ଓଡ଼ିଶାରେ ଯୋଗ-ନେଚରପାଥିର ବିକାଶ ଓ ଚିକିତ୍ସକଙ୍କ ପଞ୍ଜୀକରଣ ଦାବିରେ ଗର୍ଜିଲେ ପ୍ରାକୃତିକ ଚିକିତ୍ସକ

୨୦୧୧ରୁ ପ୍ରସ୍ତାବିତ ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ନିର୍ମାଣ ତ୍ୱରାନ୍ୱିତ କରିବାକୁ ଦାବି

ଭୁବନେଶ୍ୱର (୨୪/୧୦): ଓଡ଼ିଶାରେ ଯୋଗ ଓ ନେଚରପାଥି ଚିକିତ୍ସା ପଦ୍ଧତିର ବିକାଶ, ଯୋଗ୍ୟ ଚିକିତ୍ସକଙ୍କ ପଞ୍ଜୀକରଣ, ସ୍ୱତନ୍ତ୍ର ଆୟୁଷ ବିଭାଗ ଗଠନ ଏବଂ ଦୀର୍ଘଦିନ ଧରି ପ୍ରସ୍ତାବିତ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ଦାବିରେ ଶନିବାର ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।

ଏହି ଅବସରରେ ଯୋଗ ଓ ନେଚରପାଥି କ୍ଷେତ୍ରରେ ଦୀର୍ଘବର୍ଷର ଅବହେଳା ପାଇଁ ପୂର୍ବତନ ବିଜେଡି ସରକାରଙ୍କ ରାଜନୈତିକ ଆଭିମୁଖ୍ୟ ଏବଂ ବର୍ତ୍ତମାନର ବିଜେପି ସରକାରଙ୍କ ନିଷ୍କ୍ରିୟତାକୁ ଦାୟୀ କରିଥିଲେ ଆୟୋଜକମାନେ। ଏହି କ୍ଷେତ୍ରରେ ରାଜ୍ୟ ସରକାର ତୁରନ୍ତ ଠୋସ୍ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ବକ୍ତାମାନେ କହିଥିଲେ ଯେ ଯୋଗ ଓ ନେଚରପାଥି ଆୟୁଷ ଚିକିତ୍ସା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶର ଅନେକ ରାଜ୍ୟରେ ଏହି ଚିକିତ୍ସା ପଦ୍ଧତିର ବିକାଶ ପାଇଁ ବିଭିନ୍ନ ପ୍ରକାରର ସରକାରୀ ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ସ୍ୱତନ୍ତ୍ର ପ୍ରଶାସନିକ ଢାଞ୍ଚା, ଚିକିତ୍ସାଳୟ, ମେଡିକାଲ କଲେଜ ଓ ଗବେଷଣା କେନ୍ଦ୍ରର ଅଭାବ ରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏହା ଫଳରେ ରାଜ୍ୟର ଛାତ୍ରଛାତ୍ରୀ ଓ ରୋଗୀମାନଙ୍କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି।

ବକ୍ତାମାନଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱରରେ ୨୦୦ ଶଯ୍ୟା ବିଶିଷ୍ଟ ଯୋଗ ଓ ନେଚରପାଥି ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ସଂସ୍ଥା CCRYN ପକ୍ଷରୁ ୨୦୧୧ ମସିହାରୁ ଅନୁଦାନ ମଞ୍ଜୁର ହୋଇଥିଲେ ମଧ୍ୟ ଜମି ସମ୍ବନ୍ଧୀୟ ବିବାଦ ଓ ପ୍ରଶାସନିକ ସମସ୍ୟା ଯୋଗୁଁ ପ୍ରକଳ୍ପଟି ଆଗେଇ ପାରିନାହିଁ। ସରକାର ପରିବର୍ତ୍ତନ ପରେ ମଧ୍ୟ ଏହି ପ୍ରକଳ୍ପର ଅଗ୍ରଗତି ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହା ସହିତ ଯୋଗ୍ୟ ଯୋଗ-ନେଚରପାଥି ଚିକିତ୍ସକଙ୍କ ପଞ୍ଜୀକରଣ ନ ହେବାକୁ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ ୨୦୦୨ ମସିହାରୁ ବିଭିନ୍ନ ସଂଗଠନ, ଚିକିତ୍ସକ ଓ ଛାତ୍ରଛାତ୍ରୀ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ ମଧ୍ୟ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ଅନେକ ଚିକିତ୍ସକ ବୟସର ଷାଠିଏ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ସେମାନଙ୍କ ପଞ୍ଜୀକରଣ ଓ ବୃତ୍ତିଗତ ସ୍ୱୀକୃତି ନେଇ ଅନିଶ୍ଚିତତା ରହିଛି ବୋଲି ସେମାନେ କହିଥିଲେ।

ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ସରକାରଙ୍କ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ଦାବି ଜଣାଇବା ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ଚିକିତ୍ସକମାନେ କ୍ଷୋଭ ପ୍ରକାଶ କରିଥିଲେ। ପଞ୍ଜୀକରଣ ପାଇଁ ସ୍ପଷ୍ଟ ନୀତି, ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷ ଓ ସମୟସୀମା ନିର୍ଦ୍ଧାରଣ କରିବାକୁ ସେମାନେ ଦାବି କରିଥିଲେ।

ସାମ୍ବାଦିକ ସମ୍ମିଳନୀରେ ପାଞ୍ଚଟି ପ୍ରମୁଖ ଦାବି

୧. ରାଜ୍ୟରେ ଯୋଗ୍ୟ ଯୋଗ-ନେଚରପାଥି ଚିକିତ୍ସକଙ୍କ ପଞ୍ଜୀକରଣ ପାଇଁ ତୁରନ୍ତ ବ୍ୟବସ୍ଥା କରାଯାଉ।

୨. କେନ୍ଦ୍ର ସରକାରଙ୍କ ସହଯୋଗରେ ପ୍ରସ୍ତାବିତ ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଉ।

୩. ଆୟୁଷ ବିଭାଗକୁ ସ୍ୱାସ୍ଥ୍ୟ ବିଭାଗରୁ ପୃଥକ୍ କରି ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଯିବା ସହ ଯୋଗ-ନେଚରପାଥି ପାଇଁ ଆୟୁଷ ନିର୍ଦ୍ଦେଶାଳୟରେ ସ୍ୱତନ୍ତ୍ର ବିଭାଗ ଓ ଉପଯୁକ୍ତ କାଉନସିଲ୍ ଗଠନ କରାଯାଉ।

୪. ଯୋଗ-ନେଚରପାଥିର ବିକାଶ ପାଇଁ ପ୍ରଶାସନିକ ଅଧିକାରୀ ଓ ଅଭିଜ୍ଞ ଚିକିତ୍ସକଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଉ।

୫. ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ଯୋଗ-ନେଚରପାଥି ଚିକିତ୍ସାଳୟ ସ୍ଥାପନ କରାଯାଉ। ଏହା ସହିତ ଭୁବନେଶ୍ୱରରେ “ଶ୍ରୀ ଜଗନ୍ନାଥ ଆଦର୍ଶ ଯୋଗ-ନେଚରପାଥି ସ୍ୱାସ୍ଥ୍ୟ ଗ୍ରାମ” ପ୍ରତିଷ୍ଠା କରାଯାଉ। ଆବଶ୍ୟକ ସ୍ଥଳେ ଏହି ପ୍ରକଳ୍ପ ପାଇଁ ଯୋଗ-ନେଚରପାଥି କ୍ଷେତ୍ରରେ କାର୍ଯ୍ୟରତ ଯୋଗ୍ୟ ବେସରକାରୀ ସଂସ୍ଥାଗୁଡ଼ିକୁ PPP ମୋଡ୍‌ରେ ଜମି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉ।

ଏଥିସହିତ ୧୯୯୧ରୁ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାରେ ଯୋଗ-ନେଚରପାଥିର ବିକାଶ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ଏବଂ ୨୦୨୬ରୁ ୨୦୩୫ ପର୍ଯ୍ୟନ୍ତ ଏହି କ୍ଷେତ୍ରର ବିକାଶ ପାଇଁ କେଉଁ କାର୍ଯ୍ୟଯୋଜନା ଗ୍ରହଣ କରାଯିବା ଆବଶ୍ୟକ, ତାହା ଉଲ୍ଲେଖ କରି ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି ହୋଇଥିଲା।

ବକ୍ତାମାନେ କହିଥିଲେ ଯେ ଯୋଗ ଓ ନେଚରପାଥିର ବିକାଶ କେବଳ ଚିକିତ୍ସକଙ୍କ ବୃତ୍ତିଗତ ସ୍ୱୀକୃତିର ପ୍ରଶ୍ନ ନୁହେଁ; ଏହା ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିସ୍ତାର, ଗବେଷଣା, ଶିକ୍ଷା ଓ ନିଯୁକ୍ତି ସୁଯୋଗ ସହିତ ମଧ୍ୟ ଜଡ଼ିତ। ତେଣୁ ସରକାର ଏହି ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିଷ୍ପତ୍ତି ନେବା ଉଚିତ।

ସାମ୍ବାଦିକ ସମ୍ମିଳନୀରେ ପ୍ରାକୃତିକ ଚିକିତ୍ସକ ତଥା ଇଣ୍ଟରନ୍ୟାସନାଲ ନେଚରୋପାଥି ଅର୍ଗାନାଇଜେସନ୍‌ (INO) ଓଡ଼ିଶା ରାଜ୍ୟ ସଂଯୋଜକ ସୁବାସ ଚନ୍ଦ୍ର ରାଉତଙ୍କ ସମେତ ସୁବ୍ରତ କୁମାର ମେହେର, ରବିନାରାୟଣ ସାହୁ, ଚିତ୍ତରଞ୍ଜନ ସାହୁ, ବିନୋଦ କୁମାର ସାହୁ ଓ ସତ୍ୟରଞ୍ଜନ ଜେନା ଉପସ୍ଥିତ ରହି ଦାବିଗୁଡ଼ିକ ଉପସ୍ଥାପନ କରିଥିଲେ।

ସରକାର ଯୋଗ-ନେଚରପାଥି କ୍ଷେତ୍ରର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଶୀଘ୍ର ଠୋସ୍ ପଦକ୍ଷେପ ନିଅନ୍ତୁ, ନଚେତ୍ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଯୁଗ୍ମ କ୍ରିୟାନୁଷ୍ଟାନ କମିଟି ଆୟୋଜକମାନେ ଚେତାବନୀ ଦେଇଥିଲେ।
ରିପୋର୍ଟ-ସନାତନ ମହାକୁଡ଼

Comments are closed.