ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ଭେଟି ତାଙ୍କର ଜୀବନୀ ଆଧାରିତ ପୁସ୍ତକ ‘ଅରଣ୍ୟରୁ ଅଭିଷେକ’ ଆନୁଷ୍ଠାନିକ ଭାବେ ଅର୍ପଣ କରିଛନ୍ତି ପୁସ୍ତକର ଲେଖକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଓ ପ୍ରକାଶକ ଅଭୟ ଦାସ।
ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ବିଦ୍ୟାଭାରତୀ’,
ବାଲେଶ୍ଵର ଦ୍ୱାରା ପ୍ରକାଶିତ ଏହି ପୁସ୍ତକକୁ ଏହାର ଲେଖକ, ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଏବଂ ପ୍ରକାଶକ କବି ଅଭୟ ଦାସ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଭେଟିଦେବାର ବିଶେଷ ଅବସରରେ ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାୟକ ଏବଂ ଘସିପୁରାର ଜନନେତା ତଥା ସୁସାହିତ୍ୟିକ ଡକ୍ଟର ଶମ୍ଭୁ ନାଥ ରାଉତ ଉପସ୍ଥିତ ଥିଲେ। ଡକ୍ଟର ରାଉତ ଏହି ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ ପୁସ୍ତକଟି ଓଡ଼ିଆ ସାହିତ୍ୟ ଜଗତରେ ଏକ ଅମୂଲ୍ୟ ସମ୍ପଦ ହେବ ବୋଲି ମତ ରଖିଥିଲେ।
“ସଂକଳ୍ପ ଥିଲେ ସିଦ୍ଧି ଆସେ”— ଏହି ଆଦର୍ଶକୁ ପାଥେୟ କରି ବଣ-ପାହାଡ଼ ଘେରା ଗ୍ରାମୀଣ ପୃଷ୍ଠଭୂମିରୁ ଜଣେ ସାଧାରଣ ଜନସେବକ ଭାବେ ନିଜର ଯାତ୍ରା ଆରମ୍ଭ କରି, ବହୁ ସଂଘର୍ଷ ଓ ଆହ୍ୱାନକୁ ଅତିକ୍ରମ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବା ପର୍ଯ୍ୟନ୍ତ ଶ୍ରୀ ମାଝୀଙ୍କ ଜୀବନ ସଂଗ୍ରାମ, ଦୃଢ଼ ନିଷ୍ଠା ଓ ସାଧାରଣ ଜୀବନଶୈଳୀକୁ ଏହି ଗ୍ରନ୍ଥରେ ବର୍ଣ୍ଣନା କରାଯିବା ସଂଗେ ସଂଗେ ତାଙ୍କ ଶାସନକାଳ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୁଗାନ୍ତକାରୀ ବିକାଶମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନା ବିଷୟରେ ମଧ୍ୟ ବିସ୍ତୃତ ଆଲେଖ୍ୟ ଏଥିରେ ସ୍ଥାନ ପାଇଛି। ଏହି ଗ୍ରନ୍ଥଟି ଆଗାମୀ ପିଢ଼ି ପାଇଁ ପ୍ରେରଣାର ଏକ ଶାଶ୍ୱତ ଉତ୍ସ ସାବ୍ୟସ୍ତ ହେବ ବୋଲି ପ୍ରକାଶକ ଅଭୟ ଦାସ ପ୍ରକାଶ କରିଥିଲେ ।
ପୁସ୍ତକଟିକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡ଼ିବା ସହ ଲେଖକ ଡକ୍ଟର ପଟ୍ଟନାୟକଙ୍କ ନିରବଚ୍ଛିନ୍ନ ସାରସ୍ୱତ ସାଧନାର ଭୂୟସୀ ପ୍ରଶଂସା କରିଥିଲେ। ଏହାସହ ସେ ପୁସ୍ତକଟିକୁ ଆଦ୍ୟରୁ ପ୍ରାନ୍ତ ପାଠ କରି ନିଜର ମତାମତ ଦେବେ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ।