ସଜ ହୋଇଲେଣି ମାଆ

ଅର୍ଜୁନୀ ଚରଣ ବେହେରା

ଆବାହନୀ ଗାଏ ଆନନ୍ଦେ ଧରଣୀ
ବହେ ପାରବଣ ବାଆ l
ଓହ୍ଲାଇ ଆସିବେ ମରତ ଧାମକୁ
ସଜ ହୋଇଲେଣି ମାଆ ll
ଡିବି ଡିବି ବାଜେ ଯୋଡ଼ି ନାଗରା ଲୋ
ଢୋଲ, ଟମକ, ମହୁରୀ l
ମାଆ ବିଜେ ହେବେ ମଣ୍ଡପ ଗଢନ୍ତି
ଶିଳ୍ପୀଏ ଯତନ କରି ll
ଅସିଣ ଆକାଶେ ଅଗସ୍ତି ନକ୍ଷତ୍ର
କାଶତଣ୍ଡି ଫୁଲ ହସି l
ଶ୍ୱେତଚାମରର ଆଲଟେ ଡାକଇ
ମାଆ ନାମ ପରଶଂସି ll
ସୁନୀଳ ଅମ୍ବରେ ଧଳା ମେଘ ଖଣ୍ଡ
ଭାସଇ ଯେହ୍ନେ ବୋଇତ l
ମାଆ ଓହ୍ଲାଇବେ ଏ ଧରା ଧାମକୁ
ସେ ବୋଇତେ ମାରି କାତ ll
ନିରିମଳ ଶୋଭା ଜଗତରେ ଏବେ
ସ୍ଵଛ ପୁଷ୍କରିଣୀ ଜଳ l
ରାତ୍ରୀ ବିଳାସିନୀ ଫୁଟି ଝଡ଼ିଯାଏ
ପ୍ରଭାତୁ ଶେଫାଳି ଦଳ ll
ଶିଶିର ନାଶିଲା ପଦ୍ମିନୀ, ଆନନ୍ଦ
କୁମୁଦ, କୁମୁଦ ବନ୍ଧୁ l
ବିରହ ବିଧୁରା କ୍ରନ୍ଦନ କରନ୍ତି
ଚକୋର ଚକୋର ବଧୂ ll
ଯାଇଥିଲ ମାଆ ବରଷକ ତଳେ
ସେଦିନୁ ରହିଛୁ ଚାହିଁ l
ଦେଖିଯାଅ ମାତ ଏ ଧରା ଧାମକୁ
ବେନି ନୟନ ବୁଲାଇ ll
ମାତା ତୋ ରାଇଜେ ବସା ବାନ୍ଧିଲେଣି
ମହିଷା ଶୁମ୍ଭ ନିଶୁମ୍ଭ l
ଜଗତ ଜନନୀ ତ୍ରିଶୂଳ ଆଘାତେ
ଭାଙ୍ଗି ଦେଏ ତାଙ୍କ ଦମ୍ଭ ll
ଆସ ମାଆ ଦୁର୍ଗେ ଦୁର୍ଗତିନାଶିନୀ
ଚାହିଁ ରହିଛୁ ସନ୍ତାନେ l
ସୁଭାଶିଷ ଦେଇ ସ୍ନେହବୋଳା କଥା
କହିଦେଇ ଯିବୁ କାନେ ll
🙏🙏🙏
ଅର୍ଜୁନୀ
——————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.