୨୪ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ଲୋକାଭିମୁଖୀ ଉନ୍ନୟନକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ପାନୀୟ ଜଳ, ବିଜୁଳି, ସଡ଼କ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ାକୁ ଅଗ୍ରାଧିକାର କେବିକେ ବିକାଶ ଯୋଜନାରେ ୩୦୩ ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କାର ପ୍ରସ୍ତାବ

0

ନବରଙ୍ଗପୁର, ୧୮/୦୯/୨୦୨୬ (ଶେଖର ଖୁରା): ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଜିଲ୍ଲା ଯୋଜନା ବୋର୍ଡର ସଦସ୍ୟମାନଙ୍କ ନିର୍ବାଚନ ସମାପ୍ତ ହେବା ପରେ ଚଳିତ ବର୍ଷର ପ୍ରଥମ ତଥା ୨୪ତମ ଜିଲ୍ଲା ଯୋଜନା କମିଟି ବୈଠକ ଶୁକ୍ରବାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।

ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଶ୍ରୀ ବଳଭଦ୍ର ମାଝୀ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମୋତିରାମ ନାୟକ ଓ ଉପାଧ୍ୟକ୍ଷ, କମିଟିର ସମସ୍ତ ସଦସ୍ୟ, ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଡିଓମାନେ ଉପସ୍ଥିତ ଥିଲେ।

ବୈଠକରେ ଅଧ୍ୟକ୍ଷ ଶ୍ରୀ ମାଝୀ କେବିକେ ବିକାଶ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସହ ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣକୁ ଗୁରୁତ୍ୱ ଦେଇଥିଲେ। ବିଶେଷକରି ପାନୀୟ ଜଳ, ବିଜୁଳି ଓ ସଡ଼କ ଭଳି ମୌଳିକ ସୁବିଧାର ବିକାଶ ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।

ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥାର ବିକାଶ ପାଇଁ ଆବଶ୍ୟକ ପ୍ରକଳ୍ପର ତାଲିକା ପ୍ରସ୍ତୁତ କରି ଅନୁମୋଦନ ପରେ ତ୍ୱରିତ କାର୍ଯ୍ୟାନ୍ୱୟନ ଏବଂ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ତାଲିକାଭୁକ୍ତ ପ୍ରକଳ୍ପଗୁଡ଼ିକର ଫିଜିବିଲିଟି ରିପୋର୍ଟ ଶୀଘ୍ର ପ୍ରଦାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଜିଲ୍ଲାର ବୟନ ଶିଳ୍ପର ବିକାଶ ସହ ବୁଣାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଜିଲ୍ଲା ମୁଖ୍ୟାଳୟରେ ବୟନ ଶିଳ୍ପ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଖୋଲିବା ନେଇ ଆଲୋଚନା ହୋଇଥିଲା। ଏଥିସହ ଗୋଶାଳାର ସଫଳ କାର୍ଯ୍ୟାନ୍ୱୟନ, ମାଛ ଓ ଚିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହନ ପାଇଁ ଉପଯୋଗୀ ପୋଖରୀ ଓ ବନ୍ଧର ତାଲିକା ପ୍ରସ୍ତୁତି, କ୍ରୀଡ଼ା ଭିତ୍ତିଭୂମି, ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ଷ୍ଟାଡିୟମ ନିର୍ମାଣକୁ ଅଗ୍ରାଧିକାର ଭିତ୍ତିରେ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସେହିଭଳି ମେଡିକାଲ କଲେଜ ନିର୍ମାଣ, ଜିଏନଏମ କଲେଜ ସ୍ଥାନାନ୍ତରଣ ଓ ବାଇପାସ୍ ରାସ୍ତା ନିର୍ମାଣ ଭଳି ପ୍ରମୁଖ ଉନ୍ନୟନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ସମସ୍ତ ତହସିଲଦାର ଓ ଶିକ୍ଷା ବିଭାଗ ମଧ୍ୟରେ ସମନ୍ୱୟ ରଖି ଯଥାଶୀଘ୍ର ବିଦ୍ୟାଳୟଗୁଡ଼ିକୁ ଜମି ପଟ୍ଟା ପ୍ରଦାନ କରିବା ସହ ଜିଲ୍ଲାର ଭୂମିହୀନ ପରିବାରଙ୍କୁ ବସୁନ୍ଧରା ପଟ୍ଟା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଜିଲ୍ଲାରେ ଆଇନଶୃଙ୍ଖଳାର ସୁପରିଚାଳନା ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ସମସ୍ତ ବ୍ଲକ୍ ମୁଖ୍ୟାଳୟ ସହରରେ ସିସିଟିଭି ସ୍ଥାପନ ସହ ଆବଶ୍ୟକ ସ୍ଥାନରେ ପୋଲିସ ମୁତୟନକୁ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ସହ ବିଭିନ୍ନ ଯୋଜନାରେ ମିଳୁଥିବା ଅନୁଦାନ ଅର୍ଥରାଶିର ସମୟୋଚିତ ଓ ସଠିକ୍ ବିନିଯୋଗ ନିଶ୍ଚିତ କରିବାକୁ ଜନପ୍ରତିନିଧିମାନେ ଗୁରୁତ୍ୱ ଦେଇଥିଲେ।

ସୂଚନାଯୋଗ୍ୟ ଯେ, କେବିକେ ବିକାଶ ଯୋଜନା ଅଧୀନରେ ୨୦୨୪-୨୫ ଆର୍ଥିକ ବର୍ଷରେ ତାଲିକାଭୁକ୍ତ ୧୭୦ଟି ପ୍ରକଳ୍ପ ପାଇଁ ସମୁଦାୟ ୫ କୋଟି ଟଙ୍କା ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ତାଲିକାଭୁକ୍ତ ୧୩୩ଟି ପାନୀୟ ଜଳ, ବିଜୁଳି ଓ ସଡ଼କ ନିର୍ମାଣ ପ୍ରକଳ୍ପ ପାଇଁ ମୋଟ ୫ କୋଟି ଟଙ୍କା—ଏହିପରି ମୋଟ ୩୦୩ଟି ପ୍ରକଳ୍ପ ପାଇଁ ସର୍ବମୋଟ ୧୦ କୋଟି ଟଙ୍କାର ଅଟକଳ ମୂଲ୍ୟ ଅନୁମୋଦନ ପାଇଁ କମିଟି ସମ୍ମୁଖରେ ଉପସ୍ଥାପିତ ହୋଇଥିଲା। ଅତିରିକ୍ତ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ତଥା ବିଡିଓ, ନବରଙ୍ଗପୁର ଶ୍ରୀ ସୁନୀଲ ଖରା ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଏହାପରେ ମାତ୍ରାଧିକ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ରିପୋର୍ଟ ଉପରେ ଆଲୋଚନା କରାଯାଇଥିଲା। କ୍ଷତିଗ୍ରସ୍ତ ରାସ୍ତାଘାଟ, ବ୍ରିଜ୍ ଓ କଲଭର୍ଟ ଆଦିର ଯଥାଶୀଘ୍ର ମରାମତି କରି ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଥିଲା।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି, ଉପଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ପ୍ରଫୁଲ୍ଲ କୁମାର ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ ଓ ବିଡିଓମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.