ପାରଳାଖେମୁଣ୍ଡି ପୌରପାଳିକାର ସୀମା ପୁନର୍ଗଠନ ନିମନ୍ତେ ଦାବି ।

0

ଗଜପତି ,୧୨.୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଦୃତ ବିକାଶ ଓ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଶତାୟୁ ପୌରପାଳିକାର ସୀମା ସମ୍ପ୍ରସାରଣ କରିବା ଏବେ ସମୟର ଏକ ପ୍ରମୁଖ ଆବଶ୍ୟକତା ହୋଇପଡ଼ିଛି। ବର୍ତ୍ତମାନ ପାରଳାଖେମୁଣ୍ଡି ପୌରପାଳିକାରେ ୧୬ଟି ୱାର୍ଡ ରହିଥିବା ବେଳେ ସହରର ଜନସଂଖ୍ୟା, ଆବାସିକ ଅଞ୍ଚଳ ଓ ବ୍ୟବସାୟିକ ପ୍ରତିଷ୍ଠାନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପରିସ୍ଥିତିରେ ସହରର ବର୍ତ୍ତମାନର ସୀମାକୁ ପୁନଃବିଚାର କରି ଆଖପାଖର ବିକାଶଶୀଳ ଅଞ୍ଚଳଗୁଡ଼ିକୁ ପୌରପାଳିକା ଅଧୀନକୁ ଆଣିବା ପାଇଁ ଦାବି ଉଠିଛି।ସହରର ଫରେଷ୍ଟ ଗେଟ୍‌ ଠାରୁ ଆରମ୍ଭ କରି ମୋକ୍କାତୋଟାମ୍ମା ମନ୍ଦିର ଅଞ୍ଚଳ ଏବଂ ରାଣିପେଣ୍ଠା ପର୍ଯ୍ୟନ୍ତ ରହିଥିବା ବିକାଶଶୀଳ ଅଞ୍ଚଳଗୁଡ଼ିକୁ ସ୍ଥାନୀୟ ଆବଶ୍ୟକତା ଓ ଜନସଂଖ୍ୟା ଆଧାରରେ ସର୍ଭେ କରାଯାଇ ପୌରପାଳିକାରେ ସାମିଲ କରିବା ସହ ନୂତନ ୱାର୍ଡ ଗଠନ କରିବା ପାଇଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସହରର ଯୋଜନାବଦ୍ଧ ବିକାଶ ସହ ଜନସାଧାରଣଙ୍କୁ ଉନ୍ନତ ନାଗରିକ ସେବା ଯୋଗାଇବାରେ ସୁବିଧା ହୋଇପାରିବ।ପୌରପାଳିକାର ସୀମା ସମ୍ପ୍ରସାରଣ ହେଲେ ନୂତନ ଭାବେ ସାମିଲ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ରାସ୍ତାଘାଟ ଓ ଯାତାୟାତ ବ୍ୟବସ୍ଥାର ଉନ୍ନତି, ପାନୀୟ ଜଳ ଯୋଗାଣ, ଡ୍ରେନେଜ୍‌ ବ୍ୟବସ୍ଥା, ପରିମଳ, ଆବର୍ଜନା ପରିଚାଳନା, ଷ୍ଟ୍ରିଟ୍ ଲାଇଟ୍‌ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାର ବିକାଶ ପାଇଁ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେବାର ସୁଯୋଗ ସୃଷ୍ଟି ହେବ। ଏଥି ସହ ଅନିୟନ୍ତ୍ରିତ ସହରୀକରଣକୁ ରୋକିବା, ନୂତନ ଆବାସିକ ଅଞ୍ଚଳର ସଠିକ୍ ଯୋଜନା ପ୍ରସ୍ତୁତ କରିବା ଏବଂ ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ନିର୍ମାଣ କରିବା ସହଜ ହୋଇପାରିବ।ବିଶେଷକରି, ସହରର ଆଖପାଖରେ ନୂତନ ଘରବାଡ଼ି, ବ୍ୟବସାୟିକ ପ୍ରତିଷ୍ଠାନ ଓ ଜନବସତି ବଢ଼ୁଥିବାରୁ ସେହି ଅଞ୍ଚଳଗୁଡ଼ିକୁ ସହରୀ ବିକାଶର ମୁଖ୍ୟଧାରାରେ ସାମିଲ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପୌରପାଳିକାର ସୀମା ନିର୍ଦ୍ଧାରଣ, ଆବଶ୍ୟକ ସର୍ଭେ ଓ ଜନସାଧାରଣଙ୍କ ମତାମତ ଆଧାରରେ ଉଚିତ ପଦକ୍ଷେପ ନେବା ପାଇଁ ଜନସାଧାରଣ ଦାବି କରିଛନ୍ତି।ପାରଳାଖେମୁଣ୍ଡି କେବଳ ଗଜପତି ଜିଲ୍ଲାର ପ୍ରଶାସନିକ କେନ୍ଦ୍ର ନୁହେଁ, ଏହା ଏକ ଐତିହାସିକ ସହର ମଧ୍ୟ। ତେଣୁ ସହରର ପରିଚୟ, ଐତିହ୍ୟ ଓ ପରିବେଶକୁ ସୁରକ୍ଷିତ ରଖି ଆଧୁନିକ ନାଗରିକ ସୁବିଧାର ବିକାଶ କରିବା ଆବଶ୍ୟକ। ଏଥିପାଇଁ ଆଜିଠାରୁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଗଲେ ଆଗାମୀ ଦିନରେ ସହରକୁ ଅଧିକ ସୁନ୍ଦର, ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ବିକଶିତ କରାଯାଇପାରିବ।ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡିର ବର୍ତ୍ତମାନର ୧୬ଟି ୱାର୍ଡକୁ ଆବଶ୍ୟକତା ଅନୁଯାୟୀ ପୁନର୍ଗଠନ କରିବା ସହ ନୂତନ ୱାର୍ଡ ସୃଷ୍ଟି ଏବଂ ସହରର ଆଖପାଖର ବିକାଶଶୀଳ ଅଞ୍ଚଳଗୁଡ଼ିକୁ ପୌରପାଳିକାରେ ସାମିଲ କରିବା ପାଇଁ ପ୍ରଶାସନ ଓ ଜନପ୍ରତିନିଧିମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.