ବହୁଚର୍ଚ୍ଚିତ ଅନଲାଇନ୍ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ

0

ନବରଙ୍ଗପୁର, (ଶେଖର ଖୁରା): ବହୁଚର୍ଚ୍ଚିତ ଅନଲାଇନ୍ ଠକେଇ ମାମଲାର ବିଚାର କରି ନବରଙ୍ଗପୁର ଉପଖଣ୍ଡୀୟ ବିଚାର ବିଭାଗୀୟ ବିଚାରପତି ଶ୍ରୀ ସୌମ୍ୟ ଶଙ୍କର ମହାନ୍ତ ଅଭିଯୁକ୍ତ ଅଜୟ କୁମାର ପାଉଲଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ମାନ୍ୟବର ଅଦାଲତ ରାୟ ଶୁଣାଇଛନ୍ତି।

ସୂଚନା ଅନୁଯାୟୀ, ତେନ୍ତୁଳୀଖୁଣ୍ଟି ଗ୍ରାମର ଭି. ପ୍ରଶାନ୍ତ କୁମାର ଗତ ୦୭/୧୧/୨୦୨୫ ତାରିଖରେ କଟକସ୍ଥିତ ଆରକ୍ଷୀ ଅଧୀକ୍ଷକ, ସିଆଇଡି, କ୍ରାଇମବ୍ରାଞ୍ଚଙ୍କ ନିକଟରେ ଅନଲାଇନ୍ ଠକେଇ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି କେସ୍ ନମ୍ବର ୩୮/୨୫ ରୁଜୁ ହୋଇଥିଲା।

ଅଭିଯୋଗ ଅନୁସାରେ, ୨୦୨୫ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ପ୍ରଶାନ୍ତଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ ସେୟାର ବଜାରରେ ଅର୍ଥ ବିନିଯୋଗ କରି ଅଧିକ ଲାଭ ପାଇବାର ପ୍ରଲୋଭନ ଦେଖାଇଥିଲେ। ପରେ ସେୟାର ବଜାର ସମ୍ପର୍କିତ କୌଶଳ ଶିଖାଇବା ନାମରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଇଥିଲେ।

ପରେ ଅଭିଯୋଗକାରୀଙ୍କୁ ‘Digital Dynamoes’ ନାମକ ଏକ ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ଯୋଡ଼ାଯାଇଥିଲା। ଗ୍ରୁପ୍‌ରେ ମୋଟ ୮ ଜଣ ସଦସ୍ୟ ଥିବାବେଳେ ଜଣେ ବ୍ୟକ୍ତି ନିଜକୁ ଗ୍ରୁପ୍ ଆଡମିନ୍ ଭାବେ ପରିଚୟ ଦେଇ ସେୟାର ବଜାରରେ ନିବେଶ ସମ୍ପର୍କିତ ବିଭିନ୍ନ କୌଶଳ ବୁଝାଉଥିଲେ। ତାଙ୍କ ପରାମର୍ଶ ଅନୁଯାୟୀ ଅଭିଯୋଗକାରୀ ‘Globixvault’ ନାମକ ଏକ ଟ୍ରେଡିଂ ପ୍ଲାଟଫର୍ମରେ ଆକାଉଣ୍ଟ ଖୋଲିଥିଲେ।

ପ୍ରଥମେ ତାଙ୍କୁ ୨୫,୧୦୦ ଟଙ୍କା ଏବଂ ୩୫,୦୦୦ ଟଙ୍କା ନିବେଶ କରାଯାଇଥିଲା। ଏହାପରେ ଲାଭ ବାବଦରେ ତାଙ୍କ ଆକାଉଣ୍ଟରେ ୮,୫୦୦ ଟଙ୍କା ଓ ୬୩,୦୦୦ ଟଙ୍କା ଜମା ହୋଇଥିଲା। ଏଥିରେ ଉତ୍ସାହିତ ହୋଇ ଅଭିଯୋଗକାରୀ ୧୨/୧୦/୨୦୨୫ରୁ ୦୪/୧୧/୨୦୨୫ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧,୯୪,୬୨,୩୧୦ ଟଙ୍କା ନିବେଶ କରିଥିଲେ।

ପ୍ଲାଟଫର୍ମରେ ତାଙ୍କ ନିବେଶ ବଦଳରେ ମୋଟ ୫,୧୫,୧୭,୯୮୫ ଟଙ୍କା ଲାଭ ହୋଇଥିବା ଦେଖାଯାଇଥିଲା। ତେବେ ଅଭିଯୋଗକାରୀ ଉକ୍ତ ଟଙ୍କା ଉଠାଇବାକୁ ଚେଷ୍ଟା କରିବାବେଳେ ଆହୁରି ୬୦ ଲକ୍ଷ ଟଙ୍କା ନିବେଶ କଲେ ମାତ୍ର ଟଙ୍କା ଉଠାଇପାରିବେ ବୋଲି ତାଙ୍କୁ କୁହାଯାଇଥିଲା।

ଏତେ ଟଙ୍କା ଆଉ ନିବେଶ କରିବାରେ ଅସମର୍ଥତା ପ୍ରକାଶ କରି ନିଜ ପ୍ରାପ୍ୟ ଟଙ୍କାରୁ ଉକ୍ତ ରାଶି କାଟି ଅବଶିଷ୍ଟ ଟଙ୍କା ଦେବାକୁ ଅଭିଯୋଗକାରୀ ଅନୁରୋଧ କରିଥିଲେ। ହେଲେ ପରେ ସେମାନେ ତାଙ୍କୁ ହ୍ୱାଟ୍ସଆପ୍ ଗ୍ରୁପ୍‌ରୁ ବାହାର କରିଦେବା ସହ ଫୋନ୍ ଉଠାଇନଥିଲେ।

ଏହାପରେ ପ୍ରଶାନ୍ତ କଟକସ୍ଥିତ ସିଆଇଡି କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୋଗକାରୀଙ୍କ ଦ୍ୱାରା ଦିଆଯାଇଥିବା ଫୋନ୍ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟାନ୍ୟ ଦସ୍ତାବିଜ ଯାଞ୍ଚ କରିଥିଲା। ତଦନ୍ତକ୍ରମେ ଅଭିଯୁକ୍ତ ଅଜୟ କୁମାର ପାଉଲଙ୍କୁ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଅନ୍ତର୍ଗତ ରିଷଡ଼ା ଥାନା ଅଞ୍ଚଳର ସେରମପୁରରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବିଭିନ୍ନ ଧାରା ୩୧୮(୨)(୪), ୩୧୯(୨), ୩୩୬(୨)(୩), ୩୩୮, ୩୪୦(୨), ୬୧(୨), ୩(୫) ଏବଂ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬(ସି), ୬୬(ଡି) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ମାମଲାର କୋର୍ଟ କେସ୍ ନମ୍ବର GR-1505/25 ଥିଲା।

ମାମଲାରେ ୬ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ଉପସ୍ଥାପିତ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଅଭିଯୁକ୍ତ ଅଜୟ କୁମାର ପାଉଲଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି।

ନବରଙ୍ଗପୁର ଜିଲ୍ଲାର ଏହି ବହୁଚର୍ଚ୍ଚିତ ମାମଲାକୁ ସରକାରଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର ରାମଚନ୍ଦ୍ର ନାୟକ ପରିଚାଳନା କରୁଥିବାବେଳେ ପବ୍ଲିକ୍ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କା ମାମଲାର ପ୍ରତ୍ୟକ୍ଷ ତଦାରଖ କରୁଥିଲେ।

ଅନଲାଇନ୍ ଠକେଇ ମାମଲାରେ ତ୍ୱରିତ ନ୍ୟାୟ ମିଳିଥିବାରୁ ପୀଡ଼ିତ ଓ ତାଙ୍କ ପରିବାର ସମେତ ଜିଲ୍ଲାର ସାଧାରଣ ଲୋକେ ନ୍ୟାୟିକ ପ୍ରକ୍ରିୟା ପ୍ରତି ସନ୍ତୋଷ ପ୍ରକାଶ କରିଛନ୍ତି।

ଶେଖର ଖୁରାଙ୍କ ରିପୋର୍ଟ, ନବରଙ୍ଗପୁର

Leave A Reply

Your email address will not be published.