ବନ୍ଧନ
ବନ୍ଧନ
****
ଗୋଟିଏ ଉଚ୍ଚ ମଧ୍ୟବିତ୍ତ ପରିବାରର ବସିବା ଘର। ବେଶ୍ ସୁନ୍ଦର,ରୁଚିପୂର୍ଣ୍ଣ ସାଜସଜ୍ଜା। ଦାମୀ ସୋଫା, ଦାମୀ କାର୍ପେଟ୍ ଓ ସିଲ୍କ୍ ପରି ଦିଶୁଥିବା ପର୍ଦା କାନ୍ଥର ରଙ୍ଗକୁ ବେଶ୍ ଖାପ୍ ଖୁଆଇଛି।ଜଣା ପଡ଼ୁଛି ସେଇ କୋଠରିର ସାଜସଜ୍ଜାରୁ,ଘରର ମାଲିକିଆଣୀ ବାହ୍ୟ ଆଡ଼ମ୍ବର ବିଷୟରେ ବେଶ୍ ସଚେତ ।
ସୋଫାରେ ଘରର ମାଲିକ ମିଷ୍ଟର୍ ତ୍ରିପାଠୀ ବସିଛନ୍ତି।ପାଖରେ ଆଉ ଗୋଟିଏ ବଡ଼ ସୋଫାରେ ଶ୍ରୀମତୀ ତ୍ରିପାଠୀ (ଡଲି)ବସିଛନ୍ତି। ଅନ୍ୟ ଏକ ସୋଫାରେ ଆଉଜଣେ ଭଦ୍ରବ୍ୟକ୍ତି,ବିବେକ,ବସିଛନ୍ତି। କିଛି ଚର୍ଚ୍ଚା ଚାଲିଛି।
ଡଲି – କଣ ବିବେକ,ସେମାନେ ଝିଅର ଫୋଟୋ ଦେଲେନି ଏଯାଏଁ ! ଖାଲି ଜାତକ ପଠେଇ ଦେଇଛନ୍ତି ! ଫୋଟୋ ନଦେଲେ ଏ ପ୍ରସ୍ତବରେ କେମିତି ଆଗେଇବୁ ଆମେ ! ଝିଅ ଦେଖିବାକୁ ନିତାନ୍ତ ଭଲ ହେବା ଉଚିତ୍। ତୁମେ ତାଙ୍କୁ କୁହ ଫୋଟୋ ପଠେଇବେ।
ବିବେକ -କହିଲିଣି ଆଜ୍ଞା ଦୁଇଥର। ଝିଅର ବାପା,ଆଚାର୍ଯ୍ୟ ବାବୁ କହୁଛନ୍ତି ଆଗ ଜାତକ ମିଶୁ,ତା’ପରେ ଯାଇ ଅନ୍ୟ କଥା।
ଡଲି – କି କଥା ! ଚେହେରାଟା ଯଦି ଭଲ ନଥିବ ଆମର ଦରକାର ନାହିଁ ଆଗକୁ ଯିବା। କଣ ମିଳିବ ଜାତକରୁ ମୁଁ ଶୁଣେ ।
ମିଷ୍ଟର ତ୍ରୀପାଠୀ -ନିଶି କଣ ଭଲ ଦେଖିବାକୁ ନଥିଲା ? କଣ ହେଲା ଦେଖୁଛ ତ ! ମଣିଷର ଚେହେରାରୁ କଣ ଜାଣିବ ସେ କେମିତି। ଚେହେରା ସବୁକିଛି ନୁହେଁ।
ଡଲି – (ଟିକେ ବିରକ୍ତ ହେଇ) କଣ ମ! ସୁନ୍ଦର ନଥିଲେ କିଏ ବୋହୂ କରି ଆଣିବ ଏ ଘରକୁ। ମୋ ପୁଅ ହିଁ ମନା କରିଦେବ ପ୍ରଥମେ। ଆଉ ସମସ୍ତେ କଣ କହିବେ,ବୋହୂ ସୁନ୍ଦର ନହେଲେ,ଭାବି ପାରୁଛ ! ସୁନ୍ଦର ହେଲେ ସମସ୍ତଙ୍କ ପାଟି ବନ୍ଦ!
ମିଷ୍ଟର ତ୍ରିପାଠୀ -ତୁମ ପୁଅର ଖୁସି ବେଶି ଜରୁରୀ କି ସମସ୍ତଙ୍କ ମୁହଁ ବନ୍ଦ ହେବା ବେଶି ଜରୁରୀ? ନିଶି ବେଶ୍ ଭଲ ଥିଲା ଦେଖିବାକୁ। କେତେ ସମୟ ତୁମ ପୁଅ ଖୁସି
ରହି ପାରିଲା? ସେ ଚାଲି ଗଲାପରେ କେତେ ଲୋକଙ୍କ ମୁହଁ ବନ୍ଦ କରି ପାରିଲ ତୁମେ ?
ଡଲି(ଚିହିଙ୍କି ଉଠି) ସେ ନିଶି ଚାଲିଗଲା ବୋଲି କଣ ମୁଁ ବାନ୍ଦରୀଟିଏକୁ ବୋହୂ କରି ଆଣିବି!
ବିବେକ -ନାଇଁ ନାଇଁ!! ଏଇ ଝିଅ ଭଲ ଦେଖିବାକୁ ଥିବ ଆଜ୍ଞା। ଭଲ ସ୍କୁଲ,କଲେଜରୁ ପଢ଼ିଛି। ଭଲ ଘର। ଖରାପ ଚେହେରା କାହିଁକି ହେବ। ମୁଁ ଆଉଥରେ ଆଚାର୍ଯ୍ୟ ବାବୁଙ୍କୁ କହିବି ଫୋଟୋ ପାଇଁ। ତା’ଆଗରୁ ଜାତକ ମିଳେଇଦେବା। ଆଉ ଚିନ୍ତା ରହିବନି।
ଡଲି -ନାଇଁ ନାଇଁ। ଏ ଜାତକ ଫାତକ ପୁରୁଣା ଢ଼ଙ୍ଗ। ଭଲ ଦେଖିବାକୁ ହେଲେ ଯାଇ ଆମେ ଆଗେଇବୁ ନହେଲେ ନାଇଁ। ଭଲ ସ୍କୁଲ କଲେଜରୁ ପଢ଼ିଛି ବୋଲି କଣ ଚେହେରା ଭଲ ହେଇଯିବ ନା କଣ ! ଏଇ ତୁମ ଭଉଣୀର ବୋହୂକୁ ଦେଖ। ଏତେ ପାଠଶାଠ !କିନ୍ତୁ କି ରୂପଲୋ !
ମିଷ୍ଟର ତ୍ରିପାଠୀ – ନାନୀର ବୋହୂଟା ରତ୍ନଟିଏ। ସେମାନଙ୍କ ବାହାଘର ଏବେ ପାଞ୍ଚ ବର୍ଷ ପୂରିଲାଣି। କେତେ ଭଲରେ ସମ୍ଭାଳିଛି ସେ ନିଜ ଘର। ଦୀପୁ ବି ଖୁସି,ନାନୀ ବି ଖୁସି। ତୁମେ ବେକାରଟାରେ ଏ ଚେହେରା ନେଇ ଧନ୍ଦି ହେଉଛ। ଈଶ୍ବରଙ୍କୁ ପ୍ରାର୍ଥନା କର ଭଲ ଗୁଣର ଝିଅଟିଏ ଆସୁ ଯେ ତୁମ ଘର ଭରି ଉଠିବ।
ଡଲି -ଅସମ୍ଭବ। ମୋ ପୁଅକୁ ମୁଁ ଜାଣେ। ତା ସ୍ତ୍ରୀ ସୁନ୍ଦର ନହେଲେ ସେ ସୁଖୀ ହେଇ ପାରିବନି। କଣ ନିଶି ଚାଲିଗଲା ବୋଲି ମୋ ପୁଅର ଜୀବନକୁ ଅନ୍ଧକାରକୁ ଠେଲିଦେବି ନା କଣ! ସୌନ୍ଦର୍ଯ୍ୟ ନଥିଲେ କିଛି ନାହିଁ। ମୁହଁଟା ସୁନ୍ଦର ଥିଲେ ସିନା ମୋ ପୁଅ ହସିବ। (ବିବେକଙ୍କୁ)ଆପଣ ତାଙ୍କୁ କହନ୍ତୁ ଫୋଟୋ ପଠେଇବେ।
ଏଇ ସମୟରେ ଦୀପକ,ତ୍ରିପାଠୀ ବାବୁଙ୍କ ପୁଅ ସେଇ କୋଠରିକୁ ପଶି ଆସିଛି। ସୌମ୍ୟ ଦର୍ଶନର ପିଲାଟିଏ। କ୍ଲାନ୍ତ ମୁହଁରେ ହସଟିକେ ନାହିଁ କିନ୍ତୁ।
ଡଲି -କଣ ହେଲା ବାପା? ତୁ ଏତେ ଶୁଖା କାହିଁକି ଦିଶୁଛୁ ! ଦେହ ଠିକ୍ ଲାଗୁଛି ତ! ମୋ ପୁଅ ପାଇଁ ଏମିତି ବଢ଼ିଆ ବୋହୂଟିଏ ଆଣିବି ଯେ ମୋ ପୁଅର ମୁହଁ ଦପ୍ଦପ୍ ଜଳି ଉଠିବ।
ମିଷ୍ଟର ତ୍ରିପାଠୀ – ମୁହଁ ଦପ୍ଦପ୍ ଜଳି ଉଠିବା ପାଇଁ ଆଗ ମନର ଖୁସି ଦରକାର। ମନର ଖୁସି ପାଇଁ ପରିବେଶ ଶାନ୍ତ,ସ୍ନିଗ୍ଧ ହେବା ଦରକାର। ଆଉ ପରିବେଶ ଶାନ୍ତ ସ୍ନିଗ୍ଧ ହେବାପାଇଁ ଆମେସବୁ ଭଲହେବା,ସ୍ନେହ ଶ୍ରଦ୍ଧାଯୁକ୍ତ ହେବା -ଏକ ପ୍ରକାରର ଶୁଦ୍ଧ ହେବା ନିତାନ୍ତ ଦରକାର। ଆମ ଭିତରେ ଯଦି ଗର୍ବ,ଅହଂକାର,କ୍ରୋଧ,ହିଂସା ଭରି ରହିଥିବ,କୋଉ ବାତାବରଣ ସୁନ୍ଦର ହେବ ନା କୋଉ ମୁହଁ ଦପ୍ଦପ୍ ଜଳି ଉଠିବ !
ଡଲି (ଚିଡ଼ିଯାଇ) କଣ ସବୁ ବେକାର କଥା କହୁଛ ତୁମେ ? ମୋ ପୁଅର ଛାଡ଼ପତ୍ର ପାଇଁ ତୁମେ କଣ କହିବାକୁ ଚାହୁଁଛ କି ଆମେ ଦାୟୀ। ସେଇ ନିଶି ହିଁ ପାଗଳୀ ଥିଲା। କେମିତି ପାଟିକରି କମ୍ପଉ ଥିଲା ମନେ ନାହିଁ? ତା’ମା’ତା’କୁ ଶିଖଉ ଥିଲା। ସେଥିପାଇଁ ସେ ଝିଅର ଏତେ ସାହାସ ହେଉଥିଲା ମତେ ଏମିତି ଜବାବ୍ ଦେବାକୁ।
ଦୀପକ – (ଗୋଟିଏ ଷ୍ଟୁଲ୍ରେ ବସିଯାଇ)ମା’ଏସବୁ ପୁଣି ଆରମ୍ଭ କରନା। ବହୁତ ହେଇଗଲା। ମୋର ଆଉ ବାହା ହେବା ଦରକାର ନାହିଁ। ଏକଲା ମୁଁ ଠିକ୍ ଅଛି।
ଡଲି -ନାଇଁରେ ବାପା। ତୋ ପାଇଁ ମୁଁ ବଢ଼ିଆ ବୋହୂଟିଏ ଆଣିବି। ଦେଖିବୁ,ଏ ଘର ଖୁସିରେ ଭରିଯିବ।
ମିଷ୍ଟର ତ୍ରିପାଠୀ -ଏ ଘର ଆମର। ଆମେ ଯଦି ଏଇ ଘରକୁ ଖୁସିରେ ଭରି ପାରୁନୁ, କିଏ ଆସି ଏ ଘରକୁ ଖୁସିରେ ଭରି ଦେଇପାରିବ? ଯିଏ ବି ଆସିବ ବୋହୂ ହେଇ, ସେ ଆମଠୁ ଯଥେଷ୍ଟ ଛୋଟ ହେଇଥିବ ବୟସରେ,ଅଭିଜ୍ଞତାରେ। ଆମର କର୍ତ୍ତବ୍ୟ ଏ ଘରକୁ ଖୁସି ଆଣିବାରେ,ବୋହୂର ନୁହେଁ।
ଡଲି -କଣ ଭାରି କଥା କହୁଛ ଆଜି!
ଦୀପକ -ବାପା,ପ୍ଲିଜ୍,ମୁଁ ଆଉ ବାହା ହେବାକୁ ଚାହୁଁନି। ବହୁତ ଅନୁଭୂତି ହେଇଗଲା। ଏତିକିରେ ହିଁ ମୁଁ ରକ୍ତଚାପ ଓ ମଧୁମେହ ହେଇଗଲା। ଆଉ ଯଦି ଏମିତି କିଛି ମତେ ଦେଖିବାକୁ ପଡ଼େ ହାର୍ଟ୍ ଆଟାକ୍ ହେଇଯିବା ଅସମ୍ଭବ ନୁହେଁ। ଆରେ ହଁ,ମୋର ସମ୍ବଲପୁରକୁ ବଦଳି ହେଇ ଯାଇଛି। ମାସେ ଭିତରେ ମତେ ଯିବାକୁ ହେବ।
ଡଲି -(ଅତି ଉତ୍ତେଜନାର ଠିଆ ହେଇପଡ଼ି)କଣ କହିଲୁ! ତୁ ପଳେଇବୁ! ଆମେ ରହିବୁ କେମିତି? ଛାଡ଼ ସେ ଚାକିରି। ଆମର ଦରକାର ନାହିଁ।
ଦୀପକ -ମୋର ଦରକାର ଅଛି ମା ‘। କିଛିଦିନ ତ ମୋ ଗୋଡ଼ରେ ଠିଆ ହୁଏ। କେତେ ଆଉ ଛାତ ତଳେ ଥିବି,ଟିକିଏ ତ ଖୋଲା ପବନ ପାଏ ! କିଛିଦିନ ରହି ମୁଁ ପୁଣି ଭୁବନେଶ୍ବର ବଦଳି ହେଇ ପଳେଇ ଆସିବି। ପ୍ରମିସ୍।
ମିଷ୍ଟର ତ୍ରିପାଠୀ -ଈଶ୍ବର ଯାହା କରନ୍ତି ସଦା ମଙ୍ଗଳ ପାଇଁ । ଯା ‘,କିଛି ଅସୁବିଧା ହେଲେ କହିବୁ।
ଡଲି -(ବାୟାଣୀ ପରି)କଣ କହୁଚ ତୁମେ। ମୋ ପୁଅ ନଥିଲେ ମୁଁ ବଞ୍ଚିବି କେମିତି !!
ଆରାଧନା ମିଶ୍ର