ଏସ୍‌କେସିଜି କଲେଜ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ସମର୍ଥିତ ପ୍ରାର୍ଥୀଙ୍କର ବିଜୟ, କୃଷ୍ଣଚନ୍ଦ୍ର ସଭାପତି ଓ ନବୀନ ସମ୍ପାଦକ ଭାବେ ନିର୍ବାଚିତ ।

0

ଗଜପତି,୧୬.୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ (ବିସିଜେଡି) ବିଜୟ ହାସଲ କରିଛନ୍ତି। ଏହି ବିଜୟକୁ ନେଇ ଦଳୀୟ ଛାତ୍ରନେତା ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ନିର୍ବାଚନରେ କୃଷ୍ଣଚନ୍ଦ୍ର କାର୍ଯୀ ସଭାପତି ଏବଂ ନବୀନ ବେହେରା ସମ୍ପାଦକ ଭାବରେ ବିଜୟୀ ହୋଇଥିବା ଜଣାପଡିଛି। ସେହିପରି ଅମିଷାରାଣୀ ସିଂହ – ଉପସଭାପତି,ଟୁନା ବିଡିକା- ସହ ସମ୍ପାଦକ,ନାଟ୍ୟ ସଂସଦ ସମ୍ପାଦକ – ଦୀପକ ରଞ୍ଜନ ମହାପାତ୍ର, କ୍ରୀଡା ସମ୍ପାଦକ -ରାଜେଶ କୁମାର ନାୟକ, ବିଜ୍ଞାନ ବିଭାଗର ସମ୍ପାଦକ -ମାନସ ରଞ୍ଜନ ଗନ୍ତାୟତ,ଏସଏସଜି ସମ୍ପାଦକ – ନିତେଶ କୁମାର ମଣ୍ଡଳ, ଓଡ଼ିଆ ସାହିତ୍ୟ ସମାଜ ସମ୍ପାଦକ – ସ୍ନେହା ବେହେରା,ବାଳକ ବିଭାଗ କମନରୁମ ସମ୍ପାଦକ -ପ୍ରଭାକର କାର୍ଯୀ, ବାଳିକା କମନରୁମ ସମ୍ପାଦିକା-ମୀର୍ଜାରାଣୀ ନାୟକ ବିଜୟ ହାସଲ କରିଥିବା ମହାବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବିଜୟ ପରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ବରିଷ୍ଠ ନେତା ଓ ମାର୍ଗଦର୍ଶକଙ୍କ ପରାମର୍ଶ ଅନୁସାରେ ମହାବିଦ୍ୟାଳୟର ବିକାଶ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ଥିବା ପ୍ରକାଶ କରିଛନ୍ତି। ବିଶେଷକରି ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ମାର୍ଗଦର୍ଶନରେ କଲେଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବେ ବୋଲି ସେମାନେ ପ୍ରକାଶ କରିଛନ୍ତି।କଲେଜରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମୌଳିକ ସୁବିଧା ଓ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ନବନିର୍ବାଚିତ ପ୍ରତିନିଧିମାନେ କେତେକ ଯୋଜନା ଉପସ୍ଥାପନ କରିଛନ୍ତି। ସେଥି ମଧ୍ୟରେ ସମଗ୍ର କଲେଜ ପରିସରରେ ସିସିଟିଭି କ୍ୟାମେରା ଲଗାଇ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ବିଶେଷକରି ଛାତ୍ରୀମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ପ୍ରସ୍ତାବ ରହିଛି।ସେହିପରି ଛାତ୍ରଛାତ୍ରୀମାନେ ନିଜର ଅଭିଯୋଗ ଓ ସମସ୍ୟା ସହଜରେ ଜଣାଇପାରିବା ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ କିମ୍ବା ମୋବାଇଲ୍ ଆପ୍‌ ପ୍ରଚଳନ କରିବାକୁ ଯୋଜନା ରହିଛି। କଲେଜରେ ଉପଯୁକ୍ତ କ୍ୟାଣ୍ଟିନ୍‌ର ଅଭାବ ଦୂର କରିବା, ଲାଇବ୍ରେରୀରେ ଆବଶ୍ୟକ ପୁସ୍ତକ ଉପଲବ୍ଧ କରାଇବା ସହ ବିଭିନ୍ନ ବିଭାଗରେ ପାନୀୟ ଜଳ ଓ ଶୌଚାଳୟ ସମସ୍ୟାର ସମାଧାନ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ସମର୍ଥନକୁ ପାଥେୟ କରି କଲେଜର ସାମଗ୍ରିକ ବିକାଶ, ଉନ୍ନତ ଶିକ୍ଷା ପରିବେଶ ଏବଂ ମୌଳିକ ସୁବିଧାରେ ସୁଧାର ଆଣିବା ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.