେଲେ ଓ ପୁଣି ତାଙ୍କର ପୂଜାର୍ଚ୍ଚନା ଆରମ୍ଭ ହେଲା l ଦେବୀ ଏବେ କାକଟପୁରର ମା’ ମଙ୍ଗଳାଭାବେ ପ୍ରସିଦ୍ଧ l ମା’ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ନିବିଡ଼ ଭାବେ ଜଡ଼ିତ l
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମାନଙ୍କ ମତରେ ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ବସାଇ ପୂଜନ କରିବା ନିମନ୍ତେ ତାଙ୍କ ଗୁରୁ ମହର୍ଷି ମାର୍କଣ୍ଡେୟଙ୍କ ପରାମର୍ଶକ୍ରମେ ବ୍ରହ୍ମାଙ୍କୁ ବରଣକରି ବିଷ୍ଣୁ ଯଜ୍ଞର ଆୟୋଜନ କରିଥିଲେ l ଯଜ୍ଞାଗ୍ନିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ୱରୂପ ଦର୍ଶନ କରି ସେହି ସ୍ୱରୂପ ପ୍ରାପ୍ତି ଅର୍ଥେ ପବିତ୍ର ଚକ୍ର ବନରେ ସେ କଠୋର ତପସ୍ୟାରେ ମଗ୍ନ ରହିଲେ l ରାଜର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କ ତପସ୍ୟାରେ ପ୍ରୀତ ହୋଇ ମା’ ସର୍ବମଙ୍ଗଳା ଏକ ସଦ୍ୟ ପ୍ରସ୍ଫୁଟିତ ପଦ୍ମ ଉପରେ ଆବିର୍ଭୂତା ହୋଇ ଇନ୍ଦ୍ରଦ୍ୟୁମ୍ନଙ୍କୁ ଦର୍ଶନ ଦେଲେ l ସେହିପରି ବଣିକ ସିଦ୍ଧେଶ୍ୱରଙ୍କୁ ମାଆ ବିପଦ କାଳରେ ପଦ୍ମ ପୁଷ୍ପ ଉପରେ ଆବିର୍ଭୂତା ହୋଇ ଦର୍ଶନ ଦେଇ ବିପଦ ମୁକ୍ତ କରାଇ ଥିଲେ ବୋଲି କିମ୍ବଦନ୍ତୀ ରହିଛି l ପଦ୍ମପୁଷ୍ପ ଉପରେ ବିରାଜିତା ମା’ଙ୍କର ରୂପ ନିମ୍ନ ଧ୍ୟାନ ମନ୍ତ୍ରରେ ପ୍ରତିଫଳିତ ହୋଇଛି :-
ହସ୍ତେ ପୁଷ୍ପ କଳ୍ପଦଳଂ ଗୃହୀତ୍ୱା ଦୁର୍ଗା
ଧ୍ୟାୟେତେ ଶ୍ୟାମଙ୍ଗୀ ଶଶିଶେଖରଂ,
ନିଜକରୈର୍ଦାନଂ ଚ ରକ୍ତୋତ୍ପଳଂ
ରତ୍ନାଢ଼୍ୟ କଳସଂ ପରଂ ଭୟହରଂ
ସଂବିଭ୍ରତାଂ ଶାଶ୍ୱତୀମ୍‍ ମୁକ୍ତାହାରଲସ
ତ୍ପୟୋଧର ଲତାଂ ନେତ୍ର ତ୍ରୟୋଲ୍ଲାସିନୀମ
ଆବାଲ୍ୟ ସୁର ପୂଜିତାଂ ହରବଧୂଂ
ରକ୍ତାରବିନ୍ଦ ସ୍ଥିତାମ୍‍ l
ମାଆଙ୍କ ପୂଜା ମାନଙ୍କ ମଧ୍ୟରେ ପ୍ରମୁଖ ହେଉଛି, ପାର୍ବଣ ପୂଜାବିଧି ଏବଂ ଚୈତ୍ର ପର୍ବ l କାକଟପୁର ବାସିନୀ ମା’ମଙ୍ଗଳାଙ୍କ ଶାରଦୀୟ ପୂଜା ଷୋଡ଼ଶ ଉପଚାର ବିଧିରେ ପାଳିତ ହୋଇ ଥାଏ l ପବିତ୍ର ରାଧାଷ୍ଟମୀଠାରୁ ଶୟନରତା ମାଆ ମୂଳାଷ୍ଟମୀରେ ଜାଗ୍ରତା ହୋଇଥାନ୍ତି l ମା’ ସର୍ବମଙ୍ଗଳାଙ୍କ ପାର୍ବଣ ପୂଜା ପରିଚାଳନା ପାଇଁ ଉଦ୍ଦିଷ୍ଟ ସେବକ ମାଆଙ୍କ ବିଗ୍ରହ ସମ୍ମୁଖରେ ବିଧି ବିଧାନ ସହ ପୂଜା ସମାପ୍ତ କରିବାକୁ ସଙ୍କଳ୍ପ କରନ୍ତି l ସଙ୍କଳ୍ପିତ ସେବକଙ୍କ ଦ୍ୱାରା ୧୦୦୮କୁମ୍ଭ ଜଳ ବରଣ କରାଯାଇ ସେହି ଦିବ୍ୟ ଜଳରେ ମାଆଙ୍କ ବିଗ୍ରହଙ୍କୁ ସ୍ନାନ ମାଜଣା କରାଯାଇ ଥାଏ l ମୂଳା ଅଷ୍ଟମୀ ଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଗୁପ୍ତପୂଜାରେ ସନ୍ତୁଷ୍ଟା ହୋଇ ପ୍ରତିପଦା ଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ନକ୍ଷତ୍ର ମଣ୍ଡିତା ମା’ଦୁଷ୍ଟ ଦାନବ ମାନଙ୍କ ଗତିବିଧି ଲକ୍ଷ୍ୟ କରନ୍ତି l ପଞ୍ଚମୀ ଦିନ ତୀର କମାଣ ଭୂଷିତା ହୋଇ ପାର୍ଶ୍ୱ ଅନୁଚରଙ୍କ ଗହଣରେ ମାଆ ପ୍ରତ୍ୟକ୍ଷ ସଂଗ୍ରାମ ପାଇଁ ବାହାରି ପଡ଼ନ୍ତି l ଷଷ୍ଠୀ ଦିନ ମାଆଙ୍କୁ ମହା କାତ୍ୟାୟନୀ ବା ଖଡ୍ଗ ଖର୍ପର ଧାରିଣୀ ବେଶରେ ଭୂଷିତା କରାଯାଇ ଗୁପ୍ତପୂଜା ହୋଇଥାଏ l ମହା ସପ୍ତମୀ ଦିନ ମା’ ସର୍ବ ମଙ୍ଗଳାଙ୍କ ସିଂହ ବାହିନୀ ବେଶ ଅନୁଷ୍ଠିତ ହୋଇଥାଏ l ମହାଷ୍ଟମୀ ଦିନ ମାଆଙ୍କୁ ମହିଷ ମର୍ଦ୍ଦିନୀ ବେଶରେ ଭୂଷିତ କରା ଯାଏ l ମହା ନବମୀରେ ଶାନ୍ତି ବା ବିଶ୍ରାମ ବେଶ ସମାପ୍ତିପରେ ବିଜୟାଦଶମୀ ଉତ୍ସବ ପାଳିତହୁଏl ଦଶମୀଦିନ ପ୍ରାତଃ ସମୟରୁ ମାଆଙ୍କର ଭବ୍ୟ ଶୃଙ୍ଗାର ହୋଇ ଭକ୍ତଙ୍କ ଦର୍ଶନ ନିମନ୍ତେ ମୁଖ୍ୟ ଦ୍ୱାର ଉନ୍ମୁକ୍ତ ରଖାଯାଏ l ସନ୍ଧ୍ୟା ଆଳତି ପରେ ମା’ଙ୍କ ଚଳନ୍ତି ବିଗ୍ରହ କନକଦୁର୍ଗା ଚନ୍ଦ୍ରଶେଖରଙ୍କ ସହ ମଣିବିମାନ ଆରୂଢ଼ାହୋଇ ମନ୍ଦିରରୁ ବାହାରି ପ୍ରାଚୀ ତଟର ପ୍ରସିଦ୍ଧ ଶମ୍ଭୁପୀଠ ଶ୍ରୀସୋମେଶ୍ୱର ମନ୍ଦିର ପ୍ରାଙ୍ଗଣକୁ ଗମନ କରନ୍ତି l ସେଠାରେ ଭବାନୀଶଙ୍କରଙ୍କୁ ରତ୍ନମଣ୍ଡପରେ ବସାଇ ବିଶେଷ ପୂଜାର୍ଚ୍ଚନା ବନ୍ଦାପନା ଆଳତି ଅର୍ପଣ ପରେ ପଣା ଲାଗି କରା ଯାଇଥାଏ l ମାଆ ମଙ୍ଗଳା ଆରାଧ୍ୟ ଶଙ୍କରଙ୍କୁ ଦୈତ୍ୟ ମାନଙ୍କର ବିନାଶର କାରଣ ଜଣାଇ ଭକ୍ତ ଗହଣରେ ପୁନଃ ବିମାନରେ ମୂଳ ମନ୍ଦିରକୁ ଫେରି ଆସନ୍ତି l
ମା’ମଙ୍ଗଳା ଶ୍ରୀକ୍ଷେତ୍ର ରକ୍ଷାକାରିଣୀ ଅଷ୍ଟଦେବୀ ବା କ୍ଷେତ୍ରପାଳିକାଙ୍କ ମଧ୍ୟରେ ଅନ୍ୟତମା l କ୍ଷେତ୍ର ପାଳି ଅନ୍ୟ ଦେବୀମାନେ ହେଲେ ହରଚଣ୍ଡୀ,ମା’ ଚର୍ଚ୍ଚିକା,ମା’ ଭଟ୍ଟାରିକା,ତରା ତାରିଣୀ,ଭଗବତୀ, ରାମଚଣ୍ଡୀ ଓ ଦକ୍ଷିଣକାଳି l ନିମ୍ନ ଶ୍ଳୋକରୁ ଏହା ଜଣାପଡ଼ିଥାଏ :-
ମହୋଦଧି ତଟେ ଦେବୀ ହରଚଣ୍ଡୀ ମହୋତ୍କଟା,
ମହାନଦୀ ତଟେ ତଦ୍ଦତ୍ ଚର୍ଚ୍ଚିକା ଚଣ୍ଡ ରୂପିଣୀ,
ଭଟ୍ଟାରିକା ମହାମାୟା ମହା ପର୍ବତ ବାସିନୀ,
ମଙ୍ଗଳା ସର୍ବଶୁଭଦା ପ୍ରାଚୀ ନଦୀ ତଟେସ୍ଥିତା,
ଋଷିକୁଲ୍ୟାତୀରେ ଦେବୀ ତାରିଣୀଂ ଭୟହାରିଣୀ,
ବାଣନଗ୍ରେ ଭଗବତୀ ଚୋଗ୍ରାଚୈତ୍ର ତଥୈବଂ ଚ,
ଚନ୍ଦ୍ରଭାଗା ତଟେ ସାକ୍ଷାତ ରାମଚଣ୍ଡୀ ଶୁଭାନାନା,
ଭାବନ୍ୟଷ୍ଟ ମହାକାଳୀ ରୂପିଣୀ କ୍ଷେତ୍ରପାଳିକା ll
ଏହି ଅଷ୍ଟ ଦେବୀ ମାନଙ୍କ ମଧ୍ୟରୁ ଶ୍ରୀକ୍ଷେତ୍ରର ଐଶାନ୍ୟ କୋଣରେ ବିରାଜିତା ଦେବୀ ମଙ୍ଗଳାଙ୍କ ଶ୍ରୀଜଗନ୍ନାଥଙ୍କ ସେବାରେ ରହିଛି ନିବିଡ଼ ସମ୍ପର୍କ l ଶ୍ରୀ ଜଗନ୍ନାଥଙ୍କ ନବକଳେବର ପୂର୍ବରୁ ବନଯାଗ ପଦ୍ଧତିରେ ଦାରୁ ସଂଗ୍ରହ ନିମନ୍ତେ ମହାମଙ୍ଗଳାଙ୍କ ଲୋଡ଼ା ପଡ଼ିଥାଏ l ରାଜା ଯଯାତି କେଶରୀଙ୍କ ଅମଳରୁ ଏ ଵିଧି ଚଳି ଆସୁଥିବା ଅନୁମାନ କରା ଯାଏ l ଦଇତାପତିମାନେ ଶ୍ରୀକ୍ଷେତ୍ରରୁ ପଦଯାତ୍ରା କରି ଆସି ସର୍ବ ପ୍ରଥମେ ମାଆ ମଙ୍ଗଳାଙ୍କ ନିକଟ ଦେଉଳୀ ମଠରେ ଅବସ୍ଥାନ କରନ୍ତି ଏବଂ ପରେ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରି ଥାନ୍ତି l ଦଇତା ମାନେ ସ୍ଵପ୍ନାବତୀ ମନ୍ତ୍ର ଜପପୂର୍ବକ ମଙ୍ଗଳାଙ୍କ ନିକଟରେ ଅଧିଆ ପଡ଼ନ୍ତି l ମାଆ ମଙ୍ଗଳା ସ୍ୱପ୍ନରେ ଆବିର୍ଭୁତ ହୋଇ, ତିନି ଦିବ୍ୟ ଦାରୁଙ୍କ ସନ୍ଧାନ ଦଇତାପତି ମାନଙ୍କୁ ଦୃଶ୍ୟ କରାଇ ଥାନ୍ତି l
ଜଗଜ୍ଜନନୀ ଦୁର୍ଗାଙ୍କର ମଙ୍ଗଳମୟୀ ଶକ୍ତି ହେଉ ଛନ୍ତି ମହାମଙ୍ଗଳା lସେ ମହିଷାସୁରସହ ସଂଗ୍ରାମ କାଳରେ ଦୁର୍ଗାଙ୍କ ହୃଦୟରୁ ଜାତହୋଇ ମହିଷାର ନିଧନର ଭେଦ କହିବାରୁ ମା’ଦୁର୍ଗା ସେହି ଉପାୟ ଅବଲମ୍ବନ କରି ତାକୁ ବଧ କରିଥିଲେ l ଦେବୀ ଦୁର୍ଗା ଜଗତ କଲ୍ୟାଣାର୍ଥେ ମାଆଙ୍କୁ ସର୍ବମଙ୍ଗଳା ନାମ ପ୍ରଦାନ କରିଥିଲେ l ପ୍ରବାଦ ଅଛି ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମଙ୍ଗଳାଙ୍କୁ ଆଣି ଉଡ୍ର ଭୂମିରେ ରଖାଇଥିଲେ l ମାଆ ମଙ୍ଗଳା ସିଂହଳରୁ ଆନୀତା,ଏହାକୁ ଖଣ୍ଡନକରି କେତେକ ଗବେଷକ କୁହନ୍ତି,ମଙ୍ଗଳାଙ୍କ ମୂର୍ତ୍ତି ଉତ୍କଳୀୟ ଶିଳ୍ପ କଳାରେ ନିର୍ମିତ l ଏହା ନବମ/ଦଶମ ଶତାବ୍ଦୀର ବିଗ୍ରହ l
ଦେବୀଙ୍କ ବିଗ୍ରହ କଳା ମୁଗୁନି ପଥରରେ ନିର୍ମିତ l ମୂର୍ତ୍ତିର ଉଚ୍ଚତା ଛଅଫୁଟ l ପ୍ରସ୍ଫୁଟିତ ପଦ୍ମଉପରେ ଦେବୀ ଆସୀନା, ଚତୁର୍ହସ୍ତା l ଦେବୀଙ୍କ ବାମପାଦ ପୀଠ ଉପରେ ଲମ୍ବା ଭାବରେ ଏବଂ ଦକ୍ଷିଣ ପାଦ ବାମ ଜାନୁ ଉପରେ ରହିଛି l ଦେବୀ ଉପର ଦୁଇ ଭୂଜରେ ପଦ୍ମକଳିକା ଓ ପୂର୍ଣ୍ଣଚନ୍ଦ୍ର ତଥା ତଳ ଦୁଇ ଭୂଜରେ ଜପମାଳା ଧରିଛନ୍ତି | ଚକ୍ଷୁ ଅର୍ଦ୍ଧଉନ୍ମିଳିତ ଓ ମୁଖ ଗୋଲାକାର l ତାଙ୍କର କେଶ କୁନ୍ତଳ ସ୍କନ୍ଧ ଦେଶ ପର୍ଯ୍ୟନ୍ତ ଲମ୍ବିଆସିଛି l ମା’ଙ୍କ ମୂର୍ତ୍ତି ଅତ୍ୟନ୍ତ ଶାନ୍ତ,ସୌମ୍ୟ, ରମଣୀୟ ଓ ଅତି ଆକର୍ଷଣୀୟ l
ପ୍ରତ୍ୟହ ପାଞ୍ଚ ଧୂପ ଓ ତିନି ଅବକାଶ ରୀତିରେ ମା’ଙ୍କର ଦୈନନ୍ଦିନ ନୀତି ସମ୍ପନ୍ନ ହୋଇ ଥାଏ l ପ୍ରାତଃକାଳରେ ଦେବୀଙ୍କର ସ୍ନାନ,ମାଜଣା ହୋଇ ବାଳଭୋଗ ଲାଗି ହୁଏ l ପୂର୍ବାହ୍ନ ଘ୧୦ଣ୍ଟାରୁ ଘ.୧୧ଣ୍ଟା ମଧ୍ୟରେ ଖେଚୁଡ଼ି ଭୋଗ ଏବଂ ମଧ୍ୟାହ୍ନରେ ମଧ୍ୟାହ୍ନ ଧୂପ ପରେ ଭୋଗ ମଣ୍ଡପ ହୋଇ ଦେବୀ ପହଡ଼ ଯାଆନ୍ତି l ଅପରାହ୍ନରେ ପହୁଡ଼ ଫିଟିଲା ପରେ ଠାକୁରାଣୀ ମାଜଣା ହୋଇ ବେଶ ହୋଇ ଥାନ୍ତି l ଏହାପରେ ସନ୍ଧ୍ୟା ଆଳତି ହୁଏ l ରାତ୍ରି 8 ଟା ବେଳେ ଅନ୍ନ,ଡାଲି, ତରକାରୀ, ଖଟା, ଭଜା, କ୍ଷୀରୀ, ପିଠା ପ୍ରଭୃତି ଭୋଗ ଲାଗି ହୋଇଥାଏ l ଶେଷଭୋଗ ରାତ୍ରି୧୦ଟାରେ କେଳି,ପିଠା,ଛେନା ପ୍ରଭୃତି ବଡ଼ସିଂହାର ଭୋଗ ହୋଇ ଦେବୀଙ୍କର ରାତ୍ର ପହଡ଼ ପଡେ l
ମାଆଙ୍କ ଚୈତ୍ର ପର୍ବ :-
ଚୈତ୍ର ପ୍ରଥମ ମଙ୍ଗଳବାର ଦିନ ମା’ ମଙ୍ଗଳାଙ୍କର ଚନ୍ଦନ ବେଶ ହୁଏ l ବୈଶାଖମାସ ପ୍ରଥମ ମଙ୍ଗଳ ବାର ଦିନ ପାଳିତ ହୋଇଥାଏ ଝାମୁଯାତ୍ରା l ଅନ୍ୟ ଦେବୀ ମନ୍ଦିରମାନଙ୍କରେ ପଣା ସଂକ୍ରାନ୍ତି ତିଥିରେ ଝାମୁଯାତ୍ରା ପାଳିତ ହେଉଥିବା ବେଳେ ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମାସର ପଞ୍ଚମ ଅଥବା ବୈଶାଖ ମାସର ପ୍ରଥମ ମଙ୍ଗଳବାର ଝାମୁଯାତ୍ରା ଅନୁଷ୍ଠିତ ହୁଏ l ଭୋର ଦୁଇଟାରୁ ମା’ଙ୍କର ମଙ୍ଗଳ ଆଳତି ସ୍ନାନ ମାର୍ଜନା ସମାପ୍ତ ହୋଇ ମାଆ ଚନ୍ଦନବେଶ ହୁଅନ୍ତି l ପରେ ସୂର୍ଯ୍ୟପୂଜା,ବଲ୍ଲଭ ଭୋଗ,ସକାଳ ଧୂପନୀତି ଅନୁଷ୍ଠିତ ହେବା ପରେ ସକାଳ୫ଟାରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ସାହାଣ ମେଲା ଦର୍ଶନ ହୋଇଥାଏ l ଏଥିରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ l ଗ୍ରାମରେ ମାନସିକଧାରୀ ପାଟୁଆମାନେ ମା’ଙ୍କ ଠାରୁ ଆଜ୍ଞା ମାଳ ପାଇଲା ପରେ ଶୋଭା ଯାତ୍ରାରେ ପ୍ରାଚୀ ନଦୀ ଘଣ୍ଟତୋଳା ଘାଟକୁ ଯାଇ ପାଣି ତୋଳି ମନ୍ଦିରକୁ ଆସି ଥାନ୍ତି l ପାଟୁଆମାନେ ମା’ଙ୍କ ସ୍ତୁତିକରିବା ସହ ପୂଜାପଣ୍ଡା ଗୋସେଇଁଙ୍କ ଠାରୁ ଆଜ୍ଞା ମାଳ ପାଇବା ପରେ ମନ୍ଦିର ସମ୍ମୁଖରେ ଝାମୁ(ନିଆଁରେ ଖାଲିପାଦରେ) ଚାଲିଥାନ୍ତି l ପାଟୁଆଙ୍କ ପରେ ଅଗ୍ନି ପୁର୍ଣ୍ଣ ଗର୍ତ୍ତରେ ମାନସିକ କରିଥିବା ଭକ୍ତଗଣ ମଧ୍ୟ ଖାଲିପାଦରେ ଚାଲିଥାନ୍ତି l ପରେ ପାରମ୍ପରିକ ପାଟୁଆ ନୃତ୍ୟ ଓ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ l
ମାଆ ମଙ୍ଗଳାଙ୍କ କଥା ବିଭିନ୍ନପୁରାଣ ବିଶେଷତଃ ମାର୍କଣ୍ଡେୟ ପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ ଏବଂ ଅଳ୍ପେ ବହୁତେ ସବୁ ପୁରାଣ ମାନଙ୍କରେ ବର୍ଣ୍ଣିତ ହୋଇଛି l ଏହା ଛଡ଼ା ଆମର ଲୋକକଥାକୁ ଭିତ୍ତି କରି ମା’ ମଙ୍ଗଳାଙ୍କ ମହତ୍ତ୍ୱ ଆମର ତଅପୋଇ, ଖୁଲଣା ସୁନ୍ଦରୀ,ନିଶା ମଙ୍ଗଳବାର ଓଷା ଇତ୍ୟାଦି କ୍ଷୁଦ୍ର ପୁସ୍ତିକା ମାନଙ୍କରେ ମଧ୍ୟ ଅତି ସୁନ୍ଦର ଭାବେ କୀର୍ତ୍ତିତ ହୋଇଛି l
ମାଆ ମଙ୍ଗଳା ସମସ୍ତ ଜଗତର ରକ୍ଷା କର୍ତ୍ରୀ,ତାଙ୍କୁ ସ୍ମରଣ କଲେ ମନୁଷ୍ୟର ସମସ୍ତ ଦୁଃଖ ଦୂରହୋଇ ଥାଏ l ସେ ଦୁଃଖ ହାରିଣୀ ଓ ସମସ୍ତ ପ୍ରାଣୀଙ୍କର ମଙ୍ଗଳ କାରିଣୀ l ଏଣୁ ମା’ ମଙ୍ଗଳାଙ୍କୁ ସ୍ତୁତି କରି କୁହାଯାଏ :-
“ଅଶୁଭଂ ନିଧନଂ ଯାତୁ ପ୍ରଣମ୍ୟନ୍ତି ଵିପତ୍ତୟଃ l ଏତତପ୍ରାର୍ଥିତାଂଦେବୀ ତ୍ୱମେକଂଶରଣ ହୀନଃ ll”
ଜୟ ମା’ ମଙ୍ଗଳା
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.