ବାତ୍ୟା ଥମିବା ପରେ ଚନ୍ଦ୍ରଭାଗା ଉପକୂଳରେ ବାଲିଝଡ଼

0

ଭୁବନେଶ୍ବର: ବାତ୍ୟା ପ୍ରଶମିତ ହେବା ପରେ ଚନ୍ଦ୍ରଭାଗା ଉପକୂଳ ଅଞ୍ଚଳରେ ପ୍ରବଳ ବେଗରେ ପବନ ବୋହିବା ସହ ସମୁଦ୍ର ଅଶାନ୍ତ ହୋଇ ବାଲିଝଡ଼ ସୃଷ୍ଟି ହୋଇଛି। ପବନରେ ତୁହାକୁ ତୁହା ବାଲି ଉଡ଼ିଆସି ଚନ୍ଦ୍ରଭାଗାରୁ ରାମଚଣ୍ଡୀ ମୁହାଣ ଇକୋ-ରିଟ୍ରିଟ୍ ନିକଟସ୍ଥ ପ୍ରାୟ ୧ କିଲୋମିଟର ବ୍ୟାପୀ ଜାତୀୟ ରାଜପଥକୁ ଘୋଡ଼ାଇ ରଖିଛି। ସମୁଦ୍ର ବାଲି ଜମା ହୋଇ ବିପଦପୂର୍ଣ୍ଣ ଭାବେ ପଡ଼ିରହିଥିବା ଦେଖିବାକୁ ମିଳିଛି। ବିଶେଷ ଭାବେ ଏହି ବାଲିଝଡ଼ ହେତୁ ସମଗ୍ର ଚନ୍ଦ୍ରଭାଗାରେ ଦୋକାନ ବଜାର ଖୋଲି ନପାରି ଦୁଇ ଦିନ ହେବ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡ଼ିରହିଛି। ପର୍ଯ୍ୟଟକମାନେ ଏହି ବାଲିଝଡ଼ ଯୋଗୁଁ ଅସ୍ତବ୍ୟସ୍ତ ହୋଇ ଚନ୍ଦ୍ରଭାଗାରୁ ବିକଳରେ ପଳାୟନ କରୁଥିବା ଦେଖାଯାଇଛି।

ଫଳରେ ଏହି ରାସ୍ତା ଦେଇ ପୁରୀ-କୋଣାର୍କ ପରିଦର୍ଶନରେ ଆସୁଥିବା ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଗାଡ଼ିଗୁଡ଼ିକରେ ରହି ନାହିଁ ନଥିବା ହଇରାଣ ହେଉଛନ୍ତି। ମୁଖ୍ୟ ରାସ୍ତା ଉପରେ ସରୁ ବାଲି ଜମି ରହିଥିବାରୁ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହୋଇଛି। ରାସ୍ତାରୁ ବାଲି କଢ଼ା ଯାଉ ନଥିବାରୁ ବେଳାମାର୍ଗରେ ବିଶେଷ କରି ମୋଟରସାଇକେଲରେ ଯାତାୟାତ ଅସମ୍ଭବ ହୋଇପଡ଼ିବା ସହ ପର୍ଯ୍ୟଟକଙ୍କ ପାଇଁ ଏହି ବେଳାମାର୍ଗ ଅସୁରକ୍ଷିତ ହୋଇପଡ଼ିଛି।

ଅନ୍ୟପକ୍ଷରେ, ରାସ୍ତା ପାର୍ଶ୍ୱରେ ନିର୍ମାଣ ହୋଇଥିବା ପଥର ସୁରକ୍ଷା ବାଡ଼ଗୁଡ଼ିକ ଅନେକ ସ୍ଥାନରେ ବାଲିରେ ପୋତିହୋଇ ରାସ୍ତା ଉପରକୁ ମାଡ଼ିଆସିଛି, ଯାହାଫଳରେ ବଡ଼ ଦୁର୍ଘଟଣା ଘଟିବା ଆଶଙ୍କା ଦେଖାଦେଇଛି। ଯଦି କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ ଦାୟୀ କିଏ ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୁରକ୍ଷିତ ଯାତାୟାତ ପାଇଁ ତୁରନ୍ତ ଏହି ବାଲିଗୁଡ଼ିକୁ ବେଳାମାର୍ଗ ରାସ୍ତା ଉପରୁ ଜରୁରୀକାଳୀନ ଭିତ୍ତିରେ ହଟାଇବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.