ବାଲେଶ୍ୱର, ୨୪ ସେପ୍ଟେମ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରେ ଏକ ସାଇନ୍ସ ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ବିଧାନସଭାରେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଉପଲବ୍ଧ ରିପୋର୍ଟ ଅନୁଯାୟୀ, ପ୍ରସ୍ତାବିତ ପ୍ରକଳ୍ପର ବ୍ୟୟ ଅଟକଳ ପ୍ରାୟ ୧୫ କୋଟି ଟଙ୍କା ରହିଛି ଏବଂ ଏଥିପାଇଁ ପ୍ରାୟ ୫ ଏକର ଜମି ଆବଶ୍ୟକ।
ବିଧାନସଭାରେ ବିଧାୟକ ଦତ୍ତ ବାଲେଶ୍ୱର ଜିଲ୍ଲାରେ ସାଇନ୍ସ ପାର୍କ ନିର୍ମାଣ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ରହିଛି କି, ଥିଲେ ଏହାର କାର୍ଯ୍ୟାନ୍ୱୟନ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ଏବଂ କାର୍ଯ୍ୟ କେବେ ଆରମ୍ଭ ହେବ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ସାଇନ୍ସ ପାର୍କ ପାଇଁ ଜମି ଚିହ୍ନଟ ଓ ଆବଶ୍ୟକ ସର୍ବେକ୍ଷଣ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ଜମି ହସ୍ତାନ୍ତର ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ମଧ୍ୟ ଚାଲିଛି।
ବାଲେଶ୍ୱରରେ ସାଇନ୍ସ ପାର୍କ ନିର୍ମାଣ ହେଲେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିର ବିଭିନ୍ନ ବିଷୟକୁ ପ୍ରୟୋଗାତ୍ମକ ଭାବେ ଜାଣିବାର ସୁଯୋଗ ମିଳିବ ବୋଲି ବିଧାୟକ ଦତ୍ତ କହିଛନ୍ତି। ଏହା ମାଧ୍ୟମରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା, ବୈଜ୍ଞାନିକ ଚିନ୍ତାଧାରା ଓ ନବସୃଜନ ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ସେ ମତ ଦେଇଛନ୍ତି।
ସାଇନ୍ସ ପାର୍କ ପାଇଁ ଜମି ଚିହ୍ନଟ ଓ ପ୍ରଶାସନିକ ପ୍ରକ୍ରିୟା ଆଗକୁ ବଢ଼ିବା ପରେ ପ୍ରକଳ୍ପର ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ହେବ। ଏହି ପଦକ୍ଷେପ ପାଇଁ ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।