ଗଜପତି, ୧୫ ଅକ୍ଟୋବର ୨୦୨୬(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଗଜପତି ଜିଲ୍ଲାର ଛେଳିଗଡ଼ ବୁଡ଼ି ଅଞ୍ଚଳର ବିସ୍ଥାପିତ ପରିବାରମାନଙ୍କ ଦୀର୍ଘ ଚାରି ବର୍ଷର ୧୫ ଦଫା ଦାବିକୁ ନେଇ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ମିଳିତ ଆଲୋଚନା ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିସ୍ଥାପିତଙ୍କ ବିଭିନ୍ନ ସମସ୍ୟା, କ୍ଷତିପୂରଣ, ଜମି ଓ ଘର ପଟ୍ଟା ଏବଂ ପୁନର୍ବାସ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ବୈଠକରେ ଜଙ୍ଗଲ ଜମି ଓ ଗଛ ବାବଦରେ କ୍ଷତିପୂରଣ ଅର୍ଥ ଆସିସାରିଥିବା ଏବଂ ନୂତନ ଡିପି (ବିସ୍ଥାପନ ପ୍ୟାକେଜ୍) ବାବଦରେ ମଧ୍ୟ ଅର୍ଥ ଆସିଥିବା ସମ୍ପର୍କରେ ଆଲୋଚନା ହୋଇଛି। ଏହାସହ ଆର୍ଡିସି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କିଛି ପରିବାରଙ୍କୁ ଜମି ଓ ଘର ପଟ୍ଟା ମିଳିଥିବା ଜଣାପଡ଼ିଛି।
ବିଶେଷକରି ବିବାହିତା ଝିଅମାନଙ୍କୁ ଉପଯୁକ୍ତ ଯାଞ୍ଚ ଓ ଯୋଗ୍ୟତା ଆଧାରରେ ଡିପି ସୁବିଧା ଯୋଗାଇଦେବା ଏବଂ ଯେଉଁ ପରିବାରମାନଙ୍କ ଘର ଓ ଜମି ବିଭିନ୍ନ କାରଣରୁ ତାଲିକାରୁ ବାଦ୍ ପଡ଼ିଯାଇଛି, ସେମାନଙ୍କୁ ପୁନର୍ବାର ଯାଞ୍ଚ କରି ତାଲିକାରେ ସାମିଲ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଲୋଚନାରେ ଆଶ୍ୱାସନା ଦିଆଯାଇଥିବା କୁହାଯାଇଛି।
ଏହି ଆଲୋଚନାରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆର୍ଡିସି, ଗଜପତି ଓ ଗଞ୍ଜାମ ଜିଲ୍ଲାପାଳ, ପ୍ରକଳ୍ପ ଅଧିକାରୀ ଅଜିତ କୁମାର ପ୍ରଧାନ, ଭୂ-ଅର୍ଜନ ଅଧିକାରୀ ଶିବାଶିଷ ପଣ୍ଡାଙ୍କ ସମେତ ଛେଳିଗଡ଼ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତିର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ବିସ୍ଥାପିତଙ୍କ ସମସ୍ୟା ଉପରେ ମତ ବିନିମୟ କରିଥିଲେ।
ଅନ୍ୟପକ୍ଷରେ, ସଂଗ୍ରାମ ସମିତିର ସଭାପତି କହିଛନ୍ତି ଯେ, ଦୀର୍ଘଦିନ ଧରି ଦାବି ଉଠାଯାଉଥିଲେ ମଧ୍ୟ ଯଦି ଆଶ୍ୱାସନା କେବଳ ପ୍ରତିଶ୍ରୁତିରେ ସୀମିତ ରହେ ଏବଂ ଦାବିଗୁଡ଼ିକର ବାସ୍ତବ କାର୍ଯ୍ୟାନ୍ୱୟନ ନ ହୁଏ, ତେବେ ସମିତି ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ତୀବ୍ର କରିବାକୁ ବାଧ୍ୟ ହେବ। ଆବଶ୍ୟକ ପଡ଼ିଲେ ଅଞ୍ଚଳରେ ଚାଲିଥିବା ବିଭିନ୍ନ ନିର୍ମାଣ ଓ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ସମିତି ପକ୍ଷରୁ କୁହାଯାଇଛି ଯେ, ବିସ୍ଥାପିତ ପରିବାରମାନଙ୍କ ନ୍ୟାୟସଙ୍ଗତ ଦାବିର ସମାଧାନ, ବାଦ୍ ପଡ଼ିଥିବା ପରିବାରଙ୍କୁ ଉପଯୁକ୍ତ ତାଲିକାରେ ସାମିଲ କରିବା ଏବଂ କ୍ଷତିପୂରଣ ଓ ପୁନର୍ବାସ ସୁବିଧା ସମୟସୀମା ମଧ୍ୟରେ ଯୋଗାଇଦେବା ହିଁ ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ।
ଏବେ ଦେଖିବାର କଥା, ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଆଶ୍ୱାସନ କେତେ ଶୀଘ୍ର କାର୍ଯ୍ୟରେ ପରିଣତ ହେଉଛି ଏବଂ ଛେଳିଗଡ଼ ବୁଡ଼ି ଅଞ୍ଚଳର ବିସ୍ଥାପିତ ପରିବାରମାନେ କେବେ ନିଜର ନ୍ୟାୟସଙ୍ଗତ ହକ୍ ପାଇପାରୁଛନ୍ତି।
Sign in
Sign in
Recover your password.
A password will be e-mailed to you.