କୃଷକ ଉତ୍ପାଦକ ସଂଗଠନର ସଦସ୍ୟଙ୍କ ନିମନ୍ତେ ସମନ୍ୱୟ ବୈଠକ

0

ଆର, ଉଦୟଗିରି,୨୩.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ (FPO)ଗୁଡ଼ିକୁ ସୁଦୃଢ଼ କରିବା ସହିତ କୃଷକମାନଙ୍କ ଆୟ ଓ ଜୀବିକାର ମାନ ବୃଦ୍ଧି ଉଦ୍ଦେଶ୍ୟରେ ଏକ FPO ସମନ୍ୱୟ ବୈଠକ (Convergence Meeting) ୨୩.୦୯.୨୦୨୬ ତାରିଖରେ ରା.ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି।
କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼. ସଂଗ୍ରାମ ପରମଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ FPOର CEO, ବୋର୍ଡ ସଦସ୍ୟ ଓ ପ୍ରତିନିଧିମାନେ ଯୋଗଦେଇଥିଲେ। ଏଥିସହ ନାବାର୍ଡର DDM (ଜିଲ୍ଲା ବିକାଶ ପରିଚାଳକ), କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ପଶୁପାଳନ ବିଭାଗ, ବନ ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ଅଧିକାରୀମାନେ ଯୋଗଦେଇ FPOଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକ ସହଯୋଗ ଓ ସମନ୍ୱୟ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ FPOର ସୁଚାରୁ ପରିଚାଳନା, ସଦସ୍ୟ ସଂଗଠନ, ବ୍ୟବସାୟିକ ଯୋଜନା, ଉତ୍ପାଦ ସଂଗ୍ରହ, ଉଚ୍ଚମୂଲ୍ୟର କୃଷି ଓ ଉଦ୍ୟାନ ଫସଲର ପ୍ରୋତ୍ସାହନ, ମୂଲ୍ୟବୃଦ୍ଧି, ବଜାର ସଂଯୋଗ, ବଜାରୀକରଣ ଏବଂ ବିଭିନ୍ନ ସରକାରୀ ଯୋଜନା ସହିତ FPOଗୁଡ଼ିକୁ ସଂଯୋଜିତ କରିବା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦ୍ରର ଉଦ୍ୟାନ ବୈଜ୍ଞାନିକ ଡ଼. ସୁଶ୍ରୀ ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ FPOଗୁଡ଼ିକର ଦକ୍ଷତା ବିକାଶ, ଉଦ୍ୟାନ ଫସଲର ଉତ୍ପାଦନ ବୃଦ୍ଧି, ମୂଲ୍ୟବୃଦ୍ଧି ଏବଂ କୃଷକ ଉତ୍ପାଦର ବଜାର ସଂଯୋଗ ଉପରେ ଆଲୋକପାତ କରିଥିଲେ। ବୈଠକରେ ବିଭିନ୍ନ FPOର ପ୍ରତିନିଧିମାନେ ନିଜ ନିଜ ସଂଗଠନର କାର୍ଯ୍ୟକଳାପ, ସଫଳତା, ସମସ୍ୟା ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ଅନୁଭୂତି ବାଣ୍ଟିଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ FPOଗୁଡ଼ିକୁ ପ୍ରାଯୁକ୍ତିକ ମାର୍ଗଦର୍ଶନ, ଯୋଜନାଭିତ୍ତିକ ସହାୟତା ଏବଂ ବଜାର ସଂଯୋଗ ପାଇଁ ଉପଲବ୍ଧ ସୁଯୋଗ ସମ୍ପର୍କରେ ମତବିନିମୟ କରିଥିଲେ। ଏହି ସମନ୍ୱୟ ବୈଠକ ମାଧ୍ୟମରେ FPO, ସରକାରୀ ବିଭାଗ ଓ ଅନ୍ୟାନ୍ୟ ସହଯୋଗୀ ସଂସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି, ପ୍ରାଯୁକ୍ତିକ ସହାୟତା, ଅଭିଜ୍ଞତା ବିନିମୟ ଏବଂ କୃଷକ ଉତ୍ପାଦର ଉତ୍ତମ ବଜାର ସଂଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। FPOଗୁଡ଼ିକୁ ଅଧିକ ସୁଦୃଢ଼, ବ୍ୟବସାୟମୁଖୀ ଓ କୃଷକକେନ୍ଦ୍ରିକ ସଂଗଠନ ଭାବେ ବିକଶିତ କରିବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ଥିଲା। କେନ୍ଦ୍ରର କମ୍ପ୍ୟୁଟର ପ୍ରୋଗ୍ରାମର ଶ୍ରୀ ମନୋଜ କୁମାର ସାହୁ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ କେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ଡ଼. ଦେବାଶିଷ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.