ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ବାତ୍ୟା ‘ଅର୍ଣ୍ଣବ’ ଓ ଏହାର ପ୍ରଭାବରେ ଗତ ୨୬ରୁ ୨୯ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ହୋଇଥିବା ପ୍ରବଳ ବର୍ଷାରେ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଏଙ୍ଗାରସିଂ ଓ ଜିରାଙ୍ଗ ଗ୍ରାମ ପଞ୍ଚାୟତର ୭ଟି ଗ୍ରାମ ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ, ପ୍ରାୟ ୩୮ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଫସଲ, ଫଳଗଛ ଓ ପଶୁସମ୍ପଦର ବ୍ୟାପକ କ୍ଷତି ହୋଇଛି। ଏହା ଫଳରେ ଗ୍ରାମାଞ୍ଚଳର ଆଦିବାସୀ ପରିବାରଗୁଡ଼ିକର ଜୀବନଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି।ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ବର୍ଷ ଧରି ସିସିଡି ଓ ଲିନସି୍ ଫାଉଣ୍ଡେସନର ମିଳିତ ସହଯୋଗରେ ଏହି ଗ୍ରାମଗୁଡ଼ିକରେ ବିଭିନ୍ନ ଉନ୍ନୟନମୂଳକ ଓ ଜୀବିକାଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏଥିରେ ଗୃହ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର ପ୍ରତିଷ୍ଠା, ପାନୀୟ ଜଳ ବ୍ୟବସ୍ଥା, ସୌର ଚାଳିତ ଆଲୋକ, ଶୌଚାଳୟ ନିର୍ମାଣ ସହ ଗ୍ରାମବାସୀଙ୍କ ଜୀବିକାର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା।ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ଏହି ପ୍ରକଳ୍ପ ଅଧୀନରେ ନିର୍ମିତ ୩୧ଟି ପକ୍କା ଘର ଓ ଦୁଇଟି ଗୋଷ୍ଠୀ କେନ୍ଦ୍ର ଗ୍ରାମବାସୀଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ କାର୍ଯ୍ୟ କରିଥିଲା। ବିଶେଷକରି ସଉତ ସାହିର ୨୧ଟି ପରିବାର ନିଜ ଘର ଛାଡ଼ି ଗୋଷ୍ଠୀ କେନ୍ଦ୍ରରେ ଆଶ୍ରୟ ନେଇଥିଲେ। ବିପଦ ସମୟରେ ଏହି ପକ୍କା ଗୃହ ଓ ଗୋଷ୍ଠୀ ଭିତ୍ତିଭୂମି ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇବା ସହ ସାମୂହିକ ଆଶ୍ରୟର ମାଧ୍ୟମ ପାଲଟିଥିଲା।ତେବେ ବାତ୍ୟାରେ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ଚାଷଜମିରେ ଫସଲ ନଷ୍ଟ, ଫଳଗଛ ଭାଙ୍ଗିବା ଏବଂ ପଶୁସମ୍ପଦ କ୍ଷତିଗ୍ରସ୍ତ ହେବା ଯୋଗୁଁ ଗ୍ରାମବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଦୈନନ୍ଦିନ ଜୀବିକା ପାଇଁ ଚାଷ ଓ ପଶୁପାଳନ ଉପରେ ନିର୍ଭରଶୀଳ ଏହି ପରିବାରଗୁଡ଼ିକ ବର୍ତ୍ତମାନ ପୁନର୍ବାସ ଓ ଜୀବିକା ପୁନରୁଦ୍ଧାର ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି।ଏହି ପରିସ୍ଥିତିରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକର ଘର ମରାମତି ଓ ପୁନଃନିର୍ମାଣ, ନଷ୍ଟ ହୋଇଥିବା ଚାଷର ପୁନରୁଦ୍ଧାର, ଫଳଗଛର ପୁନଃରୋପଣ ଏବଂ ପଶୁସମ୍ପଦର ସୁରକ୍ଷା ଓ ପୁନର୍ବାସ ପାଇଁ ତୁରନ୍ତ ସହାୟତା ଆବଶ୍ୟକ ହୋଇପଡ଼ିଛି। ତେଣୁ କ୍ଷୟକ୍ଷତିର ସଠିକ୍ ଆକଳନ କରି ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ କ୍ଷତିପୂରଣ, ଜୀବିକା ସହାୟତା ଓ ପୁନର୍ବାସ ବ୍ୟବସ୍ଥା ଯୋଗାଇଦେବାକୁ ପ୍ରଭାବିତ ଗ୍ରାମବାସୀ ନିବେଦନ କରିଛନ୍ତି।