ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

0

ଭୁବନେଶ୍ୱର :ରାଜଧାନୀରେ ପୁଣି ଥରେ ଆନ୍ତର୍ଜାତୀୟ ନିଶା କାରବାରର ପର୍ଦ୍ଦାଫାଶ ହୋଇଛି। ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ୍ସ ଏବଂ ଡିଆରଆଇ (DRI) ଟିମ୍‌ର ମିଳିତ ଚଢ଼ଉରେ ୪ ଜଣ ଯାତ୍ରୀଙ୍କଠାରୁ ୫ କେଜିରୁ ଅଧିକ ମାରିଜୁଆନା (ଗଞ୍ଜାଇ) ଜବତ କରାଯାଇଛି। ଜବତ ହୋଇଥିବା ଏହି ନିଶାଦ୍ରବ୍ୟର ଆନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୧.୮୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚାଲାଣରେ ସମ୍ପୃକ୍ତ ୪ ଜଣ ଯାତ୍ରୀଙ୍କୁ ଅଟକ ରଖି ବିଭିନ୍ନ ଦିଗରୁ ପଚରାଉଚରା ଜାରି ରହିଛି।

କଷ୍ଟମ୍ସ ଓ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଙ୍କକରୁ ଉଡ଼ାଣ ଭରିଥିବା ଏକ ବିମାନ ସକାଳ ସମୟରେ ଭୁବନେଶ୍ୱରରେ ଅବତରଣ କରିଥିଲା। ପୂର୍ବରୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ମିଳିତ ଟିମ୍ ସନ୍ଦେହଜନକ ଯାତ୍ରୀମାନଙ୍କୁ କଡ଼ାକଡ଼ି ଯାଞ୍ଚ କରିଥିଲା। ସମସ୍ତଙ୍କ ଲଗେଜ୍ ବ୍ୟାଗ୍ ସ୍କାନ୍ କରାଯିବା ସହ ସନ୍ଧାନୀ କୁକୁରର ମଧ୍ୟ ସାହାଯ୍ୟ ନିଆଯାଇଥିଲା। ଆଶ୍ଚର୍ଯ୍ୟକର କଥା ଯେ, ଅଭିଯୁକ୍ତମାନେ ଅତି ଚତୁରତାର ସହ କୁକୁର ଖାଦ୍ୟ (ଡଗ୍ ଫୁଡ୍) ପ୍ୟାକେଟ୍ ଭିତରେ ମାରିଜୁଆନା ଲୁଚାଇ ନେଇଆସୁଥିଲେ। ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ ମଧ୍ୟ ୧୧ କେଜିର ମାରିଜୁଆନା ଜବତ କରାଯିବା ସହ ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.